Image Courtesy of The Statesman
ଭୁବନେଶ୍ବର: ସ୍କୁଲ ରୂପାନ୍ତର କେବଳ ବିଦ୍ୟାଳୟର ଭୌତିକ ରୂପରେ ପରିବର୍ତ୍ତନ ଆଣିନି, ତାସହିତ ପିଲାମାନଙ୍କ ମାନସିକତା ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଛି । ପାଠ ସହ ଖେଳ ଆଦି ପ୍ରତିଭାର ବିକାଶ ପାଇଁ ସୁଯୋଗ ଆଣିଛି। ସେମାନଙ୍କ ବ୍ୟକ୍ତିତ୍ବକୁ ମଧ୍ୟ ବିକଶିତ କରି ବାରେ ବିଶେଷ ସହାୟକ ହୋଇଛି ବୋଲି ଛାତ୍ରଛାତ୍ରୀ ମାନେ ମତ ଦେଇଥିଲେ। ଆଜି ଦ୍ବିତୀୟ ପର୍ଯ୍ୟାୟର ଦ୍ବିତୀୟ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରି ପିଲାମାନଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ପିଲାଙ୍କ ଆନନ୍ଦ ଉତ୍ସାହ ଓ ମନୋଭାବରୁ ଏହା ସ୍ପଷ୍ଟ ଜଣାଯାଇଛି । ସମସ୍ତେ ସ୍କୁଲର ରୂପାନ୍ତରରେ ଖୁସି ହେବା ସହିତ ନିଜ ନିଜର ଭବିଷ୍ୟତକୁ ନେଇ ଅଧିକ ଆତ୍ମବିଶ୍ବାସର ସହ ନିଜର ଭାବନାକୁ ପ୍ରକାଶ କରିଛନ୍ତି।
ଏହି ଅବସରରେ ଆଲୋଚନାରେ ଭାଗ ନେଇ ଢେଙ୍କାନାଳରୁ ତ୍ରିଶା ପ୍ରିୟଦର୍ଶିନୀ, ଗଞ୍ଜାମରୁ ଅର୍ପିତା ଚୌଧୁରୀ, କନ୍ଧମାଳରୁ ସୋନାଲି କହ୍ନର ନବରଂଗପୁରରୁ ଜୁଇସ ସୁନା ଓ ଅନୁଗୁଳରୁ ବିଷ୍ଣୁ ପ୍ରସାଦ ଚଇନି ଆଦି ଛାତ୍ରଛାତ୍ରୀ ସେମାନଙ୍କ ବ୍ୟକ୍ତବ୍ୟରେ ସ୍କୁଲ ରୂପାନ୍ତର ବିଷୟରେ ସେମାନଙ୍କ ଅନୁଭବ ବର୍ଣନା କରିଥିଲେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ଜିଲ୍ଲା ୫୩୧ଟି ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଢେଙ୍କାନାଳ ଜିଲ୍ଲାର ୧୦୫ଟି ହାଇସ୍କୁଲ, ଗଞ୍ଜାମର ୨୩୦ଟି, କନ୍ଧମାଳର ୭୩ଟି, ନବରଂଗପୁରର ୭୩ଟି ଓ ଅନୁଗୁଳ ଜିଲ୍ଲାର ୫୦ଟି ହାଇସ୍କୁଲ ଲୋକାର୍ପିତ ହୋଇଛି । ସୂଚନାଯୋଗ୍ୟ ଯେ ଦ୍ବିତୀୟ ପର୍ଯ୍ୟାୟରେ ସମୁଦାୟ ୨୯୦୮ଟି ହାଇସ୍କୁଲର ରୂପାନ୍ତର ହୋଇଛି।
ସ୍କୁଲ ରୂପାନ୍ତର କେବଳ ବିଦ୍ୟାଳୟର ଭୌତିକ ରୂପରେ ପରିବର୍ତ୍ତନ ଆଣିନି, ତାସହିତ ପିଲାମାନଙ୍କ ମନ ଓ ମାନସିକତା ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଛି । ସେମାନଙ୍କ ବ୍ୟକ୍ତିତ୍ବକୁ ମଧ୍ୟ ବିକଶିତ କରୁଛି । ଏହି ଅବସରରେ ପିଲାମାନଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରତ୍ୟେକ ପିଲା ସ୍ବତନ୍ତ୍ର ଏବଂ ତା ଭିତରେ ଭରି ରହିଛି ବିପୁଳ ସମ୍ଭାବନା । ପିଲାଙ୍କ ଆଖିରେ ଥାଏ ସୁନ୍ଦର ଭବିଷ୍ୟତର ସ୍ବପ୍ନ। ଜୀବନରେ କିଛି ବଡ କରିବାର ସ୍ବପ୍ନ। ସ୍କୁଲ ରୂପାନ୍ତର ପିଲାମାନଙ୍କ ଏ ସ୍ବପ୍ନରେ ଡେଣା ଯୋଡିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ପିଲାମାନଙ୍କ ପାଇଁ ନୂଆ ସୁଯୋଗ ଆଣିଛି । ପିଲାମାନଙ୍କ ସ୍ବପ୍ନ ସାକାର ହେଲେ, ନୂଆ ଓଡିଶାର ଲକ୍ଷ୍ୟ ପୂରଣ ହେବ ଓ ନୂଆ ଓଡିଶା ଗଠନର ଭିତ୍ତି ସ୍ଥାପିତ ହେବ।
ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ ରୂପାନ୍ତର ଆଣିଥାଏ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜୀବନର ଏ ଗୁରୁତ୍ବପୂର୍ଣ୍ଣ ସମୟକୁ ଠିକ୍ ଭାବରେ ଉପଯୋଗ କର ଏବଂ ନିଜପାଇଁ, ନିଜ ପରିବାର ପାଇଁ ଓ ପ୍ରିୟ ଓଡିଶା ପାଇଁ ନୂଆ ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍କୁଲ ଆଜି ଯେଉଁ ନୂଆ ରୂପ ନେଇଛି, ତାହା ପିଲାମାନଙ୍କ ଭିତରେ ଆନନ୍ଦ ଓ ଉତ୍ସାହ ଭରି ଦେଇଛି । ଏହା ସେମାନଙ୍କ ମଧ୍ୟରେ ନୂଆ ଆଶା ଓ ସଂକଳ୍ପ ସୃଷ୍ଟି କରିଛି । ସ୍କୁଲ ସମୟ ଜୀବନର ଶ୍ରେଷ୍ଠ ସମୟ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ରୂପାନ୍ତର ଆମର ପିଲାମାନଙ୍କୁ ଶ୍ରେଷ୍ଠ କରି ଗଢିତୋଳିବା ପାଇଁ ସୁଯୋଗ ସୃଷ୍ଟି କରିଛି ।
Follow Us