ମୁଖ୍ୟମନ୍ତ୍ରୀ ବାଣ୍ଟିଲେଣି ୫୪୭ କୋଟି

Advertisment

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ୨୨ ହଜାର ପ୍ରକଳ୍ପ

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ୨୨ ହଜାର ପ୍ରକଳ୍ପ

ମୁଖ୍ୟମନ୍ତ୍ରୀ ବାଣ୍ଟିଲେଣି ୫୪୭ କୋଟି

ଭୁବନେଶ୍ୱର: ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇତିମଧ୍ୟରେ ୫୪୭ କୋଟି ଟଙ୍କା ବାଣ୍ଟି ସାରିଲେଣି। ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏହି ସୂଚନା ମିଳିଛି। ଏଥିସହିତ ରାଜ୍ୟର ପାଖାପାଖି ଏକ ତୃତୀୟାଂଶ ଅଞ୍ଚଳକୁ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଛୁଇଁଥିବା ଜଣାପଡିଛି। ଆଜି ପ୍ରକଳ୍ପ ଅନୁମୋଦନ ସଂପର୍କିତ ବୈଠକରେ ମୁଖ୍ୟମନ୍ତ୍ରୀ ସିଧାସଳଖ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ୬ଟି ବ୍ଲକର ୧୪୭ ପଞ୍ଚାୟତର ଉପସ୍ଥିତ ଲୋକଙ୍କ ସହତି କଥା ହୋଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ‘ଆପଣଙ୍କ ଗାଁର ଉନ୍ନତି ପାଇଁ ଆପଣମାନେ ପଠାଇଥିବା ପ୍ରକଳ୍ପକୁ ମୁଁ ମଞ୍ଜୁର କରିଛି। ଆପଣମାନେ ଖୁସି ତ?’ ଏହି ପ୍ରଶ୍ନର ଉତ୍ତରରେ ଉପସ୍ଥିତ ଗ୍ରାମବାସୀ ‘ହଁ’ ମାରିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ,‘ଏ ଟଙ୍କା ଆପଣମାନଙ୍କର, ଓଡ଼ିଶାବାସୀଙ୍କର। ଆପଣମାନେ ଭଲ କାମ କରନ୍ତୁ ଓ ଶୀଘ୍ର କାମ କରନ୍ତୁ।’ ଲୋକଙ୍କ ଦ୍ୱାରା ଓ ଲୋକଙ୍କ ପାଇଁ ହେଉଥିବା ଏହି କାର୍ଯ୍ୟକ୍ରମ ଗ୍ରାମାଞ୍ଚଳରେ ଭିତ୍ତିଭୂମି ବିକାଶକୁ ଆହୁରି ଦୃଢ କରିବ ବୋଲି ଶ୍ରୀ ପଟ୍ଟନାୟକ ଏହି ଅବସରରେ ଆଶା ପ୍ରକାଶ କରିଥିଲେ। ମାର୍ଚ୍ଚ ୫ ତାରିଖରେ ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପାଖାପାଖି ୪ମାସ ମଧ୍ୟରେ ଏହି କାର୍ଯ୍ୟକ୍ରମ ଜରିଆରେ ଅନୁମୋଦିତ ପ୍ରକଳ୍ପ ସଂଖ୍ୟା ୨୧ ହଜାର ୯୬୦କୁ ଛୁଇଁଛି। ଗଞ୍ଜାମର ଧରାକୋଟ ବ୍ଲକ ଥିଲା ୧୦୦ ତମ ବ୍ଲକ। ଏଥିସହିତ, ଗତ ୪ମାସ ମଧ୍ୟରେ ୧୦୧ଟି ବ୍ଲକକୁ ମୁଖ୍ୟମନ୍ତ୍ରୀ ଏହି ଯୋଜନାରେ ଅର୍ଥ ମଞ୍ଜୁର କରିଛନ୍ତି।

ଆଜି ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମ ଜରିଆରେ ୬ଟି ବ୍ଲକର ୧୪୭ଟି ପଞ୍ଚାୟତ ପାଇଁ ୧୪୧୯ଟି ପ୍ରକଳ୍ପରେ ମୋହର ଲଗାଇଥିଲେ। ଏହାର ମୂଲ୍ୟ ୩୪ କୋଟି ୪୫ଲକ୍ଷ ଟଙ୍କା ହେବ। ଏହି କ୍ରମରେ ତରଭା ବ୍ଲକର ୨୧ଟି ପଞ୍ଚାୟତ ପାଇଁ ୩ କୋଟି ୫୯ଲକ୍ଷରେ ୧୪୧ ପ୍ରକଳ୍ପ, ବସ୍ତା ବ୍ଲକର ୩୧ଟି ପଞ୍ଚାୟତ ପାଇଁ ୭.୧୫କୋଟିର ୩୨୩ଟି ପ୍ରକଳ୍ପ, ବଅଁରପାଳ ବ୍ଲକର ୩୫ଟି ପଞ୍ଚାୟତ ପାଇଁ ୮.୭୯ କୋଟି ଟଙ୍କାରେ ୩୧୭ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଥିଲା। ସେହିପରି ଆଗଲପୁର ବ୍ଲକର ୨୦ଟି ପଞ୍ଚାୟତ ପାଇଁ ୫.୨୫ କୋଟିରେ୨୬୨ଟି ପ୍ରକଳ୍ପ, ଧରାକୋଟ ବ୍ଲକର ୧୮ଟି ପଞ୍ଚାୟତ ପାଇଁ ୪.୫୦ କୋଟିରେ ୧୨୬ଟି ପ୍ରକଳ୍ପ ଓ ଝରିଗାଁ ବ୍ଲକର ୨୨ଟି ପଞ୍ଚାୟତ ପାଇଁ ୫ କୋଟି ୫୩ଲକ୍ଷ ଟଙ୍କାର ୨୫୦ଟି ପ୍ରକଳ୍ପକୁ ଅନୁମୋଦନ ମିଳିଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ରାଜ୍ୟ ସରକାର ଗାଁର ବିକାଶ ଉପରେ ଏବେ ଅଧିକ ଜୋର ଦେଉଛନ୍ତି। ଏହି କାର୍ଯ୍ୟକ୍ରମରେ ଥ୍ରି-ଟି (ଟ୍ରାନ୍‌ସପ୍ୟାରେନ୍‌ସି, ଟିମ୍‌ ଓ୍ଵାର୍କ ଓ ଟେକ୍ନୋଲୋଜି)ର ପ୍ରତିଫଳନ ଘଟିଛି। ଆଗରୁ ଗାଁକୁ ଆସୁଥିବା ବିଭିନ୍ନ ପ୍ରକଳ୍ପ ପାଇଁ କେତେ ଟଙ୍କା ଦିଆଯାଉଥିଲା, ତାହା ଲୋକେ ଜାଣିବାର ସୁଯୋଗ ନ ଥିଲା। ଏବେ କିନ୍ତୁ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ପ୍ରକଳ୍ପ ମଞ୍ଜୁର କରାଯାଉଛି। ଏହା ସ୍ୱଚ୍ଛତାର ପ୍ରତୀକ ବୋଲି ସରକାରଙ୍କ ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe