ବଜ୍ରପାତରେ ୬ ମୃତ, ୪ ଗୁରୁତର

ବଜ୍ରପାତରେ ୬ ମୃତ, ୪ ଗୁରୁତର

Medium

ଭୁବନେଶ୍ବର : ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ୫ ଜଣ ଗୁରୁତର ଥିବା ଜଣାପଡ଼ିଛି।

କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ସୀମାନ୍ତ ଗାଁ ପିକେ ଭଦ୍ରା ଗାଁର ମାରି ରବି ଓ ତାଙ୍କ ଭାଇ ମାରି ଲଖ୍ମୀଙ୍କ ଦୁଇ ସ୍ତ୍ରୀ ମାରି ସୁନେ (୨୫)ଓ ମାରି ରାଧା(୩୨),ନଣନ୍ଦ ମାରି ଜାମ୍ବ(୧୮) ଓ ସାବାରାପୁ ସପନା(୧୬)ଙ୍କ ସହ ସନ୍ଧ୍ୟାରେ ୩ ମାସର ଶିଶୁକୁ ଧରି ଗାଁକୁ ଫେରୁଥିଲେ। ଏହି ସମୟରେ ଘଡଘଡି ବର୍ଷା ସହ ବଜ୍ରପାତ ହୋଇଥିଲା। ବଜ୍ରପାତରେ ଆଗପଛ ହୋଇ ଚାଲୁଥିବା ଦୁଇ ଯାଆ ମାରି ସୁନେ (୨୫)ଓ ମାରି ରାଧା(୩୨)ଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ନିକଟରେ ଥିବା ଦୁଇ ନଣନ୍ଦ ଗୁରୁତର ହୋଇ ଅଚେତ ଅବସ୍ଥାରେ ପଡିଯାଇଥିଲେ। କୋଳରେ ଥିବା ୩ମାସର ଶିଶୁ ବି ଗୁରୁତର ଅବସ୍ଥାରେ ଘଟଣା ସ୍ଥଳରେ ପଡ଼ିରହିଥିଲା। ବର୍ଷା ଛାଡ଼ିବା ପରେ ଗାଁଲୋକେ ଖବର ପାଇ ଘଟଣା ସ୍ଥଳରୁ ସମସ୍ତଙ୍କୁ ଉଦ୍ଧାର କରିଥିଲେ। ଖବର ଲେଖା ଯିବା ବେଳକୁ ସମସ୍ତ ଗୁରୁତର ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ ଧାନଘର ଫାଣ୍ଡି ଭଳାସିଂଗି ଗ୍ରାମରେ ରଂଜନ ସାହୁ (୩୫) ଅପରାହ୍ନରେ ବିଲକୁ ଯାଇଥିବା ବେଳେ ବଜ୍ରାଘାତରେ ଗୁରୁତର ହୋଇଥିଲେ। ତାଙ୍କୁ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ସେହିପରି ବୁଗୁଡ଼ା ବ୍ଲକ ଖୋଳଖାଳି ପଞ୍ଚାୟତ ବେଲପୁର ଗ୍ରାମରେ ଆଜି ସନ୍ଧ୍ୟାରେ ସନ୍ନ୍ୟାସୀ ବିଷୋୟୀ (୩୫) ନାମକ ଜଣେ ଯୁବକ ଟିଭି ଦେଖୁଥିବା ବେଳେ ହଠାତ୍ ବଜ୍ରାଘାତରେ ଗୁରୁତର ହୋଇ ଅଚେତ ହୋଇ ପଡ଼ିଥିଲେ। ତାଙ୍କୁ ସଂଗେ ସଂଗେ ବୁଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା।

ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ନଡ଼ିଆଭଙ୍ଗା ପଞ୍ଚାୟତ ଜାମୁପଶି ଗାଁର ବିଷ୍ଣୁ ସିଦ୍ଧୁଙ୍କ ପୁଅ ଅଜୟ (୧୯) ଓ ଝିଅ ସାନହ (୧୧) ଆଜି ସଂଧ୍ୟାରେ ଘର ବାରଣ୍ଡାରେ ବସିଥିବା ବେଳେ ବଜ୍ରପାତ ହୋଇଥିଲା। ଉଭୟ ଭାଇ ଭଉଣୀ ସଂଜ୍ଞାହୀନ ହୋଇ ଟଳି ପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଦାନଗଦୀ ଡାକ୍ତରଖାନାରେ ଭର୍ତି କରାଯାଇଥିଲେ ହେଁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍‌ ସିମିନଇ ଗାଁର ଅଭୟ ପରିଡ଼ା (୪୦) ଓ ଅଭିଷେକ ମହାରଣା (୧୯) ଆଜି ଅପରାହ୍ଣରେ ବିଲରେ କାମ କରୁଥିବାବେଳେ ବଜ୍ରପାତ ହେବାରୁ ଦୁହେଁ ଗୁରୁତର ଆହତ ହୋଇଥିଲେ। ଦୁହିଁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ଡାକ୍ତର ଅଭୟଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe