ଦୁଇଦିନିଆ ଜଗତସିଂହପୁର ଗସ୍ତରେ ୫–ଟି ସଚିବ

Advertisment
ଦୁଇଦିନିଆ ଜଗତସିଂହପୁର ଗସ୍ତରେ ୫–ଟି ସଚିବ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ୫–ଟି ସଚିବ ଭି. କେ. ପାଣ୍ଡିଆନ। ଏହାସହ ବିଭିନ୍ନ ସରକାରୀ ପ୍ରକଳ୍ପ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ସହିତ ଆଲୋଚନା କରିଛନ୍ତି। ସେମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଆଜି ପ୍ରଥମେ ୫–ଟି ସଚିବ ଏରସମା ବ୍ଲକ୍‌ର ଶିଆଳି ସମୁଦ୍ର ବେଳାଭୂମି ପରିଦର୍ଶନ କରିବା ସହ ଅଗ୍ରାଧିକାର ଭିତ୍ତିରେ ଲୁଣାବନ୍ଧ ସୁରକ୍ଷା ଓ ବିକାଶ ପ୍ରକଳ୍ପ ହାତକୁ ନିଆଯିବ ବୋଲି କହିଥିଲେ। ତିନି ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୪ଟି ବ୍ଲକ୍‌ର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ନିମନ୍ତେ ୪୭୮ କୋଟି ଟଙ୍କା ବ୍ୟୟରେ ଏକ ବୃହତ୍ତ ପ୍ରକଳ୍ପ ନିର୍ମାଣ କରାଯିବ ବୋଲି ପ୍ରକାଶ କରିବା ସହ ଖୁବ୍‌ଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ଦେଇଥିଲେ। ପରେ ପାରାଦୀପର ବିଜୁ କନଭେନସନ ସେଣ୍ଟରରେ ପହଞ୍ଚି ପୌରପାଳିକାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କ ସହ ଆଲୋଚନା କରିଥିଲେ। କୁଜଙ୍ଗ ବ୍ଲକ୍ ଫତେପୁରଠାରେ ଥିବା ଜୀବନ‌ଜ୍ୟୋତି ଟେରାକୋଟା ଉତ୍ପାଦକ ଗ୍ରୁପ୍ ସଦସ୍ୟମାନଙ୍କ ସହ ଆଲୋଚନା କରି ଏହାର ବିକାଶ ନିମନ୍ତେ ପ୍ରସ୍ତାବ ଦେଇଥିଲେ।

ଶ୍ରୀ ପାଣ୍ଡିଆନ ଜଗତସିଂହପୁରରେ ନବକୃଷ୍ଣ ଷ୍ଟାଡିୟମରେ ପହଞ୍ଚି ଲୋକମାନଙ୍କର ଆପତ୍ତି ଅଭିଯୋଗ ଶୁଣିଥିଲେ। ଏହାସହ ଏସଭିଏମ୍ କଲେଜ ପଡ଼ିଆରେ ଜିଲ୍ଲାର ସମସ୍ତ ଡିଗ୍ରି କଲେଜ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସଂସ୍କୃତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ୫-ଟି ରୂପାନ୍ତରଣରେ ଜିଲ୍ଲାରେ ୭୦ଟି ଡିଗ୍ରି କଲେଜ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସଂସ୍କୃତ କଲେଜ ପାଇଁ ମୋଟ୍ ୩୨ କୋଟି ୫୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ଅନୁ ମୋଦନ କରିଥିବା ସେ ସୂଚନା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ତଥା କ୍ରୀଡ଼ା ଓ ଯୁବକ ବ୍ୟାପାର ସଚିବ ଆର ଭିନିଲ କ୍ରିଷ୍ଣା, ଜିଲ୍ଲାପାଳ ପାରୁଲ ପଟାୱରୀ ଓ ଆରକ୍ଷୀ ଅଧୀକ୍ଷକ ରାହୁଲ ପିଆର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe