ଆଜି ୫-ଟି ସଚିବଙ୍କ ବାଲେଶ୍ବର ଗସ୍ତ: ବିଜେପି, କଂଗ୍ରେସ ଗର୍ଜିଲେ

Advertisment
କଳାମଣ୍ଡଳ ସମ୍ମିଳନୀ କେନ୍ଦ୍ର ନିର୍ମାଣ କାମର ଅଗ୍ରଗତି ସମୀକ୍ଷା କଲେ ୫ଟି ଅଧ୍ୟକ୍ଷ, ଚାରି ମାସ ମଧ୍ୟରେ କାମ ଶେଷ କରିବାକୁ ନିର୍ଦ୍ଦେଶ

kalinga TV

ବାଲେଶ୍ବର/ବସ୍ତା-୨/ଗାନ୍ଧିଛକ : ଆଜି ୫-ଟି ସଚିବ ଭିକେ ପାଣ୍ଡିଆନ୍‌ ଦୁଇଦିନିଆ ବାଲେଶ୍ବର ଗସ୍ତରେ ଆସୁଛନ୍ତି। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଶାସକ ଦଳର ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ତତ୍ପର ହୋଇଉଠିଛନ୍ତି। ତେବେ, ତାଙ୍କର ଗସ୍ତ କାର୍ଯ୍ୟକ୍ରମକୁ ବିଜେପି ଓ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି।

ସଚିବଙ୍କ ଗସ୍ତ ଚୂଡ଼ାନ୍ତ ହେବାପରେ ପଞ୍ଚାୟତ ଓ ବ୍ଲକ୍‌ ସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ପ୍ରତିଦିନ ବିରୋଧୀଦଳ ପକ୍ଷରୁ ବୈଠକ କରାଯାଉଛି। ଆଜି ଦୁଇ ପ୍ରମୁଖ ବିରୋଧୀଦଳ ବିଜେପି ଓ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ ଡାକି ୫-ଟି ସଚିବଙ୍କ ଗସ୍ତକାର୍ଯ୍ୟକ୍ରମକୁ ବିରୋଧ କରିଥିଲେ। ଜଳେଶ୍ୱର ନିର୍ବାଚନମଣ୍ଡଳୀ ବିଜେପି ପକ୍ଷରୁ ୧୬ ନମ୍ବର ଜାତୀୟ ରାଜପଥର ମଧୁବନ ହୋଟେଲ ସମ୍ମିଳନୀ କକ୍ଷରେ ବି ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଓ ଯୁବନେତା ଦିବ୍ୟକାମ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନୋଜ ସାସମଲ, ସିଦ୍ଧେଶ୍ୱର ପଣ୍ଡା, ପ୍ରତାପ ସେନାପତି, ପ୍ରଣବ ପଣ୍ଡା, ଜ୍ୟୋତିର୍ମୟ ନନ୍ଦ, ସଞ୍ଜୀବ ରାଉତ, ସତ୍ୟବାନ ଚାନ୍ଦ ଯୋଗଦେଇ ସଚିବଙ୍କ ଗସ୍ତ ଜିଲ୍ଲାବାସୀଙ୍କ ପାଇଁ ପ୍ରହସନ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ବଦଳରେ ସଚିବଙ୍କ ବ୍ୟୟବହୁଳ ଗସ୍ତ ଓଡ଼ିଶାର ସଚେତନ ଜନତାଙ୍କ ପାଇଁ ଅପମାନ ସଦୃଶ ବୋଲି ମତ ଦେଇଥିଲେ।

ସେହିପରି, ବାହାର୍ଦ୍ଦ‌ାସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ବସ୍ତା ବ୍ଲକ୍ କଂଗ୍ରେସ ସଭାପତି ସତ୍ୟନାରାୟଣ ଗୁପ୍ତା ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା କଂଗ୍ରେସ କମିଟିର ସମ୍ପାଦକ ସୁଧାଂଶୁ ଶେଖର ଜେନା, ବସ୍ତା କଂଗ୍ରେସ ନେତା ବିଜନ ନାୟକ, ପୂର୍ବତନ ସରପଞ୍ଚ ରବୀନ୍ଦ୍ର ଦାସ, ଜୟନ୍ତ ମହାପାତ୍ର, ମନୋଜ ମହାନ୍ତି, ଅନିଲ ମହାପାତ୍ର ପ୍ରମୁଖ ଯୋଗଦେଇ ସଚିବଙ୍କ ଗସ୍ତକାର୍ଯ୍ୟକ୍ରମକୁ ସମାଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe