ପ୍ରଧାନଶିକ୍ଷକଙ୍କ ମାଡ଼ରେ ୬ ଛାତ୍ରଛାତ୍ରୀ ଗୁରୁତର

ଉତ୍ତର ଦେଇପାରିଲେନି ବୋଲି..

ପ୍ରଧାନଶିକ୍ଷକଙ୍କ ମାଡ଼ରେ ୬ ଛାତ୍ରଛାତ୍ରୀ ଗୁରୁତର

ବାହାନଗା : ମୌଖିକ ପରୀକ୍ଷାରେ ଉତ୍ତର ଦେଇ ନପାରିବାରୁ ଆଜି କୁନିକୁନି ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ପ୍ରଧାନ ଶିକ୍ଷକଙ୍କ ଆଖିବୁଜା ମାଡ଼ରେ ୬ଜଣ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ମାଡ଼ରେ ସେମାନଙ୍କ ହାତ ଓ ଗୋଡ଼ ଫାଟିଯାଇଛି। ଏହି ଘଟଣାକୁ ନେଇ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ କରୁଛି। ଏମିତି ଏକ ସମ୍ବେଦନଶୀଳ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍‌ ଅସିମିଳା କ୍ଲଷ୍ଟର ଅନ୍ତର୍ଗତ ଗଣ୍ଡସ୍ଥପୁର ୟୁପି ସ୍କୁଲ୍‌ରେ।

publive-imageଅଭିଯୋଗ ଅନୁସାରେ; ରାଜ୍ୟରେ ସରକାରୀ ସ୍କୁଲଗୁଡ଼ିକରେ ଆଜିଠାରୁ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ଏହି କ୍ରମରେ ଗଣ୍ଡସ୍ଥପୁର ୟୁପି ସ୍କୁଲ୍‌ରେ ମଧ୍ୟ ପରୀକ୍ଷା ଚାଲିଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ ଅନ୍ତର୍ଯାମୀ ନାୟକ ଚତୁର୍ଥ ଶ୍ରେଣୀ ପିଲାଙ୍କ ସାହିତ୍ୟ ପରୀକ୍ଷା କରାଉଥିଲେ। ମୌଖିକ ପରୀକ୍ଷା ବେଳେ କେତେକ ଛାତ୍ରଛାତ୍ରୀ ଠିକ୍‌ ଉତ୍ତର ଦେଇ ନପାରିବାରୁ ଶ୍ରୀ ନାୟକ ରାଗରେ ପଞ୍ଚମ ହୋଇ ଯାଇଥିଲେ।

ସେ ନିଜର ହିତାହିତ ଜ୍ଞାନ ଭୁଲି ଛାତ୍ରଛାତ୍ରୀଙ୍କୁ ଚାପୁଡ଼ା ମାରିବା ସହ ବେଗୁନିଆ ବାଡ଼ିରେ ନିସ୍ତୁକ ପିଟିଥିଲେ। ଫଳରେ ୬ ଜଣ ଛାତ୍ରଛାତ୍ରୀଙ୍କ ଗୋଡ଼, ହାତ ଓ କାନ୍ଧରେ ଆଘାତ ଲାଗି ସେମାନେ ଗୁରୁତର ଆହତ ହୋଇଥିଲେ। ଘରକୁ ଯିବା ପରେ ପରିବାର ଲୋକେ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ। ଫଳରେ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ସେମାନେ ଘଟଣା ବାବଦରେ ଶିକ୍ଷକଙ୍କୁ ପଚାରିବା ପାଇଁ ବିଦ୍ୟାଳୟକୁ ଯାଇଥିଲେ। ହେଲେ ସେତେବେଳେ ବିଦ୍ୟାଳୟ ଛୁଟି ହୋଇଯାଇଥିଲା। ପରେ ପିଲାମାନଙ୍କ ଚିକିତ୍ସା କରାଯିବା ସହ ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ତିନିଜଣ ଛାତ୍ରୀଙ୍କ ଅଭିଭାବକ ସାଉଡ଼ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି।

ତେବେ ଅନ୍ୟ ଜଣେ ଛାତ୍ରୀ ଓ ଦୁଇଜଣ ଛାତ୍ରଙ୍କ ଅଭିଭାବକ ପ୍ରଧାନଶିକ୍ଷକଙ୍କ ଭୟରେ ପୁଲିସ ପାଖକୁ ଯାଇନଥିବା ଜଣାପଡ଼ିଛି। ଅନ୍ୟପଟେ ପରିସ୍ଥିତି ଜଟିଳ ହେଉଥିବା ଜାଣିପାରି ପ୍ରଧାନଶିକ୍ଷକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କୁ ମାମଲା ଚପାଇବା ପାଇଁ ଛାତ୍ରଛାତ୍ରୀଙ୍କ ଘରକୁ ପଠାଇଥିଲେ। ହେଲେ କିଛି ଫଳ ମିଳିନଥିଲା। ପରିସ୍ଥିତିକୁ ଦେଖି ଫାଣ୍ଡି ଅଧିକାରୀ ଶରତ ଚନ୍ଦ୍ର ଧଳ ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ତଦନ୍ତ କରିଛନ୍ତି। ହେଲେ ସଂପୃକ୍ତ ପ୍ରଧାନଶିକ୍ଷକ ପୁଲିସକୁ ଧରାଛୁଆଁ ଦେଇନାହାନ୍ତି। ଘଟଣା ବାବଦରେ ବିଇଓ ଶୁଭଲକ୍ଷ୍ମୀ ନାୟକଙ୍କୁ ପଚାରିବାରୁ ତଦନ୍ତ କଲା ପରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ ଫୋନ୍‌ରେ ଯୋଗାଯୋଗ କରିବାରୁ ସେ ପିଲାମାନଙ୍କୁ ଡରାଇବା ଉଦ୍ଦେଶ୍ୟରେ ଅଳ୍ପ ମାଡ଼ ମାରିଥିବା ସ୍ୱୀକାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe