ସୁଆଣ୍ଡୋ କେବଳ ଏକ ପର୍ଯ୍ୟଟନସ୍ଥଳୀ ନୁହେଁ, ଜ୍ଞାନର କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ହୋଇଛି: ୫-ଟି ସଚିବ

ଉତ୍କଳମଣିଙ୍କ ଜନ୍ମପୀଠରେ ବିକାଶମୂଳକ କାର୍ଯ୍ୟ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ

ସୁଆଣ୍ଡୋ କେବଳ ଏକ ପର୍ଯ୍ୟଟନସ୍ଥଳୀ ନୁହେଁ, ଜ୍ଞାନର କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ହୋଇଛି: ୫-ଟି ସଚିବ

ଭୁବନେଶ୍ୱର: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓଡ଼ିଆ ଜାତିର ଗର୍ବ ଓ ଗୌରବ। ଓଡ଼ିଆ ଜାତି ପାଇଁ ତାଙ୍କ ତ୍ୟାଗକୁ ଏ ଜାତି କେବେ ଭୁଲି ପାରିବ ନାହିଁ। ତାଙ୍କ ଜନ୍ମସ୍ଥାନ ପ୍ରତି ଓଡ଼ିଆଙ୍କ ପାଇଁ ତୀର୍ଥ କ୍ଷେତ୍ର। ଗୋପବନ୍ଧୁଙ୍କ ଜନ୍ମପୀଠ ପୁରୀ ଜିଲ୍ଲା ସୁଆଣ୍ଡୋ ଗ୍ରାମକୁ କେବଳ ଏକ ପର୍ଯ୍ୟଟନ ସ୍ଥଳୀ ନୁହେଁ। ଏହା ଏକ ଜ୍ଞାନର କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କାମ ଆରମ୍ଭ ହୋଇଛି। ଉତ୍କଳମଣିଙ୍କ ତ୍ୟାଗପୁତ ଜୀବନ ଓ ଆଦର୍ଶର ପ୍ରଚାର ପ୍ରସାରରେ ମଧ୍ୟ ସହାୟକ ହେବ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ଗୋପବନ୍ଧୁଙ୍କ ଜନ୍ମପୀଠର ବିକାଶ ଯୋଜନାକୁ ଅନୁମୋଦନ କରିଛନ୍ତି। ଗୋପବନ୍ଧୁଙ୍କ ଜନ୍ମପୀଠର ବିକାଶ ସେ ଅଞ୍ଚଳର ଜନସାଧାରଣଙ୍କ ବହୁଦିନର ଦାବି ଥିଲା। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି କାର୍ତ୍ତିକେୟ ପାଣ୍ଡିଆନ ଆଜି ସୁଆଣ୍ଡୋ ଯାଇ ସେଠାରେ ଚାଲିଥିବା ବିକାଶମୂଳକ କାମ ବୁଲି ଦେଖିଥିଲେ।ପ୍ରଥମେ ଶ୍ରୀ ପାଣ୍ଡିଆନ ଗୋପବନ୍ଧୁଙ୍କ ସଠି ଘରକୁ ଯାଇ ସେଠାରେ ଉତ୍କଳମଣିଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରିଥିଲେ ଏବଂ ଗୋପବନ୍ଧୁଙ୍କ ଦାୟାଦମାନଙ୍କୁ ଭେଟି ସ୍ମୁତିପୀଠ ବିଷୟରେ ଆଲୋଚନା କରିଥିଲେ। ଉତ୍କଳମଣିଙ୍କ ଜନ୍ମପୀଠର ବିକାଶ ପାଇଁ ସରକାରଙ୍କ ପଦକ୍ଷେପର ସେମାନେ ଉଚ୍ଚ ପ୍ରଶଂସା କରିଥିଲେ।

publive-image

ରାଜ୍ୟସରକାରଙ୍କ ପକ୍ଷରୁ ଏହାର ପୁନଃରୁଦ୍ଧାର କାର୍ଯ୍ୟ ହାତକୁ ନିଆଯିବା ସହ ଦ୍ରୁତ ଗତିରେ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଶିବ ମନ୍ଦିର, ଦୁଇଟି ପୋଖରୀ, ପୈତୃକ ବାସଗୃହ, ଗ୍ରାମକୁ ଉନ୍ନତ ରାସ୍ତା, ପରିକ୍ରମା ରାସ୍ତା, ପାର୍କ, ସଂଗ୍ରହାଳୟର ନିର୍ମାଣ କାର୍ଯ୍ୟକୁ ଆଜି ୫ଟି ସଚିବ ବୁଲି ଦେଖିଥିବା ବେଳେ ଦୁଇରୁ ତିନିମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ। ସୁଆଣ୍ଡୋରେ ନିର୍ମାଣ ହେଉଥିବା ପାର୍କିଙ୍ଗ ପ୍ଲେସ, ରିସେପସନ ସେଣ୍ଟର ତଥା ମନ୍ଦିରର ନିର୍ମାଣ କାର୍ଯ୍ୟକୁ ଶ୍ରୀ ପାଣ୍ଡିଆନ ବୁଲି ଦେଖିବା ସହ ଗୋପବନ୍ଧୁଙ୍କ ସ୍ମୃତି ବହନ କରୁଥିବା ବିଭିନ୍ନ ସାମଗ୍ରୀକୁ ନେଇ ସଂଗ୍ରହାଳୟ ଏବଂ ପୋଖରୀ ଆଦିରେ ଚାଲିଥିବା ବିକାଶ କାମ ଅନୁଧ୍ୟାନ କରିଛନ୍ତି। ବିଶେଷ କରି ସୁଆଣ୍ଡୋରେ ଗୋପବନ୍ଧୁଙ୍କ ପନ୍ଦର ଫୁଟ ଉଚ୍ଚର ଏକ ବ୍ରୋଞ୍ଚ ପ୍ରତିମୂର୍ତ୍ତି ସ୍ଥାପନ ନେଇ ସେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ।

ପ୍ରାୟ ୨୪କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଥିବା ଏହି ସମସ୍ତ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ଏବଂ ସୁଚାରୁ ରୂପେ ଶେଷ କରିବା ନେଇ ଲକ୍ଷ୍ୟ ରଖାଯାଇଛି ଓ ଏ ଦିଗରେ ଗ୍ରାମବାସୀଙ୍କ ସହଯୋଗ ମଧ୍ୟ କାମନା କରାଯାଇଥିଲା। ତେବେ ଦୀର୍ଘ ୫୦ବର୍ଷ ପରେ ସୁଆଣ୍ଡୋ ଗ୍ରାମର ଏଭଳି ଉନ୍ନତି କରଣ କାର୍ଯ୍ୟ କରାଯାଉଥିବା ନେଇ ସୁଆଣ୍ଡୋବାସୀ ବେଶ ଗୌରାବାନ୍ୱିତ ମନେ କରିଥିବା ବେଳେ ସରକାରଙ୍କ ଏଭଳି ପ୍ରଚେଷ୍ଟାକୁ ସାଧୁବାଦ ଜଣାଇଛନ୍ତି। ଏହି ଗସ୍ତ ଅବସରରେ ପୁରୀ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe