ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଚାଞ୍ଜଲ୍ୟକର ତଥ୍ୟ ; ୫୫ ହଜାର କିଶୋରୀ ସ୍କୁଲ ମାଡ଼ୁନାହାନ୍ତି

Advertisment
ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଚାଞ୍ଜଲ୍ୟକର ତଥ୍ୟ ; ୫୫ ହଜାର କିଶୋରୀ ସ୍କୁଲ ମାଡ଼ୁନାହାନ୍ତି

photo by : Hindustan Times

ଭୁବନେଶ୍ୱର : ଏବେ ବି ସ୍କୁଲ ମାଡ଼ୁନାହାନ୍ତି ରାଜ୍ୟର ୫୫ ହଜାର ୮୬୮ ଜଣ କିଶୋରୀ। ଏମାନଙ୍କର ବୟସ ୧୧ରୁ ୧୪ ବର୍ଷ ମଧ୍ୟରେ। ଏତେ ସଂଖ୍ୟାରେ କିଶୋରୀ ସ୍କୁଲ ନ ମାଡ଼ିବା ନେଇ ଚିନ୍ତା ପ୍ରକଟ କରିଛି ମହିଳା ଓ ଶିଶୁ କଲ୍ୟାଣ ବିଭାଗ। କିଶେରୀମାନଙ୍କୁ ସ୍କିମ୍‌ ଫର୍‌ ଆଡୋଲେସେଣ୍ଟ୍‌ ଗାର୍ଲସ୍‌(ଏସ୍‌ଏଜି)ରେ ସାମିଲ କରିବା ପାଇଁ ସର୍ଭେ କରିବା ସମୟରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆଣିଛି ବିଭାଗ। ଏନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖାଯାଇଛି।

ବାଳିକା ଶିକ୍ଷାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା ପୋଷାକ, ବହି, ମଧ୍ୟାହ୍ନଭୋଜନ, ସାଇକେଲ୍‌ ଯୋଗାଇ ଦିଆଯିବା ପରେ ବି ସବୁ ଛାତ୍ରୀ ସ୍କୁଲ ନ ଆସିବା ଚିନ୍ତାର କାରଣ ପାଲଟିଛି। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ତଥ୍ୟ କହୁଛି ବିଦ୍ୟାଳୟ ବାହାରେ ଥିବା ପିଲାଙ୍କ ମଧ୍ୟରୁ ଅର୍ଧାଧିକ ଅର୍ଥାତ୍‌ ୩୩ ହଜାର ୪୭୦ ଜଣ ଅନୁସୂଚିତ ଜନଜାତି(ଏସ୍‌ଟି) ବର୍ଗର। ଏମାନଙ୍କ ବ୍ୟତୀତ ଅନୁସୂଚିତ ଜାତି ବର୍ଗର ୮୮୨୦ ଓ ସାଧାରଣ ବର୍ଗର ୧୩ ହଜାର ୫୭୮ ଜଣ ଛାତ୍ରଛାତ୍ରୀ ରହିଛନ୍ତି।

କୋରାପୁଟ ଜିଲ୍ଲାରେ କିଶୋରୀ ଶିକ୍ଷା ବାଟବଣା ହୋଇଛି। ଏହି ଜିଲ୍ଲାର ୧୦ ହଜାର ୫୯୯ ଜଣ ଛାତ୍ରୀ ବିଦ୍ୟାଳୟ ମାଡ଼ୁନାହାନ୍ତି। ନବରଙ୍ଗପୁର ଜିଲ୍ଲାର ୮୮୯୯ ଜଣ ଛାତ୍ରୀ ବିଦ୍ୟାଳୟ ଯାଉ ନାହାନ୍ତି। କଳାହାଣ୍ଡି ଜିଲ୍ଲାରେ ଏହି ସଂଖ୍ୟା ୭୧୩୨ ଜଣ ରହିଛି। ମାଲକାନଗିରିରେ ୫୫୮୫, ରାୟଗଡ଼ାରେ ୫୩୨୦, ଗଞ୍ଜାମରେ ୪୨୯୬, କେନ୍ଦୁଝରରେ ୨୬୩୬, ସୁନ୍ଦରଗଡ଼ରେ ୧୫୯୯, ନୂଆପଡ଼ାରେ ୧୩୫୫, ନୟାଗଡ଼ରେ ୧୨୯୦, ଖୋର୍ଧାରେ ୧୧୨୧, କନ୍ଧମାଳରେ ୧୦୧୬ ଜଣ କିଶୋରୀ ବିଦ୍ୟାଳୟ ଯାଉ ନାହାନ୍ତି।
ଆଶ୍ୱାସନାର ବିଷୟ ହେଉଛି ଯେ ଭଦ୍ରକ ଜିଲ୍ଲାରେ ଜଣେ ବି ହେଲେ କିଶୋରୀ ସ୍କୁଲ ବାହାରେ ନାହାନ୍ତି। ମୟୂରଭଞ୍ଜ ଜିଲ୍ଲାରେ ମାତ୍ର ୬ ଜଣ କିଶୋରୀ ବିଦ୍ୟାଳୟ ବାହାରେ ଥିବା ବେଳେ କଟକରେ ୧୮, ଜଗତ୍‌ସିଂହପୁରରେ ୩୦, ସୋନପୁରରେ ୬୭, ପୁରୀରେ ୭୬ ଜଣ ବିଦ୍ୟାଳୟ ଆସୁନାହାନ୍ତି। ବାକି ଜିଲ୍ଲାଗୁଡ଼ିକରେ କିଶୋରୀଙ୍କ ସଂଖ୍ୟା ୧୦୦ରୁ ଅଧିକ ଓ ଏକ ହଜାରରୁ କମ୍‌ ରହିଛି।

ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଅଧିକାରୀମାନେ ୩୦ ଜିଲ୍ଲାରେ ସର୍ଭେ କରି ଏହି ତଥ୍ୟ ସାମ୍ନାକୁ ଆଣିଛନ୍ତି। ହେଲେ ଏଭଳି ତଥ୍ୟକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି ବିିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର। ସେ କହିଛନ୍ତି ଯେ ୨୦୧୭ ସେପ୍ଟେମ୍ବର ସୁଦ୍ଧା ଓପେପା ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ ମାତ୍ର ଏକ ହଜାର ୬୦ ଜଣ କିଶୋରୀ ସ୍କୁଲ ଆସୁନାହାନ୍ତି। ମହିଳା ଓ ଶିଶୁ କଲ୍ୟାଣ ବିଭାଗ କେଉଁଠୁ ତଥ୍ୟ ଅଣିଲା ବୋଲି ମନ୍ତ୍ରୀ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe