ପଞ୍ଚାୟତ ନିର୍ବାଚନ: ୨୫ଟି ଜିଲ୍ଲାରେ ଆରମ୍ଭ ହେଲା ଶେଷ ପର୍ଯ୍ୟାୟ ଭୋଟଗ୍ରହଣ

ପଞ୍ଚାୟତ ନିର୍ବାଚନ: ୨୫ଟି ଜିଲ୍ଲାରେ ଆରମ୍ଭ ହେଲା ଶେଷ ପର୍ଯ୍ୟାୟ ଭୋଟଗ୍ରହଣ

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୫ମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ରାଜ୍ୟର ୨୫ ଟି ଜିଲ୍ଲାର ୪୮ ଟି ବ୍ଲକର ୯୭୫ ଗ୍ରାମ ପଞ୍ଚାୟତର ୧୩,୫୧୪ ବୁଥରେ ୧୩୧ ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଉଛି । ଏହି ପର୍ଯ୍ୟାୟରେ ପ୍ରତିନିଧି ଚୟନ କରିବା ପାଇଁ ୪୧.୮୮ ଲକ୍ଷରୁ ଅଧିକ ଭୋଟର ସେମାନଙ୍କର ଗଣତାନ୍ତ୍ରିକ ଅଧିକାରକୁ ବ୍ୟବହାର କରୁଛନ୍ତି ।

ପଞ୍ଚମ ପର୍ଯ୍ୟାୟ ନିର୍ବାଚନକୁ ସୁରୁଖୁରୁରେ ଚଳାଇବା ପାଇଁ ବିଭିନ୍ନ ଜିଲ୍ଲାରେ ଜିଲ୍ଲା ପୋଲିସ୍ ଅଧିକାରୀଙ୍କ ସହ ୨୫୮ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଓ ୧୧୪୮ ଟି ମୋବାଇଲ୍ ପାଟ୍ରୋଲିଂ ଦଳ ନିୟୋଜିତ ହୋଇଛନ୍ତି । ଏହି ପର୍ଯ୍ୟାୟ ଭୋଟଗ୍ରହଣର ବିଶେଷତ୍ବ ହେଉଛି ପ୍ରାୟ  ୧୫ ବର୍ଷ ପରେ ମାଲକାନଗିରିର ମାଓ ଅଧ୍ୟୁଷିତ ସ୍ବାଭିମାନ ଅଞ୍ଚଳରେ ଭୋଟ ଗ୍ରହଣ କରାଯାଉଛି ।

ପ୍ରଥମ ଚାରିଟି ପର୍ଯ୍ୟାୟରେ ନିର୍ବାଚନୀ ହିଂସା ଘଟଣାରେ ପୋଲିସ ଏପର୍ଯ୍ୟନ୍ତ ମୋଟ ୧୪୭ ଜଣକୁ ଗିରଫ କରିସାରିଛି । ସେମାନଙ୍କ ମଧ୍ୟରୁ ୧୦୩ ଜଣ ଯାଜପୁରରୁ, ଢେଙ୍କାନାଳର ୧୦ ଜଣ, ଜଗତସିଂହପୁରର ୭ ଜଣ, କେନ୍ଦ୍ରାପଡ଼ାର ୩ଜଣ ଓ ପୁରୀର ୨୪ ଜଣ ଅନ୍ତର୍ଭୁକ୍ତ ବୋଲି ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି । ଗତ ମଙ୍ଗଳବାର ଶେଷ ହୋଇଥିବା ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ମୋଟ ୭୯ ପ୍ରତିଶତ ଭୋଟ ଗ୍ରହଣ ହୋଇଥିଲା।

ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ଯେପରି କୌଣସି ସ୍ଥାନରେ ଗଣ୍ଡଗୋଳ, ନିର୍ବାଚନୀ ହିଂସା ହେବନି ସେନେଇ ପୁଲିସ ବିଭାଗ ପକ୍ଷରୁ କମିସନଙ୍କୁ ପ୍ରତିଶ୍ରୁତି ଦିଆଯାଇଛି। ରାଜ୍ୟର ବିଭିନ୍ନ ମାଓ ଅଞ୍ଚଳରେ ଆଜି ଭୋଟ୍‌ ହେଉଥିବାରୁ ସଂପୃକ୍ତ ଅଞ୍ଚଳରେ ପୁଲିସ ଛାଉଣି କରି ଦିଆଯାଇଥିବା ବେଳେ ଅପହଞ୍ଚ ମତଦାନ କେନ୍ଦ୍ରଗୁଡ଼ିକୁ ଜଳପଥରେ ପୁଲିଂ କର୍ମଚାରୀଙ୍କୁ ପଠାଯାଇଛି।

publive-image

ଆଜି ମାଲକାନଗିରିର ସ୍ବାଭିମାନ ଅଞ୍ଚଳରେ ଭୋଟ୍‌ ହେଉଛି। ପ୍ରାୟ ଏକ ଦଶନ୍ଧି ପରେ ଏଠାରେ ଭୋଟ୍‌ ହେଉଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଚିତ୍ରକୋଣ୍ଡା ବ୍ଲକର ୨ଟି ଜୋନ୍‌ରେ ନିର୍ବାଚନ ହେଉଥିଲେ ହେଁ ଜୋନ୍‌-୨ ବା ସ୍ବାଭିମାନ ଅଞ୍ଚଳ ଉପରେ ସମସ୍ତଙ୍କ ନଜର ରହିଛି।

ସେହିପରି ମତଦାତା ଓ ନିର୍ବାଚନ ଦାୟିତ୍ବରେ ଥିବା କର୍ମଚାରୀ ଯେପରି ସୁରକ୍ଷିତ ରହିବେ, ଭୋଟ୍‌ ବାକ୍ସ ସୁରକ୍ଷିତ ଭାବେ ଷ୍ଟ୍ରଙ୍ଗରୁମ୍‌କୁ ଆସିବ ସେନେଇ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ୨୦୧୭ ପଞ୍ଚାୟତ ନିର୍ବାଚନ ନେଇ ସମସ୍ତ ପ୍ରସ୍ତୁତି ହୋଇଥିଲେ ବି ମାଓବାଦୀଙ୍କ ଧମକ ଯୋଗୁଁ ଏଠାରେ ନିର୍ବାଚନ ହୋଇନଥିଲା। କିନ୍ତୁ ଏଥର ସ୍ବାଭିମାନ ଅଞ୍ଚଳର ୯ଟି ପଞ୍ଚାୟତରେ ୧୦୬ଟି ବୁଥ୍‌ରେ ମତଦାନ ହେବ। ୫୪ଟି ଅତିସମ୍ବେଦନଶୀଳ ବୁଥ୍‌କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଇତିମଧ୍ୟରେ ୪୯ଟି ବୁଥରେ ସାନି ମତଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe