ଭୂବନେଶ୍ବର: ସାର୍ବଜନୀନ ଗୁଣାତ୍ମକ ସ୍ବାସ୍ଥ୍ୟସେବା ନିମନ୍ତେ ଅଭିପ୍ରେତ ଓଡ଼ିଶା ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ) ବିଶେଷ ଅଗ୍ରଗତି ହାସଲ କିରିଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ କାର୍ଯ୍ୟନ୍ବୟନ ସମୀକ୍ଷା ବୈଠକରୁ ଏହା ଜଣପଡିଛି ।
ବିଏସ୍କେୱାଇ ବିଷୟରେ ସଦ୍ୟତନ ତଥ୍ୟ ଉପସ୍ଥାପନ କରି ଓଡ଼ିଶା ହେଲଥ୍ ଆସୁରାନ୍ସ ସୋସାଇଟିର ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡାକ୍ତର ବୃନ୍ଦା ଡ଼ି. କହିଥିଲେ ଯେ ଚଳିତ ବର୍ଷ ଜାନୁଆରି ୧ ତାରିଖରୁ ଡ଼ିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ପ୍ରାୟ ୬.୩୧ ଲକ୍ଷ ଲୋକ ବିଭିନ୍ନ ଘରୋଇ ହସ୍ପିଟାଲରେ ଉଚ୍ଚମାନର ଦେୟମୁକ୍ତ ଚିକିତ୍ସା ପାଇଛନ୍ତି। ସେମାନଙ୍କର ଚିକିତ୍ସା ବାବଦରେ ରାଜ୍ୟ ସରକାର ଘରୋଇ ହସ୍ପିଟାଲମାନଙ୍କୁ ପ୍ରାୟ ୧୩୮୯ କୋଟି ଟଙ୍କାର ବିଲ୍ ପୈଠ କରିଛନ୍ତି ।
ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ଲୋକ ବିଏସ୍କେୱାଇରେ ଚିକିତ୍ସା ସୁବିଧା ପାଇଛନ୍ତି। ଚିକିତ୍ସା ପାଇଁ ଆସିଥିବା ଶତ ପ୍ରତିଶତ ରୋଗୀଙ୍କୁ ୧୦୪ କଲସେଣ୍ଟର୍ ମାଧ୍ୟମରେ କାଉସେଲିଂ କରାଯାଇଛି। ନିଜ ନିଜର ପସନ୍ଦର ହସ୍ପିଟାଲରେ ଚିକିତ୍ସା ପାଇଁ ସେମାନଙ୍କୁ ଆବଶ୍ୟକୀୟ ସୂଚନା ଓ ସହାୟତା ଯୋଗାଇ ଦିଆଯାଇଛି। ହସ୍ପିଟାଲରେ ନିୟୋଜିତ ଥିବା ସ୍ବାସ୍ଥ୍ୟମିତ୍ରମାନେ ମଧ୍ୟ ସେମାନଙ୍କର ଆଡମିସନ୍ ଓ ଚିକିତ୍ସାପାଇଁ ନିଜେ ଉପସ୍ଥିତ ରହି ଡ଼ାକ୍ତରମାନଙ୍କ ସହ ଯୋଗାଯୋଗ ଓ ଆବଶ୍ୟକୀୟ ପ୍ରକ୍ରିୟାଗତ ସହାୟତା କରିଛନ୍ତି। ବିଏସ୍କେୱାଇରେ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୨୦୫୬ଟି ଚିକିତ୍ସା ଓ ନିଦାନ ପ୍ୟାକେଜ୍ କରାଯାଇଛି। ରୋଗୀମାନଙ୍କୁ ସେମାନଙ୍କର ରୋଗ ଅନୁସାରେ ଉପଯୁକ୍ତ ପ୍ୟାକେଜ୍ ଅନ୍ତର୍ଭୂକ୍ତ କରି ସଂପୃକ୍ତ ହସ୍ପିଟାଲମାନେ ଚିକିତ୍ସା କରିଛନ୍ତି ।
ରାଜ୍ୟର ବିଭିନ୍ନ ଦୁରଦୁରାନ୍ତ ଅଂଚଳମାନଙ୍କରେ ବିଏସ୍କେୱାଇ ବିଷୟରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସ୍ବାସ୍ଥ୍ୟ ସଚିବ ପଣ୍ଡିତ୍ ନିର୍ଦ୍ଦେଶ ଦେଇଥିଲେ। ବିଶେଷତଃ ଗଜପତି, କନ୍ଧମାଳ, ସୋନପୁର, ନୂଆପଡ଼ା, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନାଗିରି ଆଦି ଜିଲ୍ଲାର ଗ୍ରାମାଚଂଳମାନଙ୍କରେ ସଚେତନତା ଓ ସୂଚନା ପ୍ରଦାନ କାର୍ଯ୍ୟକ୍ରମକୁ ସଘନ କରିବା ପାଇଁ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ କୁହାଯାଇଥିଲା ।
ବୈଠକର ଆଲୋଚନାରୁ ଜଣାପଡ଼ିଥିଲା ଯେ କୌଣସି ତାଲିକାଭୂକ୍ତ ହସ୍ପିଟାଲକୁ ଆସିବା ପୂର୍ବରୁ ରୋଗୀ ବା ତାଙ୍କର ନିକଟ ସମ୍ପର୍କୀୟ ଟୋଲ୍ ଫ୍ରି ନମ୍ବର ୧୦୪କୁ ଆଗୁଆ ଯୋଗାଯୋଗ କରି ସୂଚନା ପାଇପାରୁଚନ୍ତି। ନିଜର ବିଏସ୍କେୱାଇ କାର୍ଡ଼ର ବ୍ୟବହାର ବା ଦେୟମୂକ୍ତ ଚିକିତ୍ସା ବାବଦରେ କୈାଣସି ଅସୁବିଧା ହେଲେ ୧୫୫୩୬୯ ଟୋଲ୍ ଫ୍ରି ନମ୍ବରକୁ ଫୋନକରି ଜଣାଉଛନ୍ତି ଏବଂ ସେ ସମସ୍ୟାର ସମାଧାନ କରାଯାଉଛି । ଲୋକମାନେ ନିଜର ଅଭିଯୋଗ ମଧ୍ୟ ଟୋଲ୍ ଫ୍ରି ନମ୍ବର ୧୪୫୪୫, ଟ୍ବିଟର୍ ଆକାଉଣ୍ଟ @bskyodisha ଓ ଫେସବୁକ୍ ଆକାଉଣ୍ଟ bskyodisha ମାଧ୍ୟମରେ ଜଣାଉଛନ୍ତି ଯାହାକୁକି ସମୟାନୁବନ୍ଧିତ ଭାବେ ସମାଧାନ କରାଯାଉଛି। ଦେୟମୁକ୍ତ ଚିକିତ୍ସା ବ୍ୟବସ୍ଥା ଏବଂ ଏଥିରୁ ସୁବିଧା ନେବାର ସରଳ ଉପାୟ ବାବଦରେ ବ୍ୟାପକ ସଚେତନତା ସୃଷ୍ଟି କରିବା ନିମନ୍ତେ ଶ୍ରୀମତୀ ପଣ୍ଡିତ୍ ନିର୍ଦ୍ଦେଶ ଦେଇଥିଲେ। ପୂର୍ଣସେବା ମନୋଭାବରେ କାର୍ଯ୍ୟ କରିବାକୁ ଜିଲ୍ଲା ସଂଯୋଜକ ଓ ସ୍ବାସ୍ଥ୍ୟମିତ୍ର ମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଅତିରିକ୍ତ ଶାସନ ସଚିବ ଶୁଭାନନ୍ଦ ମହାପାତ୍ରଙ୍କ ସମେତ ଓଡ଼ିଶା ହେଲଥ୍ ଆସୁରାନ୍ସ ସୋସାଇଟିର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
Follow Us