ମୃତକଙ୍କ ଶବ ସହିତ ସମ୍ପର୍କୀୟଙ୍କ ପରିବହନ ପାଇଁ ରାଜଧାନୀରେ ମାଗଣାରେ ୫୮ଟି ଆମ୍ବୁଲାନ୍ସ ସେବା

୧୦୮ ଆମ୍ବୁଲାନ୍‌ସ କର୍ମଚାରୀଙ୍କୁ ମିଳିବ ସ୍ବତନ୍ତ୍ର ଭତ୍ତା: ଡ୍ରାଇଭର, ଇଏମ୍‌ଟିଙ୍କୁ ୫ହଜାର ଓ ହେଲ୍‌ପରଙ୍କୁ ୩ହଜାର

ODISHA AGE

ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କର ଶବ ସହିତ ସମ୍ପର୍କୀୟଙ୍କ ପରିବହନ ପାଇଁ ବିଏମସି ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜଧାନୀରେ ୫୮ଟି ଆମ୍ବୁଲାନ୍ସ ନିୟୋଜିତ ହୋଇଛି। ଏଥିରେ ବିନା ମୂଲ୍ୟରେ ଏବଂ ଅନ୍ତିମ ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ମୃତକଙ୍କର ଶବ ସହିତ ସମ୍ପର୍କୀୟମାନେ ଯାଇପାରିବେ ବୋଲି ଜଣାଯାଇଚି। ଭୁବନେଶ୍ବର ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଏହି କାର୍ଯ୍ୟ ଲାଗି ନୋଡାଲ୍ ଅଧିକାରୀ ଭାବେ ଦାୟିତ୍ବ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତ ହୋଇ ଶତାଧିକ ଲୋକ ଭୁବନେଶ୍ବରର ବିଭିନ୍ନ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିବା ବେଳେ ଶତାଧିକ ମୃତଦେହ ମଧ୍ୟ ବିଭିନ୍ନ ଶବ ସଂରକ୍ଷଣ ଗୃହରେ ରଖାଯାଇଛି। ମୃତକ ଓ ଆହତଙ୍କ ପରିଜନମାନଙ୍କୁ ଏ ବାବଦରେ ସୂଚନା ଦେବା ସହ ସାହାଯ୍ୟ କରିବାକୁ ବିଏମ୍‌ସି ୨୪ ଘଣ୍ଟା ପ୍ରସ୍ତୁତ ରହିଛି। ୧୯୨୯ ହେଲ୍ପଲାଇନ୍‌ ନମ୍ବର ୨୪ ଘଣ୍ଟିଆ କାମ କରୁଥିବା ବେଳେ ଏହି ନମ୍ବରକୁ ‘ନାସନାଲ ଲେଭେଲ୍‌ ଡାଏଲିଂ ଫାସିଲିଟି’ ସୁବିଧା କରାଯାଇଛି। ୧୯୨୯ ସହ ଅନ୍ୟ ଏକ ଟୋଲ୍‌-ଫ୍ରି’ ନମ୍ବର ୧୮୦୦୩୪୫୦୦୬୧କୁ ମଧ୍ୟ ଦେଶର ଯେକୌଣସି ସ୍ଥାନରୁ ମାଗଣାରେ ଡାଏଲ୍‌ କରିହେବ। ଫଳରେ ସମ୍ପର୍କୀୟମାନେ ଅନ୍ୟ ରାଜ୍ୟରେ ଥାଇ ବିଏମ୍‌ସି ସହ ଯୋଗାଯୋଗ କରି ଆହତ ଓ ମୃତକଙ୍କ ବାବଦରେ ତଥ୍ୟ ସଂଗ୍ରହ କରିପାରିବେ।

ଏହା ବ୍ୟତୀତ ବିଏମ୍‌ସି ନିଜ ୱେବ୍‌ସାଇଟ୍‌ (www.bmc.gov.in)ରେ ଆହତଙ୍କ ସବିଶେଷ ବିବରଣୀ ଓ ମୃତକଙ୍କ ଫଟୋ ଅପ୍‌ଲୋଡ୍‌ କରିଛି। ଫଳରେ ସମ୍ପର୍କୀୟମାନେ ଏହି ତଥ୍ୟରୁ ଚିହ୍ନଟ କରି ଭୁବନେଶ୍ବରରେ ପହଞ୍ଚିବା ପରେ ବିଏମ୍‌ସି ସେମାନଙ୍କୁ ସମସ୍ତ ସହଯୋଗ ଯୋଗାଇ ଦେବ। ବିଏମ୍‌ସି କାର୍ଯ୍ୟାଳୟ ତଥା ବିଏମ୍‌ସି-ଆଇସିଓଏମ୍‌ସି ଟାୱାରରେ ଏକ ‘ମୋ ବସ୍‌’ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ସମ୍ପର୍କୀୟମାନଙ୍କୁ ବିଭିନ୍ନ ଡାକ୍ତରଖାନାକୁ ଏହି ବସ୍‌ ଯୋଗେ ନିଆଯିବାକୁ ଯୋଜନା ରହିଛି।

୨୪ଘଣ୍ଟିଆ ନିୟନ୍ତ୍ରଣ କକ୍ଷରେ ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ଭାଷାରେ ସୂଚନା ପ୍ରଦାନ କରାଯାଉଛି। ଗତ ୧୨ ଘଣ୍ଟା ମଧ୍ୟରେ ୨୦୦ରୁ ଊର୍ଦ୍ଧ୍ବ କଲ୍ ଆସିଛି ଓ ସହାୟତା ପ୍ରଦାନ କରାଯାଇଛି। ଏକ ସମୟରେ ପାଞ୍ଚ ଅପରେଟର ଫୋନ୍‌ କଲ୍‌ର ଉତ୍ତର ଦେଇ ପାରୁଛନ୍ତି। ସହରର ବିଭିନ୍ନ ହସ୍‌ପିଟାଲ୍‌ରେ ୧୮୦ ଶବ ରଖାଯାଇଥିବା ବେଳେ ଶହେରୁ ଊର୍ଦ୍ଧ୍ବ ବିଭିନ୍ନ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କୁ ଚିହ୍ନଟ କରିବାକୁ ଆସୁଥିବା ସମ୍ପର୍କୀୟଙ୍କୁ ସବିଶେଷ ସୂଚନା ପ୍ରଦାନ କରାଯାଉଛି। ଏହି ବ୍ୟବସ୍ଥାକୁ ଶୃଙ୍ଖଳିତ ତଥା ବ୍ୟବସ୍ଥିତ କରିବାକୁ ବିଏମ୍‌ସିର ବରି‌ଷ୍ଠ ଅଧିକାରୀମାନେ ଦାୟିତ୍ବରେ ରହିଛନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe