୬ ଘର ଭାଙ୍ଗିଲା ହାତୀ

Advertisment
୬ ଘର ଭାଙ୍ଗିଲା ହାତୀ

ତେଲକୋଇ: କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜରେ ବର୍ଷ ତମାମ ହାତୀପଲଙ୍କ ଉପଦ୍ରବ ଲାଗିରହିଛି। ବେଶ କିଛି ମାସ ହେଲାଣି ଏକ ଦନ୍ତା ଖାଦ୍ୟ ଅନ୍ୱେଷଣରେ ଘରେ ପଶୁଛି। ଫଳରେ ଲୋକମାନେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ଗତକାଲି ବିଳମ୍ବିତ ରାତିରେ ତେଲକୋଇ ରେଞ୍ଜ ଖୁଣ୍ଟାପଡା ଗ୍ରାମରେ ଏହି ଦନ୍ତା ଉତ୍ପାତ ସୃଷ୍ଟି କରିଛି। ଗାଁରେ ପଶି ଅନିରୁଦ୍ଧ ସାହୁ, ନରୋତ୍ତମ ଦେହୁରୀ, ସୌଭାଗ୍ୟ ପାତ୍ର, କାଳିଆ ପାତ୍ର, ଅଭୟ ପାତ୍ର, ପଳଉ ପାତ୍ର ଓ କନ୍ତଲେଇ ଗ୍ରାମର ଅଭିମନ୍ୟୁ ସାହୁଙ୍କ ଆଂଶିକ ଘର ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

ଦନ୍ତାଟି ନରୋତ୍ତମ ଦେହୁରୀଙ୍କ ଝରକା ଭାଙ୍ଗି ଘର ଭିତରେ ଶୁଣ୍ଢରେ ବୁଲାଇଥିଲା। ଝରକା ପାଖରେ ଖଟରେ ମଶାରି ଟାଣି ଦମ୍ପତି ଶୋଇଥିଲେ। ମଶାରି ଟାଣିବା ବେଳେ ନରୋତ୍ତମଙ୍କ ଗୋଡ଼କୁ ମଧ୍ୟ ଦନ୍ତା ଧରି ନେଇଥିଲା। ସୌଭାଗ୍ୟକୁ ଉଭୟ ଖଟ ତଳକୁ ଗଳି ପଡ଼ିଥିଲେ। ଯେତେବେଳେ ହାତୀ ସେଠାରୁ କୌଣସି ଖାଦ୍ୟ ନ ପାଇ ଘରର ସମ୍ମୁଖ ଭାଗକୁ ଆସି ଅନ୍ୟ ଏକ କୋଠରି କବାଟ ଭାଙ୍ଗି ଧାନ ଖାଇଲା, ସେତେବେଳେ ଉଭୟ ଦମ୍ପତି ସାହସ ଯୋଟାଇ ଝରକା ଡେଇଁ ପଡୋଶୀ ଘରକୁ ଚାଲି ଯାଇଥିଲେ। ପରେ ସାହି ଲୋକ ମିଶି ନିଆଁ ହୁଳା ଦେଖାଇ ଘଉଡ଼ାଇ ଦେଇଥିଲେ। ଏବେ ଏହି ଦନ୍ତା ସମାକୋଇ ସଂରକ୍ଷିତ ଜଙ୍ଗଲ ଘୁଣ୍ଟପଶି ଗାଁ ନିକଟରେ ରହିଥିବା ଜଣାପଡିଛି। ବନ ବିଭାଗ ସୂଚନା ଅନୁଯାୟୀ ତେଲକୋଇ ରେଞ୍ଜରେ ୧୭ଟି ହାତୀ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe