ଗ୍ୟାସ୍ ଲିକରୁ ଅଘଟଣ: ସାତଭଉଣୀରେ ଜଳିଗଲା ୬ ଦୋକାନ

ଗ୍ୟାସ୍ ଲିକରୁ ଅଘଟଣ: ସାତଭଉଣୀରେ ଜଳିଗଲା ୬ ଦୋକାନ

ଅସୁରାଳି: ଗ୍ୟାସ ଲିକ ହୋଇ ନିଆଁ ଲାଗିଯିବାରୁ ଆଜି ଭଦ୍ରକ-ଆଖଣ୍ଡଳମଣି ରାଜ୍ୟ ରାଜପଥର ସାତଭଉଣୀ ବଜାରରେ ୬ଟି ଦୋକାନ ଜଳିଯାଇଛି। ଏହି ଆକସ୍ମିକ ଅଗ୍ନିକାଣ୍ଡରେ ଆନୁମାନିକ ୧୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ଆଜି ସକାଳ ପ୍ରାୟ ସାଢେ ପାଞ୍ଚଟା ବେଳକୁ ସାତଭଉଣୀ ବଜାରରେ ଥିବା ସୁଦର୍ଶନ ପରିଡ଼ାଙ୍କ ମିଠା ଦୋକାନରେ ଗ୍ୟାସ ଯୋଗେ ଜଳଖିଆ ପ୍ରସ୍ତୁତ ଚାଲିଥିଲା। ଏହି ସମୟରେ ଅସାବଧାନତା ଯୋଗୁଁ ଆଞ୍ଚରୁ ନିଆଁ ବାହାରି ଆସିଥିବା ବେଳେ ଗ୍ୟାସ ଟାଙ୍କିକୁ ଜଣେ କର୍ମଚାରୀ ଟାଣି ନେବାରୁ ଏଥିରୁ ପାଇପ ବାହାରି ଯାଇ ନିଆଁ ଆଖି ପିଛୁଳାକେ ଲାଗି ଯାଇଥିଲା।

ନିଆଁ ପ୍ରଖର ହୋଇ ସୁଦର୍ଶନଙ୍କ ମିଠା ଦୋକାନକୁ ଗିଳି ଦେବା ସଙ୍ଗେ ସଙ୍ଗେ କେଇ ମିନିଟ୍‌ ମଧ୍ୟରେ ଦୁଇ ପାଖରେ ଥିବା ଅନ୍ୟ ପାଞ୍ଚଟି ଦୋକାନ ଜଳି ଯାଇଥିଲା। ଜୀବନ ଭୟରେ ମିଠା ଦୋକାନୀଙ୍କ ସମେତ ଅନ୍ୟମାନେ ବାହାରକୁ ପଳାଇ ଆସିଥିବା ବେଳେ ଅନ୍ୟ ଦୋକାନ ଖୋଲା  ନ ଥିଲା। ଭଦ୍ରକରୁ ଦମକଳ ଗାଡ଼ି ଆସି ନିଆଁ ଲିଭାଇ ଥିଲେ ମଧ୍ୟ ୬ଟି ଦୋକାନରୁ କୌଣସି ଗୋଟିଏ ମଧ୍ୟ ଜିନିଷ ଉଦ୍ଧାର ହୋଇ ପାରିନଥିଲା। ଅଗ୍ନିକାଣ୍ଡରେ ସୁଦର୍ଶନ ପରିଡ଼ାଙ୍କ ଜଳଖିଆ ଦୋକାନ ସମେତ ଶ୍ରୀଧର ପରିଡ଼ାଙ୍କ ସାର ଦୋକାନ, ବସନ୍ତ ଦାସଙ୍କ ବାଇକ୍‌ ଗ୍ୟାରେଜ, ସନ୍ତୋଷ ବେହେରାଙ୍କ ପାନ ଦୋକାନ, ଚିତ୍ତରଞ୍ଜନ ରାଉତଙ୍କ ଭେରାଇଟି ଷ୍ଟୋର ଏବଂ ରଞ୍ଜନ ଜେନାଙ୍କ କୋଇଲା ଦୋକାନ ଜଳି ଯାଇଛି। ନଗଦ ଟଙ୍କା ସହ ଏକାଧିକ ଫ୍ରିଜ, ସାର, ତେଲ, କୋଇଲା, ଥଣ୍ଡାପାନୀୟ ଆଦିକୁ ମିଶାଇ ପ୍ରାୟ ୧୦ ଲକ୍ଷ ଟଙ୍କାର ଜିନିଷପତ୍ର ନଷ୍ଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe