ଛାତ୍ରଙ୍କୁ ସଫଳତାର ସୂତ୍ର ବତାଇଲେ ୫ଟି ଅଧ୍ୟକ୍ଷ; ମେଡିକାଲ୍‌ କଲେଜ୍‌ ଭିତ୍ତିଭୂମି, ବାଇପାସ୍‌ର ଅଗ୍ରଗତି ସମୀକ୍ଷା

Advertisment
ଛାତ୍ରଙ୍କୁ ସଫଳତାର ସୂତ୍ର ବତାଇଲେ ୫ଟି ଅଧ୍ୟକ୍ଷ; ମେଡିକାଲ୍‌ କଲେଜ୍‌ ଭିତ୍ତିଭୂମି, ବାଇପାସ୍‌ର ଅଗ୍ରଗତି ସମୀକ୍ଷା

ବଲାଙ୍ଗୀର/କଣ୍ଟାବାଞ୍ଜି/ସଇନ୍ତଲା: ନବୀନ ଓଡ଼ିଶା ଏବଂ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍‌ ଗୁରୁବାର ଦିନିକିଆ ବଲାଙ୍ଗୀର ଜିଲ୍ଲା ଗସ୍ତ କରିଛନ୍ତି। ପ୍ରଥମେ ସେ ଷ୍ଟାଡିଅମ୍‌ରେ ଅନୁଷ୍ଠିତ ନୂଆ-ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ। ଶ୍ରୀ ପାଣ୍ଡିଆନ୍‌ ଏହି ଅବସରରେ ପିଲାଙ୍କୁ ସଫଳତାର ସୂତ୍ର ବତାଇଥିଲେ। ପାଠ୍ୟପୁସ୍ତକ ଜରିଆରେ ଜଣେ ପିଲା କେବଳ ଗୋଟିଏ ସ୍ତରକୁ ପହଞ୍ଚିଥାଏ। କିନ୍ତୁ ସାମୂହିକ ବ୍ୟକ୍ତିତ୍ବର ବିକାଶ ହିଁ ସଫଳତାର ମାପକାଠି ବୋଲି ସେ କହିଥିଲେ। ସେ ଆହୁରି କହିଲେ, ନୂଆ-ଓ କାର୍ଯ୍ୟକ୍ରମ ପିଲାଙ୍କ ସବୁ ଦୃଷ୍ଟିକୋଣରୁ ବିକଶିତ କରିବା ପାଇଁ ଉଦ୍ଦିଷ୍ଟ। ପିଲାଙ୍କ ଅନ୍ତଃର୍ନିହିତ ପ୍ରତିଭାର ବିକାଶ ପାଇଁ ପରିକଳ୍ପନା କରାଯାଇଛି। ତେବେ କଠିନ ପରିଶ୍ରମ ହିଁ ସଫଳତାର ଏକମାତ୍ର ବିକଳ୍ପ ବୋଲି ସେ କହିଥିଲେ। ନିଜ ସଂକ୍ଷିପ୍ତ ବକ୍ତବ୍ୟରେ ସେ ଅବିଭକ୍ତ ବଲାଙ୍ଗୀର ଜିଲ୍ଲାରେ ଜନ୍ମିତ ଉଦ୍ୟୋଗୀ ସୁବ୍ରତ ବାଗ୍‌ଚୀ, ସି‌ନେ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା, ପୁଲିସ୍‌ ଡିଜି ଅରୁଣ ଷଡ଼ଙ୍ଗୀ, ପାରା ଅଲିମ୍ପିକ୍ ପାଇଁ ପ୍ରସ୍ତୁତି ଚଳାଇଥିବା ପାୟଲ, ଜଷ୍ଟିସ୍‌ ସଞ୍ଜୟ ମିଶ୍ରଙ୍କ ଉଦାହରଣ ରଖିଥିଲେ। ଏହା ପରେ ଶ୍ରୀ ପାଣ୍ଡିଆନ୍‌ ୩୦୫ କୋଟି ଟଙ୍କା ଅଟକଳରେ ୬୫୦ ଶଯ୍ୟା ବିଶିଷ୍ଟ ଭୀମଭୋଇ ମେଡିକାଲ୍‌ କଲେଜ୍‌ରେ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ଏହାସହ ୧୭୬ କୋଟି ଟଙ୍କାରେ ନିର୍ମାଣାଧୀନ ବଲାଙ୍ଗୀର ବାଇପାସ୍‌, ୬୫କୋଟି ଟଙ୍କାରେ ବିକଶିତ ହେବାକୁ ଥିବା ତୁଷୁରା ଏୟାରଷ୍ଟ୍ରିପ୍‌ ସମେତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ପରେ କଣ୍ଟାବାଞ୍ଜି କେଭି କଲେଜ୍‌ ପଡ଼ିଆରେ ଆୟୋଜିତ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପାଣ୍ଡିଆନ କହିଲେ ଯେ, ‘ଗତ ଜୁଲାଇ ୨୦ ତାରିଖ ବଙ୍ଗୋମୁଣ୍ଡା ବ୍ଲକକୁ ଆସି ସେ ସମସ୍ତଙ୍କ ଅଭିଯୋଗ ଶୁଣିଥିଲି। ସେତେବେଳେ ମିଳିଥିବା ୮୪୦ଟି ଦରଖାସ୍ତ ମଧ୍ୟରୁ ୮ଶହଟିର ସମାଧାନ ହୋଇସାରିଛି। ଅବଶିଷ୍ଟ ୪୦ଟି ଦରଖାସ୍ତର ଶୀଘ୍ର ସମାଧାନ ହେବ ବୋଲି କହିଥିଲେ। ଗତ ୬ ମାସ ମଧ୍ୟରେ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀ ପାଇଁ ମୁଖ୍ୟମନ୍ତ୍ରୀ ୬୦ କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପ ପାଇଁ ମଞ୍ଜୁର କରିଥିବା କହିଥିଲେ। ଏଥିରେ ରାଣୀପୁର ଝରିଆଲ ମନ୍ଦିରର ଉନ୍ନତୀକରଣ, ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି କଲେଜ ଓ ମୁରିବାହାଲ କଲେଜ ତଥା କଣ୍ଟାବାଞ୍ଜି କେଭି କଲେଜ୍‌ର ଉନ୍ନତୀକରଣ ପାଇଁ ଅନୁଦାନ ଦିଆଯାଇଛି। ଏହାଛଡ଼ା ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ୩୩ କୋଟି ୫୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ଅନୁଦାନ ଦେଇଥିବା କହିଥିଲେ। ଏଥିସହ ସମସ୍ତଙ୍କୁ ବିଜୁ ସ୍ୱାସ୍ଥ୍ୟକାର୍ଡରେ ସାମିଲ କରାଯିବ ବୋଲି କହିଥିଲେ। ବଲାଙ୍ଗୀର ଜିଲ୍ଲାର ସମସ୍ତ ପଞ୍ଚାୟତକୁ ଲକ୍ଷ୍ମୀ ବସ୍ ପହଞ୍ଚିବ। ଏନେଇ ମଧ୍ୟ ପ୍ରସ୍ତୁତି ସରିଛି ବୋଲି ଶ୍ରୀ ପାଣ୍ଡିଆନ୍ କହିଥିଲେ। କାର୍ଯ୍ୟକ୍ରମରେ ପୂର୍ବ ସାଂସଦ କଳିକେଶ ନାରାୟଣ ସିଂହଦେଓ, ପୂର୍ବ ବିଧାୟକ ଆୟୁବ ଖାନ, ବରିଷ୍ଠ ବିଜେଡି ନେତା ଅଜୟ ଦାସ, ଯୁବନେତା ଗିରିରାଜ ସିଂହ ମାଝୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ନିରୁପମା ମାଝୀ, ଅମଜତ୍ ଖାନ, ଫିରୋଜ ଖାନ, ହଂସରାଜ ଜୈନ, ରାଜେନ୍ଦ୍ର ବେହେରା, ରାଜ୍ୟ ଯୁବ ବିଜେଡି ସଂପାଦକ ଅଜିତ ଯୋଷୀ, ପିଙ୍କି ଖର୍ସେଲ ପ୍ରମୁଖ ଉପସ୍ଥିତ ଥିଲେ।

publive-image

ଅପରାହ୍ନରେ ସଇନ୍ତଲା ରେଳ ଷ୍ଟେସନ ନିକଟ ରାଜେନ୍ଦ୍ର ନାରାୟଣ ସିଂଦେଓ ଷ୍ଟାଡିୟମରେ ଆୟୋଜିତ ସଭାରେ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ପାଣ୍ଡିଆନ୍‌ ଟିଟିଲାଗଡ଼ ନିର୍ବାଚନମଣ୍ତଳୀରେ ୧୫୦୦ କୋଟି ଟଙ୍କାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଗୁଡ଼ିକର କାମ ହେଉଥିବା ସୂଚନା ଦେଇଥିଲେ। ସେହିପରି ସଇନ୍ତଲାଠାରେ ସବ୍‌-ରେଜଷ୍ଟ୍ରି ଅଫିସ ଓ ସବ-ଟ୍ରେଜେରି ଅଫିସ୍‌ ପ୍ରତିଷ୍ଠାରେ ବିଳମ୍ବ ହୋଇପାରେ, କିନ୍ତୁ ପଞ୍ଚାୟତ ବୈଠକରେ ପ୍ରସ୍ତାବ ଗୃହୀତ କରି ପଠାଇଲେ ସଇନ୍ତଲାକୁ ତୁରନ୍ତ ଏନ୍‌ଏସି ଘୋଷଣା କରାଯିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ। ଏହି ସଭାରେ ମନ୍ତ୍ରୀ ଟୁକୁନୀ ସାହୁ, ବିରିଷ୍ଠ ନେତା ବବି ଦାଶ, ଜିଲ୍ଲା ବିଜେଡି ଉପ ସଭାପତି ସୁରେନ୍ଦ୍ର ସାହୁ, ସଇନ୍ତଲା ସରପଞ୍ଚ ସୁବ୍ରତ ନାଗ, ବିବନା ସରପଞ୍ଚ ପୁରୁଷୋତ୍ତମ କଲତା, ଡୁଙ୍ଗୁରିପାଲି ସରପଞ୍ଚ ଗଜପତି ସାହୁ, ଗଣ୍ତପତ୍ରାପାଲି ସରପଞ୍ଚ ମନିଷ ସୁନା, ଜିଲ୍ଲା ପରିଷଦ ସଦସ୍ୟ ହୀମାଞ୍ଚଳ ବୁଡ଼େକ, ରୀତାରାଣୀ ହାତୀ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe