ନୂଆପଡ଼ା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଦିନିକିଆ ନୂଆପଡ଼ା ଗସ୍ତରେ ଆସିଛନ୍ତି। ମାଓପ୍ରବଣ ଅଞ୍ଚଳକୁ ଯାଇ ଚକୋଟିଆ ଭୁଞ୍ଜିଆ ସଂପ୍ରଦାୟ ଲୋକଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଛନ୍ତି। ଏଥିସହିତ, ଜିଲ୍ଲାର ୩୦ଟି କଲେଜ ପାଇଁ ୧୪କୋଟିର ଅନୁଦାନ ଘୋଷଣା କରିଛନ୍ତି।
ସଚିବ ଶ୍ରୀ ପାଣ୍ଡିଆନ ରବିବାର କଳାହାଣ୍ଡି ଗସ୍ତ ସାରି ସକାଳ ୮ଟାରେ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ରେ ପହଞ୍ଚିଥିଲେ। ସିନାପାଲି ବ୍ଲକ୍ ଗଡ଼ରାମାଲ ଯାଇ ଉଦନ୍ତୀ ନଦୀକୂଳରେ ନିର୍ମିତ ମେଗା ଜଳସେଚନ ପ୍ରକଳ୍ପ ଉଦ୍ଘାଟନ କରିଥିଲେ। ପରେ ବୋଡ଼େନ ବ୍ଲକର ଲିଟିସର୍ଗିଠାରେ ରୂପାନ୍ତରଣ ପ୍ରକ୍ରିୟାରେ ସାମିଲ ହୋଇଥିବା ସ୍କୁଲ୍ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ବୋଡ଼େନର ପ୍ରସିଦ୍ଧ ତୀର୍ଥସ୍ଥଳ ପାତାଳଗଙ୍ଗା ଓ ଦୁର୍ଗ ମନ୍ଦିରର ସୌନ୍ଦର୍ଯ୍ୟୀକରଣ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ।
ଏଥିସହିତ, ଶ୍ରୀ ପାଣ୍ଡିଆନ ମାଓପ୍ରବଣ ଅଞ୍ଚଳ ସୁନାବେଡ଼ାକୁ ହେଲିକପ୍ଟରରେ ଯାଇଥିଲେ। ପ୍ରସିଦ୍ଧ ସୁନାଦେଇ ମନ୍ଦିର ଦର୍ଶନ କରିବା ସହ ଚକୋଟିଆ ଭୁଞ୍ଜିଆ ସଂପ୍ରଦାୟ ଲୋକଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। ଚଳିତବର୍ଷ ଶେଷସୁଦ୍ଧା ସୁନାଦେଇ ମନ୍ଦିର ନୂଆ ରୂପ ନେବ ବୋଲି ପ୍ରତିଶ୍ରୁତି ଦେବାସହ ଏନେଇ ୧୫ ଦିନ ମଧ୍ୟରେ ଡିପିଆର୍ ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଥିଲେ। ସେହିପରି ସୁନାବେଡ଼ାବାସୀଙ୍କ ଦୁଃଖ ଗମନାଗମନ ପାଇଁ ଘାଟି ରାସ୍ତା ଖୁବ୍ଶୀଘ୍ର ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ୫ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ମୁଖ୍ୟମନ୍ତ୍ରୀ ମଞ୍ଜୁର କଲେ କାମ ଆରମ୍ଭ ହେବ ବୋଲି କହିଥିଲେ। ପରେ ସିଲଧାରେ ମିସନ ଶକ୍ତି ସଦସ୍ୟାଙ୍କ ସହ ଆଲୋଚନା କରିଥିଲେ। ନୂଆପଡ଼ାରେ ୯ କୋଟି ବ୍ୟୟରେ ନିର୍ମାଣ ଚାଲିଥିବା ନୂଆ ବସ୍ଷ୍ଟାଣ୍ଡ ପରିଦର୍ଶନ କରିଥିଲେ।
ନୂଆପଡ଼ା ନ୍ୟାସନାଲ କଲେଜରେ ସାଧାରଣ ଅଭିଯୋଗ ଶୁଣାଣିରେ ଯୋଗଦାନ କରି ବିଭିନ୍ନ ସଂଗଠନ ପକ୍ଷରୁ ଦାବିପତ୍ର ଗ୍ରହଣ କରିଥିଲେ। କଲେଜର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାରେ ରହିଥିବା ୩୦ଟି କଲେଜର ଉନ୍ନତୀକରଣ ପାଇଁ ୧୪ କୋଟି ଟଙ୍କା ଅନୁଦାନ ଘୋଷଣା କରିଥିଲେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ଗତକାଲି କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର, କଲମପୁର, କୋକସରା ଓ ଧର୍ମଗଡ଼ ବ୍ଲକ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ତଦାରଖ କରିଥିଲେ। ଭବାନୀପାଟଣାରେ ସେ ପିପଳନାଳା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ବୁଲି ଏହାର ଉନ୍ନତି ପାଇଁ ଲୋକଙ୍କ ସହ ଆଲୋଚନା କରିଥିଲେ।
Follow Us