ବିଷାକ୍ତ ମଦ ପିଇ ୬ ଗୁରୁତର, ରିପୋର୍ଟ ମାଗିଲେ ଜିଲ୍ଲାପାଳ

Advertisment
ବିଷାକ୍ତ ମଦ ପିଇ ୬ ଗୁରୁତର, ରିପୋର୍ଟ ମାଗିଲେ ଜିଲ୍ଲାପାଳ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଂଚାୟତ ଅନ୍ତର୍ଗତ କଲୁମୁହିଁ ଓ ନରାୟଣପୁର ପଞ୍ଚାୟତ ଅର୍ନ୍ତଗତ ସିରିପୁର ଗ୍ରାମର ୬ଜଣ ବ୍ୟକ୍ତି ବିଷାକ୍ତ ମହୁଲି ମଦ ପିଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ପରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଅବକାରୀ ଅଧୀକ୍ଷକ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସବିଶେଷ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଗତକାଲି ସଂଧ୍ୟାରେ ଗ୍ରାମର କିଛି ଯୁବକ ଗାଈ ଚରାଇ ଫେରୁଥିବା ବେଳେ ବଳରାମ ୱାନ୍ଦଲାକା (୬୪) ଓ ବିଶ୍ବନାଥ ୱାନ୍ଦଲାକା (୫୨) ଜଙ୍ଗଲିଆ ରାସ୍ତାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଗ୍ରାମର ଯୁବକମାନେ ରାସ୍ତା କଡ଼ରେ ପଡିଥିବା ଦୁଇ ଜଣଙ୍କୁ ଉଠାଇ ଆଣି ଘରେ ଛାଡ଼ିଥିଲେ। ତେବେ ଘରକୁ ଫେରିବା ପରେ ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡ଼ି ଯାଇଥିଲା। ବାରମ୍ବାର ଝାଡ଼ାବାନ୍ତି ହେବା ସହ ମୁଣ୍ଡ ଘୂରାଇବାରୁ ପଡ଼ି ଯାଇଥିଲେ। ରାତି ୧୦ଟାରେ ପରିବାର ଲୋକେ ଏକ ଅଟୋରେ ଉଭୟଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଆଜି ବିଶ୍ବନାଥଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ବେଳେ ବଳରାମ ଗୁରୁତର ହୋଇପଡ଼ିବାରୁ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ଆମ୍ବୁଲାନସ ନ ମିଳିବାରୁ ଏକ ଘରୋଇ ବଲେରୋରେ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ସେଭଳି ନାରାୟଣପୁର ପଂଚାୟତ ଅନ୍ତର୍ଗତ ସିରିପୁର ଗ୍ରାମର ୪ ଜଣ ବ୍ୟକ୍ତି ବିଷାକ୍ତ ମଦ ପିଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ସ୍ଥାନରେ ଚୋରା ଦେଶୀ ମଦ ବିକ୍ରି ହେଉଥିବା ବେଳେ ଅବକାରୀ ବିଭାଗ ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହେଉଛି। ଜିଲ୍ଲା ଅବକାରୀ ବିଭାଗ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe