ଏମ୍ସରେ ୫୭ ଡାକ୍ତରଙ୍କୁ ନିଯୁକ୍ତି, ଯୋଗଦେଲେ ୨୦

Advertisment
୪ ସରକାରୀ ସଂସ୍ଥାକୁ ‘ଇଟ୍‌ ରାଇଟ୍‌ କ୍ୟାମ୍ପସ୍’ ମାନ୍ୟତା

AIIMS Bhubaneswar

ଭୁବନେଶ୍ବର: ଏମ୍ସରେ ୫୭ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ଏହାପରେ ବି ଆହୁରି ୫୬ ପଦ ଖାଲି ପଡ଼ିଛି। ଏହି ପଦ ପାଇଁ ପୂରଣ ପାଇଁ ଆହୁରି ଏକ ବର୍ଷ ଅପେକ୍ଷା କରିବାକୁ ପଡ଼ିବ। ସେତେବେଳକୁ ଯଦି ଆଉ କିଛି ଡାକ୍ତର ଛାଡ଼ି ଦେଲେ କିମ୍ବା ଅବସର ନେଲେ ପୁରୁଣା ସ୍ଥିତିରେ ଚାଲିବା ନେଇ ଆଶଙ୍କା ରହିଛି। ଏହି ନିଯୁକ୍ତି ପରେ ଗ୍ୟାଷ୍ଟ୍ରୋସର୍ଜରି, ଅଙ୍କୋଲୋଜି ଭଳି କିଛି ଗୁରୁତ୍ବପୂର୍ଣ୍ଣ ବିଭାଗର ରୋଗୀ ଆଶ୍ବସ୍ତ ହେବେ ବୋଲି ଆଶା ରହିଛି। ମାତ୍ର ହୃଦ୍‌ରୋଗ, ହୃଦ୍‌ଶଲ୍ୟ ବିଭାଗକୁ କିନ୍ତୁ ଏଥର ବି ନିରାଶ ହେବାକୁ ପଡ଼ିଛି।

ଏମ୍ସରେ ସମୁଦାୟ ୩୦୫ ଫାକଲ୍‌ଟି ପଦ ମଧ୍ୟରୁ ୧୧୩ଟି ଖାଲି ପଡ଼ିଥିଲା। ଡିସେମ୍ବର ୪ ତାରିଖରୁ ୮ ତାରିଖ ମଧ୍ୟରେ ହୋଇଥିବା ଚୟନ ପ୍ରକ୍ରିୟାରେ ସହଯୋଗୀ, ସହକାରୀ ଏବଂ ପ୍ରଫେସର ପଦ ପାଇଁ ସମୁଦାୟ ୫୭ ଜଣଙ୍କ ଚୟନ କରାଯାଇଛି। ଏଥିମଧ୍ୟରୁ ୫୪ ଜଣଙ୍କ ପ୍ରମାଣପତ୍ର ଯାଞ୍ଚ ହୋଇଛି, ୩ ଜଣ ପ୍ରମାଣପତ୍ର ଦାଖଲ ପାଇଁ ସମୟ ମାଗିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୨୦ ଜଣ ଫାକଲ୍‌ଟି କାର୍ଯ୍ୟରେ ଯୋଗଦାନ କରିଥିବା ଏମ୍ସ ପକ୍ଷରୁ କୁହାଯାଇଛି। ଅନ୍ୟମାନେ ଖୁବ୍‌ଶୀଘ୍ର ଯୋଗଦାନ କରିବେ ବୋଲି ଆଶା ରହିଛି।

ଏହି ଚୟନ ପରେ ବିଭାଗ ଖୋଲିବା ଦିନ ଠାରୁ ୨ଜଣ ଠିକା ଡାକ୍ତରଙ୍କ ଭରସାରେ ଚାଲିଥିବା ଗ୍ୟାଷ୍ଟ୍ରୋସର୍ଜରି ବିଭାଗକୁ ୪ ଜଣ ଫାକଲ୍‌ଟି ମିଳିଛି। ଏଥିମଧ୍ୟରୁ ୨ ଜଣ କାର୍ଯ୍ୟରେ ଯୋଗ ଦେଇଛନ୍ତି ଆଉ ୨ ଜଣ ଶୀଘ୍ର ଯୋଗଦାନ କରିବେ ବୋଲି ଜଣାପଡ଼ିଛି। ନେଫ୍ରୋଲୋଜି ବିଭାଗ ମାତ୍ର ଜଣେ ଡାକ୍ତରଙ୍କ ଭରସାରେ ଚାଲିଥିଲା। ବିଭାଗକୁ ଆଉ ଜଣେ ସହଯୋଗୀ ପ୍ରଫେସର ମିଳିଥିବା ସତ୍ତ୍ବେ ଆଉ ଏକ ସହଯୋଗୀ ପ୍ରଫେସର ପଦ ଖାଲି ରହିଛି। ନ୍ୟୁକ୍ଲିୟର ସର୍ଜରି ବିଭାଗକୁ ଚଳିତ ବର୍ଷ ପେଟ୍‌ ସିଟି ସ୍କାନ ମେସିନ ଆସିଛି। ବିଭାଗକୁ ୨ ଜଣ ସହଯୋଗୀ ପ୍ରଫେସର ମିଳିଛନ୍ତି।

ସର୍ଜିକାଲ ଅଙ୍କୋଲୋଜିରେ ୨ ଜଣ ସହଯୋଗୀ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ପଦରେ ଆଉ ଏକ, ଗୋଟିଏ ସହକାରୀ ପ୍ରଫେସର ପଦ ଖାଲି ରହିଛି। ଟ୍ରମା ଏବଂ ଏମରଜେନ୍ସିରେ ଜଣେ, ୟୁରୋଲୋଜିରେ ୨ଜଣ, ନିଶ୍ଚେତକରେ ଜଣେ, ଡର୍ମାଟୋଲୋଜିରେ ୩ଜଣ, ଜେନରାଲ ସର୍ଜରିରେ ଜଣେ, ସ୍ତ୍ରୀ-ପ୍ରସୂତିରେ ୨ ଜଣ, ରେଡିଓଥେରାପିରେ ଜଣେ, ଫରେନସିକ ମେଡିସିନ ଏବଂ ଟକ୍ସିକୋଲୋଜିରେ ଜଣେ, ନ୍ୟୁରୋଲୋଜିରେ ଜଣେ, ନ୍ୟୁରୋ ସର୍ଜରିରେ ୩ଜଣ, ରେଡିଓ ଡାଇଗ୍ନୋସିସରେ ୩ଜଣ, ଅସ୍ଥିଶଲ୍ୟରେ ଜଣେ, ଶିଶୁ ରୋଗ ବିଭାଗରେ ଜଣେ, ଆନାଟୋମିରେ ୨ ଜଣଙ୍କୁ ନିଯୁକ୍ତି ମିଳିଛି। ବର୍ଣ୍ଣ ଏବଂ ପ୍ଲାଷ୍ଟିକ ସର୍ଜରି, ହୃଦ୍‌ରୋଗ, ହୃଦଶଲ୍ୟ, ସ୍ତ୍ରୀ-ପ୍ରସୂତି, ଫାର୍ମାକୋଲୋଜି, ବାୟୋକେମେଷ୍ଟ୍ରି, ଫିଜିକାଲ ମେଡିସିନକୁ ଯୋଗ୍ୟ ପ୍ରାର୍ଥୀ ନମିଳିବା ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe