ଖଣିରୁ ଆସିଛି ୫୩% କଂପାନି ଟିକସ, ୨୫ ଟିକସଦାତା ଦେଉଛନ୍ତି ୮୦% ଟିକସ

ଖଣିରୁ ଆସିଛି ୫୩% କଂପାନି ଟିକସ, ୨୫ ଟିକସଦାତା ଦେଉଛନ୍ତି ୮୦% ଟିକସ

ଭୁବନେଶ୍ବର: ଓଡ଼ିଶାରେ ସଂଗ୍ରହ ହେଉଥିବା ପ୍ରତ୍ୟକ୍ଷ କରରେ କଂପାନି ଟିକସର ଭାଗ ଅଧାରୁ ଅଧିକ ରହୁଛି। ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟରେ ୧୫,୫୮୧ କୋଟି ଟଙ୍କାର ନିଟ୍‌ ପ୍ରତ୍ୟକ୍ଷ କର ସଂଗ୍ରହ କରାଯାଇଥିବା ବେଳେ ସେଥିରୁ ୯,୬୦୦ କୋଟି ଟଙ୍କା ହେଉଛି କଂପାନି ଟିକସ। ଖଣି କ୍ଷେତ୍ରରୁ ୫୩% କଂପାନି ଟିକସ ସଂଗ୍ରହ କରାଯାଇଥିବା ବେଳେ ବନ୍ଦରରୁ ୨୨%, ଠିକାଦାରମାନଙ୍କଠାରୁ ୫-୬% ଓ ବ୍ୟାଙ୍କଗୁଡ଼ିକଠାରୁ ୫% କଂପାନି ଟିକସ ସଂଗ୍ରହ କରାଯାଉଛି ବୋଲି କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି)ର ଅଧ୍ୟକ୍ଷ ଜେ ବି ମହାପାତ୍ର କହିଛନ୍ତି। ସେ କହିଲେ, ମୋଟ ସଂଗ୍ରହ ପ୍ରତି ୨୫ ପ୍ରମୁଖ ଟିକସଦାତାଙ୍କ ଅବଦାନ ୮୦ ପ୍ରତିଶତ ରହିଛି। ୨୦୨୧-୨୨ରେ ରାଜ୍ୟରେ ୧୪ ହଜାର କୋଟି ଟଙ୍କାର ପ୍ରତ୍ୟକ୍ଷ କର ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା, କିନ୍ତୁ ତା’ଠାରୁ ଯଥେଷ୍ଟ ଅଧିକ ଅର୍ଥାତ ୧୫,୪୮୧ କୋଟି ଟଙ୍କା ସଂଗ୍ରହ ହୋଇପାରିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ମଧ୍ୟ ଓଡ଼ିଶା ଏହି ସଫଳତା ଦୋହରାଇବ ଓ ଏବର୍ଷ ମଧ୍ୟ ସଂଗ୍ରହ ୧୫ ହଜାର କୋଟି ଟଙ୍କାରୁ ଅଧିକ ହେବ ବୋଲି ସେ କହିଛନ୍ତି। ରାଜ୍ୟରେ ଉଭୟ ଟିକସଦାତାଙ୍କ ସଂଖ୍ୟା ଓ ଟିକସ ସଂଗ୍ରହ ବଢ଼ାଇବା ଉପରେ ବୋର୍ଡ ଜୋର ଦେଉଥିବା ସେ କହିଛନ୍ତି। ଓଡ଼ିଶାରେ ମୋଟ ୧୮,୦୫୫ କୋଟି ଟଙ୍କାର ପ୍ରତ୍ୟକ୍ଷ କର ସଂଗ୍ରହ କରାଯାଇଥିଲା। ରିଫଣ୍ଡ୍‌ ଆକାରରେ ୨,୫୭୪ କୋଟି ଟଙ୍କା ଜାରି କରାଯିବା ପରେ ନିଟ୍ ସଂଗ୍ରହ ୧୫,୪୮୧ କୋଟି ଟଙ୍କା ରହିଛି। ଆଲୋଚ୍ୟ ବର୍ଷରେ ଓଡ଼ିଶାରେ ୬,୫୯୪ କୋଟି ଟଙ୍କାର ଟିଡିଏସ୍‌ (ଆୟ ଉତ୍ସରୁ ଟିକସ) ସଂଗ୍ରହ ହୋଇଛି।

ଏକ ସାମ୍ବାଦିକ ସମ୍ମିଳନୀରେ ‌ଶ୍ରୀ ମହାପାତ୍ର କହିଛନ୍ତି ଯେ, ୨୦୨୧-୨୨ରେ ଜାତୀୟ ସ୍ତର‌ଟିକସ ସଂଗ୍ରହ‌ରେ ମଧ୍ୟ ଐତିହାସିକ ସଫଳତା ମିଳିଛି। ପ୍ରଥମ ଥର ପାଇଁ ଦେଶରେ ପରୋକ୍ଷ ଟିକସଠାରୁ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ଅଧିକ ରହିଛି। ମୋଟ ଟିକସରେ ପ୍ରତ୍ୟକ୍ଷ କରର ଭାଗ ୫୨% ରହିଛି। ଆଗାମୀ ଦିନରେ ତାହାକୁ ୬୦% ପର୍ଯ୍ୟନ୍ତ ବଢ଼ାଇବାକୁ ଉଦ୍ୟମ କରାଯାଉଛି। ପ୍ରକୃତରେ ମୋଟ ପ୍ରତ୍ୟକ୍ଷ କର ସଂଗ୍ରହ ୧୬.୩୪ ଲକ୍ଷ କୋଟି ଟଙ୍କା ଥିଲା। ଟିକସଦାତାମାନଙ୍କୁ ୨.୨୪ ଲକ୍ଷ କୋଟି ଟଙ୍କାର ରିଫଣ୍ଡ୍‌ ଜାରି କରାଯିବା ପରେ ନିଟ୍ ସଂଗ୍ରହ ୧୪,୦୯,୬୪୦.୮୩ କୋଟି ଟଙ୍କା ରହିଛି। ଶେଷ ଥର ପାଇଁ ୨୦୧୮-୧୯ରେ ନିଟ୍ ପ୍ରତ୍ୟକ୍ଷ କର ସଂଗ୍ରହ ସର୍ବାଧିକ ୧୧.୪୪ ଲକ୍ଷ କୋଟି ଟଙ୍କା ଥିଲା। ଦେଶର ଇତିହାସରେ ଅନ୍ୟ କୌଣସି ବର୍ଷ ୧୨ ଲକ୍ଷ କୋଟି ଟଙ୍କାରୁ ଅଧିକ ପ୍ରତ୍ୟକ୍ଷ କର ଆଦାୟ ହୋଇନଥିଲା। ୨୦୨୧-୨୨ରେ ନୂତନ ରେକର୍ଡ ସୃଷ୍ଟି ହୋଇଥିବା ସେ କହିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷ‌ରେ ୧୪.୨୦ ଲକ୍ଷ କୋଟି ଟଙ୍କା ଓ ୨୦୨୩-୨୪ରେ ୧୫.୮୩ ଲକ୍ଷ‌ କୋଟି ଟଙ୍କାର ପ୍ରତ୍ୟକ୍ଷ କର ସଂଗ୍ରହ କରିବାର ଲକ୍ଷ୍ୟ ରହିଛି ବୋଲି ସେ ସୂଚନା ଦେଇଛନ୍ତି। ଜିଡିପିକୁ ଟିକସ ଅନୁପାତ ଏବେ ୧୨% ଥିବା ବେଳେ ଆଗାମୀ ଦିନରେ ତାହାକୁ ଆହୁରି ବଢ଼ାଇବାକୁ ଉଦ୍ୟମ କରାଯାଉଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଦେଶରେ ଟିକସଦାତାଙ୍କ ସଂଖ୍ୟା ୬.୯୭ କୋଟିରୁ ବୃଦ୍ଧି ପାଇ ୭.୧୪ କୋଟିରେ ପହଞ୍ଚିଛି। ୨୦୨୧-୨୨ରେ ଓଡ଼ିଶାରେ ୧୨.୯୫ ଲକ୍ଷ ଟିକସଦାତା ଆୟକର ରିଟର୍ଣ୍ଣ ଦାଖଲ କରିଥିଲେ। ଯାହା ୨୦୨୦-୨୧ର ୯.୯୨ ଲକ୍ଷଠାରୁ ଅଧିକ। ଏହି ଅବସରରେ ଓଡ଼ିଶାର ପ୍ରଧାନ ମୁଖ୍ୟ ଆୟୁକ୍ତ ପରନିତ ସିଂହ ସଚ୍ଚଦେବ ଓ ମୁଖ୍ୟ ଆୟକର ଆୟୁକ୍ତ ସୁରଭି ଆଲୁୱାଲିଆ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe