ଓଏସ୍‌ଆର୍‌ଟିସି କର୍ମଚାରୀ ପଢ଼ୁଛନ୍ତି ଦକ୍ଷତା ବିକାଶ ପାଠ: ଏନ୍‌ଆଇଟିରେ ୬ ଦିନିଆ ପାଠ୍ୟକ୍ରମ ଆରମ୍ଭ

ଓଏସ୍‌ଆର୍‌ଟିସି କର୍ମଚାରୀ ପଢ଼ୁଛନ୍ତି ଦକ୍ଷତା ବିକାଶ ପାଠ: ଏନ୍‌ଆଇଟିରେ ୬ ଦିନିଆ ପାଠ୍ୟକ୍ରମ ଆରମ୍ଭ

ରାଉରକେଲା: ସ୍ଥାନୀୟ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)ରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସ୍‌ଆର୍‌ଟିସି) ଅଧିକାରୀଙ୍କ ପାଇଁ ଦ୍ବିତୀୟ ପର୍ଯ୍ୟାୟ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର ବୁଧବାର ଉଦ୍‌ଘାଟିତ ହୋଇଛି। ମୁଖ୍ୟଅତିଥି ଅନୁଷ୍ଠାନର ନିର୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ କହିଲେ, ଯାତ୍ରୀଙ୍କ ସୁରକ୍ଷା ଓ ଆରାମ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏଭଳି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଭାରତରେ ବସ୍‌ଗୁଡ଼ିକ ମୁଖ୍ୟତଃ ପର୍ଯ୍ୟଟନ ପରିବର୍ତ୍ତେ ଆବଶ୍ୟକତା ପାଇଁ ବ୍ୟବହୃତ ହୋଇଥାଏ, ଏଣୁ ଅଧିକାଂଶ ସମୟରେ ମାତ୍ରାଧିକ, ବିଳମ୍ବ ଆଦି ଯାବତୀୟ ଅସୁବିଧା ଦେଖାଦେଇଥାଏ।

ସ୍ୱୟଂଚାଳିତ ଷ୍ଟିଅରିଂ କାର୍ଯ୍ୟକାରୀ କରିବା, ବାରମ୍ବାର ହର୍ଣ୍ଣ ବଜାଇବା ସମୟରେ ଶବ୍ଦସ୍ତର ମାପିବା, ଯାତ୍ରୀଙ୍କ ପାଇଁ ସିଟ୍ ବେଲ୍ଟ ଯୋଗାଇବା, ହାଇଡ୍ରୋଲିକ୍ ବ୍ରେକ୍ ସିଷ୍ଟମ ପ୍ରଚଳନ, ତେଲ ଲିକେଜ୍‌ ନିୟନ୍ତ୍ରଣ ଆଦି ଉପରେ ଧ୍ୟାନ ଦେବାକୁ ପଡ଼ିବ।ଏହାବ୍ୟତୀତ, ସାମଗ୍ରିକ ଦକ୍ଷତାରେ ଉନ୍ନତି ଆଣିବାକୁ ସ୍ମାର୍ଟ ସିଡ୍ୟୁଲିଂ ପାଇଁ ଆମର କାର୍ଯ୍ୟସୂଚୀକୁ ସୁବ୍ୟବସ୍ଥିତ କରିବା, ଡାଟା ତଥା ଡିଜିଟାଲ ଉପକରଣର ଉପଯୋଗ କରିବା ଆବଶ୍ୟକବୋଲି କହିଥିଲେ। ଓଏସ୍‌ଆର୍‌ଟିସି ଅତିରିକ୍ତ ଶାସନ ସଚିବ ଲକ୍ଷ୍ମୀକାନ୍ତ ସେଠୀ, ଡିନ୍‌ ପ୍ରଫେସର ଏସ୍.କେ. ପ୍ରତିହାର, ମେକାନିକାଲ ଇଞ୍ଜିନିଅରିଂ ବିଭାଗର ମୁଖ୍ୟ ପ୍ରଫେସର ଏସ.କେ.ପଟେଲ ବକ୍ତବ୍ୟ ରଖିଥିଲେ।

publive-image

କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ଏସ୍. ମୁର୍ଗନ ପାଠ୍ୟକ୍ରମର କାର୍ଯ୍ୟସୂଚୀ ସମ୍ପର୍କରେ ବିବରଣୀ ଦେଇଥିଲେ। ଏହି ଅବସରରେ ବସ୍ ଡିପୋ ପରିଚାଳନା, ଯଥା-ଇନ୍ଧନ, ଟ୍ରାଫିକ୍, ଯାନ, ସୁବିଧା, କର୍ମଚାରୀ ଓ ସମୟ ନିର୍ଦ୍ଧାରଣ ପରିଚାଳନା), ଯାନ ପରିଚାଳନା, ସ୍ଥାୟୀ ପରିବହନ, ସୁସ୍ଥ କାର୍ଯ୍ୟ ପରିବେଶ, ସମୟ ପରିଚାଳନା, ବିଶ୍ରାମ କୌଶଳ, ବସ୍‌ରେ ଏସି ଖଞ୍ଜାଯିବାସହ ତା’ର ପରିଚାଳନା, ବସ୍ ଡିପୋରେ ସିସିଟିଭି କ୍ୟାମେରାର ରକ୍ଷଣାବେକ୍ଷଣ ଉପରେ ପ୍ରଶିକ୍ଷଣ ଦିଆଯିବ। ମେକାନିକାଲ ଇଞ୍ଜିନିୟରିଂ ବିଭାଗ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିର ଆସନ୍ତା ୧୫ ତାରିଖ ଯାଏ ଚାଲିବ। ଗତ ଜୁନ ମାସରେ ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଦିଆଯାଇଥିଲା। ଏଥିରେ ମୋଟ୍‌ ୩୧ ଜଣ ଓଏସ୍‌ଆର୍‌ଟିସି ଅଧିକାରୀ, କର୍ମଚାରୀ ଅଂଶଗ୍ରହଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe