International Adviser
ବ୍ୟାସନଗର : ଯାଜପୁରରୋଡ଼ ଜେଏମ୍ଏଫସି କୋର୍ଟ ଏକ ଚେକ୍ ବାଉନ୍ସ ମାମଲାର ବିଚାର କରି ଏସ୍.ଏସ୍ ମିନେରାଲର ମାଲିକ ସେକ୍ ମଞ୍ଜୁର ଅଲ୍ଲୀଙ୍କୁ ୬ ମାସ ଜେଲ୍ ଦଣ୍ଡ ଏବଂ ଜରିମାନା ସହ ମୋଟ ୧୮ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
୨୦୧୫ ମେ ୧୪ ତାରିଖରେ ସୁକିନ୍ଦାର ଏସ୍ଏସ୍ ମିନେରାଲ୍ସ ମାଲିକ ସେକ୍ ମଞ୍ଜୁର ଅଲ୍ଲୀ ଯାଜପୁରରୋଡ଼ କହ୍ନେଇପୁରସ୍ଥିତ ଟାୟାର ଦୋକାନ (ସାହୁ ସପ୍ଲାଇ ଏଜେନ୍ସି)ରୁ ୯ ଲକ୍ଷ ୭୬ ହଜାର ୧୫୮ ଟଙ୍କାର ଟାୟାର କିଣି ଥିଲେ। ଏହି ବାବଦକୁ ୩ ଗୋଟି ଚେକ୍ ସାହୁ ସପ୍ଲଇ ଏଜେନ୍ସିର ମାଲିକ ଅନାଦି ଚରଣ ସାହୁଙ୍କୁ ଦେଇଥିଲେ। ଧାର୍ଯ୍ୟ ସମୟ ପ୍ରକାରେ ଶ୍ରୀ ସାହୁ ଏହି ଚେକ୍ଗୁଡ଼ିକୁ ବ୍ୟାଙ୍କ୍ରେ ଜମା କରିଥିଲେ। ଆକାଉଣ୍ଟରେ ଟଙ୍କା ନଥିବାରୁ ତିନିଟିଯାକ ଚେକ୍ ବାଉନ୍ସ ହୋଇଥିଲା। ଏ ସଂପର୍କରେ ଅବଗତ କରିବା ସହ ଟଙ୍କା ପାଇଁ ବାରମ୍ବାର ଦୌଡ଼ି ନିରାଶ ହେବା ପରେ ଅନାଦି ସାହୁ ମକଦ୍ଦମା ଦାଏର କଲେ। ଗତକାଲି କୋର୍ଟ ମାମଲାର ଶୁଣାଣି କରି ସେକ୍ ମଞ୍ଜୁର ଅଲ୍ଲୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୬ ମାସ ଜେଲ୍ ଓ ୧୮ ଲକ୍ଷ ଟଙ୍କା ପଇଠ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ସାହୁଙ୍କ ପକ୍ଷରୁ ଓକିଲ ମଙ୍ଗୁଳି ଚରଣ ସାହୁ ଓ ବିଆର୍ ଜେନା କମଦ୍ଦମା ପରିଚାଳନା କରିଥିଲେ।
Follow Us