ବଦଳିବ ଭିତରକନିକା ଓ ତାଳସାରିର ରୂପ

Advertisment

ସମୀକ୍ଷା ସହ ଭିତ୍ତିଭୂମି ପରଖିଲେ ମୁଖ୍ୟଶାସନ ସଚିବ, ୫-ଟି ସଚିବ

ସମୀକ୍ଷା ସହ ଭିତ୍ତିଭୂମି ପରଖିଲେ ମୁଖ୍ୟଶାସନ ସଚିବ, ୫-ଟି ସଚିବ

ବଦଳିବ ଭିତରକନିକା ଓ ତାଳସାରିର ରୂପ

କେନ୍ଦ୍ରାପଡ଼ା/ରାଜନଗର/ଭୋଗରାଇ : ରାଜ୍ୟର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ତାଳସାରି ଓ ଉଦୟପୁର ବେଳାଭୂମିର ବିକାଶ ହେବ। ସେହିଭଳି, ଭାରତ ପ୍ରସିଦ୍ଧ ଭିତରକନିକାର ରୂପରେଖ ବଦଳିବ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଭିତ୍ତିଭୂମିର ବିକାଶ କରାଯିବ। ଆଜି ଉଭୟ ସ୍ଥାନକୁ ଗସ୍ତ କରି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ୫-ଟି ସଚିବ ଭି‌.କେ. ପାଣ୍ଡିଆନ୍‌ଙ୍କ ସମେତ ବରିଷ୍ଠ ଅଧିକାରୀ ଏ ନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଉଭୟ ପର୍ଯ୍ୟଟନସ୍ଥଳୀ ପାଇଁ ଖୁବ୍‌ଶୀଘ୍ର ବଡ଼ ପ୍ୟାକେଜ୍‌ ଘୋଷଣା କରାଯିବ ବୋଲି ଅନୁମାନ କରାଯାଉଛି।

ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଓ ୫-ଟି ସଚିବ ଭି.କେ.ପାଣ୍ଡିଆନ୍‌ଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ତାଳସାରି ଓ ଉଦୟପୁର ବେଳାଭୂମି ବୁଲି ସ୍ଥିତି ପରଖିଥିଲେ। ପୂର୍ବାହ୍ନ ସାଢ଼େ ୧୦ଟାରେ ହେଲିକେପ୍ଟର ଯୋଗେ ଏହି ଟିମ୍‌ ବିନ୍ଧାପଦ୍ମପୁର ହେଲିପ୍ୟାଡ୍‌ରେ ଓହ୍ଲାଇବା ପରେ ସେଠାରୁ ଗାଡ଼ି ଯୋଗେ ସିଧା ତାଳସାରି ବେଳାଭୂମିକୁ ଯାଇଥିଲେ। ବେଳାଭୂମିରେ ଜଳସମ୍ପଦ ବିଭାଗ ପକ୍ଷରୁ ୫ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ତାଳସାରି-ଉଦୟପୁର ମେରାଇନ୍‌ ଡ୍ରାଇଭ୍‌ କାମକୁ ଦେଖିବା ସହ ସେଠାରୁ ଉଦୟପୁର ବେଳାଭୂମିକୁ ଯାଇଥିଲେ। ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ବେଳାଭୂମି ସଂଲଗ୍ନ ଝାଉଁ ଜଙ୍ଗଲର ସ୍ଥିତି ଅନୁଧ୍ୟାନ କରିବା ପରେ ବନ ବିଭାଗ ଓ ପୂର୍ତ୍ତ ବିଭାଗ ପଦାଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ଟିମ୍‌ରେ ପୂର୍ତ୍ତ ସଚିବ ଡ.କ୍ରିଷନ କୁମାର, ରାଜ୍ୟ ପର୍ଯ୍ୟଟନ ସଚିନ ରାମଚନ୍ଦ୍ର ଯାଦବ ସାମିଲ ଥିଲେ।

ଏହାପରେ, ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଓ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଭିତରକନିକାରେ ପହଞ୍ଚିଥିଲେ। ଦିନ ୧୨ଟା ୧୫ରେ ହେଲିକପ୍ଟର୍ ଯୋଗେ ମୁଖ୍ୟଶାସନ ସଚିବ, ୫-ଟି ସଚିବଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀ ପହଞ୍ଚିବା ପରେ କାର୍‌ ଯୋଗେ ଭିତରକନିକା ଡାଙ୍ଗମାଳଠାରେ ପହଞ୍ଚିଥିଲେ। ପରେ ଇ-ରିକ୍ସାରେ ନିର୍ମାଣାଧୀନ ପାନ୍ଥ ନିବାସ ଓ ଡାଙ୍ଗମାଳ ମିନି ପାର୍କ ବୁଲି ଦେଖିଥିଲେ। ଏହାପରେ ଫରେଷ୍ଟ ଗେଷ୍ଟ ହାଉସରେ ଭିତରକନିକାକୁ ସଂଯୋଗ କରୁଥିବା ରାସ୍ତାଘାଟ ନକ୍ସା ଦେଖିଥିଲେ। ଡଲଫିନ ବୋଟରେ ଭିତରକନିକା ନଦୀରେ ବୁଲିବା ସହ ବଉଳା କୁମ୍ଭୀର ଓ ଲୁଣା ଜଙ୍ଗଲ ଦେଖିଥିଲେ। ଏପରିକି ପର୍ଯ୍ୟଟକଙ୍କ ରହିବା ପାଇଁ ଭିତରକନିକାରେ କେତୋଟି ରୁମ ଓ ବେଡ ରହିଛି, ଡାଙ୍ଗମାଳ ବାଦ୍‌ ଆଉ କେଉଁଠି ରହିବାର ସୁବିଧା ଅଛି ଏବଂ ହବାଳିଖଟି ଓ ଗହୀରମଥାକୁ ଯିବାକୁ କେତେ ସମୟ ଲାଗିବ ଓ ସୁବିଧା କଣ ରହିଛି ସେ ସଂପର୍କରେ ପଚାରି ବୁଝିଥିଲେ। ବଉଳା ଓ ଧଳା କୁମ୍ଭୀରଙ୍କ ସ୍ଥିତି ପଚାରି ବୁଝିଥିଲେ।

ଆସନ୍ତା ୧୪ତାରିଖରୁ ପ୍ରଥମଥର ପାଇଁ ଭିତରକନିକା ମହୋତ୍ସବ ଆରମ୍ଭ ହେବାକୁ ଯାଉଛି। ଏହାର ଚାରି ଦିନ ପୂର୍ବରୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀଙ୍କ ଅଚାନକ ଗସ୍ତ ଭିତରକନିକା ପାଇଁ ବିଭିନ୍ନ ଦୃଷ୍ଟିକୋଣରୁ ଗୁରୁତ୍ବ ରଖୁଛି। ଏହି ଗସ୍ତକୁ ଭିତରକନିକାର ବିକାଶ ସହିତ ଜିଲ୍ଲାବାସୀ ଯୋଡ଼ି ଦେଖିବା ସହ ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେହିଭଳି, ବେଳାଭୂମି ତାଳସାରି ଓ ଉଦୟପୁରର ବିକାଶ ପାଇଁ ମଧ୍ୟ ରାଜ୍ୟ ସରକାର ଅନୁରୂପ ଭାବେ ପ୍ୟ‌ାକେଜ୍‌ ଘୋଷଣା କରିବେ ବୋଲି ଅନୁମାନ କରାଯାଉଛି। ଉଭୟ ସ୍ଥାନରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe