୫-ଟି ଅନ୍ତର୍ଭୁକ୍ତ ଜଗତପୁର ସରକାରୀ ହାଇସ୍କୁଲ୍‌ରେ ୬ ଶିକ୍ଷକ ପଦବି ଖାଲି

Advertisment
୫-ଟି  ଅନ୍ତର୍ଭୁକ୍ତ ଜଗତପୁର ସରକାରୀ ହାଇସ୍କୁଲ୍‌ରେ ୬ ଶିକ୍ଷକ ପଦବି ଖାଲି

Freepik

କଟକ-ଜଗତପୁର: ମୋ ସ୍କୁଲ୍‌ ଯୋଜନା ଦ୍ବାରା ସରକାରୀ ହାଇସ୍କୁଲ୍‌ର ଭିତ୍ତିଭୂମିକୁ ରାଜ୍ୟ ସରକାର ଉନ୍ନତୀକରଣ କରୁଛନ୍ତି। ସ୍କୁଲ୍‌ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ଓ ଉତ୍ସାହ ବୃଦ୍ଧି ପାଇବା ଲକ୍ଷ୍ୟରେ ସ୍କୁଲ୍‌ଗୁଡ଼ିକୁ ୫-ଟି ଯୋଜନାରେ ରୂପାନ୍ତରଣ କରାଯାଉଛି। ମାତ୍ର ଆବଶ୍ୟକୀୟ ଶିକ୍ଷକ ଓ କର୍ମଚାରୀ ଅଭାବ ଯୋଗୁଁ ଏହି ଯୋଜନା ଠିକ୍ ରୂପେ ଫଳପ୍ରଦ ହେଉନାହିଁ। ସିଏମ୍‌ସି ୪୮ନଂ ୱାର୍ଡ ପୁରୁଣା ଜଗତପୁର ଗ୍ରାମ ପ୍ରବେଶ ପଥରେ ୧୯୮୧ ମସିହାରୁ ପ୍ରତିଷ୍ଠିତ ହୋଇଥିବା ଜଗତପୁର ସରକାରୀ ହାଇସ୍କୁଲ୍‌ରେ ସମାନ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ସ୍କୁଲ୍‌ରେ ପ୍ରଥମରୁ ଦଶମ ଶ୍ରେଣୀରେ ମୋଟ୍‌ ୪୮୬ ବିଦ୍ୟାର୍ଥୀ ପଢ଼ୁଥିବା ବେଳେ ସେମାନଙ୍କ ଶିକ୍ଷାଦାନ ନିମନ୍ତେ ଆବଶ୍ୟକ ଶିକ୍ଷକ, ଶିକ୍ଷୟିତ୍ରୀ ନାହାନ୍ତି। ବିଜ୍ଞାନ ଶିକ୍ଷକଙ୍କ (ପିସିଏମ୍) ନିଯୁକ୍ତି ଥିବାବେଳେ ଅନ୍ୟତମ ବିଜ୍ଞାନ ଶିକ୍ଷକ (ସିବିଜେଡ୍)ଙ୍କୁ ଅଦ୍ୟାବଧି ନିଯୁକ୍ତି ଦିଆଯାଇ ନାହିଁ।

ସେହିପରି ସଂସ୍କୃତ ଓ ହିନ୍ଦୀ ଶିକ୍ଷକଙ୍କ ସ୍ଥାୟୀ ନିଯୁକ୍ତି ରହିଥିବା ହିନ୍ଦୀ ଶିକ୍ଷୟିତ୍ରୀ ଦେବସ୍ମିତା ଦାସ ସପ୍ତାହକୁ ୩ ଦିନ ଡେପୁଟେସନ୍‌ରେ ଯାଉଛନ୍ତି। ଫଳରେ ହିନ୍ଦୀ ବିଷୟ ଚୟନ କରିଥିବା ଛାତ୍ରଛାତ୍ରୀଙ୍କୁ ଠିକ୍‌ ଭାବେ ଶିକ୍ଷାଦାନ ମିଳିପାରୁ ନାହିଁ। ଅନ୍ୟପକ୍ଷେ କିରାଣି ଭାବେ ନିଯୁକ୍ତି ଦିଆଯାଇଥିବା ତାପସ ଦାସଙ୍କୁ ଡିଇଓଙ୍କ କାର୍ଯ୍ୟାଳୟକୁ ଡେପୁଟେସନ୍‌ରେ ପଠାଯାଇଥିବାରୁ ସ୍କୁଲ୍‌ ଅଫିସ୍‌ କାର୍ଯ୍ୟ ତୁଲାଇବା ପାଇଁ ପ୍ରଧାନଶିକ୍ଷକଙ୍କ ଉପରେ ଚାପ ସୃଷ୍ଟି ହେଉଛି। ଜଣେ ରାତ୍ରି ଜଗୁଆଳି ସମେତ ୪ ଜଣ ପିଅନଙ୍କ ଆବଶ୍ୟକତା ଥିବାବେଳେ ଜଣେ ମାତ୍ର ପିଅନ ଏହି କାର୍ଯ୍ୟକୁ ତୁଲାଇ ଆସୁଛନ୍ତି। ଫଳରେ ବିଦ୍ୟାଳୟ କାର୍ଯ୍ୟ ପରିଚାଳନା ଓ ସୁରକ୍ଷାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସମଗ୍ର ଜଗତପୁର ଅଞ୍ଚଳରେ ଦ୍ୱିତୀୟ ସରକାରୀ ହାଇସ୍କୁଲ୍‌ ଭାବେ ପରିଚିତ ଏହି ଶିକ୍ଷାନୁଷ୍ଠାନଟି ୨୦୨୦ ମସିହାରେ ଜଗତପୁର ନୋଡାଲ୍‌ ହାଇସ୍କୁଲ୍‌ ଭାବେ ସରକାରୀ ସ୍ୱୀକୃତି ପାଇଥିଲା।

ପ୍ରଧାନଶିକ୍ଷକ ଭାବେ ପ୍ରଥମେ ରଞ୍ଜନ ନାୟକ ଦାୟିତ୍ୱ ପରିଚାଳନା କରିଥିବା ବେଳେ ଏବେ ପ୍ରଧାନଶିକ୍ଷକ ଭାବେ ଝରଣା ନାୟକ ଦାୟିତ୍ୱରେ ରହିଛନ୍ତି। ଚଳିତ ବର୍ଷ ମେ’ ୮ ତାରିଖରେ ୫-ଟି ରୂପାନ୍ତୀକରଣ ଶିକ୍ଷାନୁଷ୍ଠାନ ଭାବେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହି ସ୍କୁଲ୍‌କୁ ଲୋକାର୍ପିତ କରାଯାଇଛି। ସ୍କୁଲ୍‌ରେ ଯଦିଓ ଇ-ଲାଇବ୍ରେରି, ବିଜ୍ଞାନଗାର ଏବଂ ସ୍ମାର୍ଟ କ୍ଲାସ୍‌ ବ୍ୟବସ୍ଥା କରାଯାଇଛି, କିନ୍ତୁ ଶିକ୍ଷାଦାନ ଭଳି ମୌଳିକ ଦିଗକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି। ଆବଶ୍ୟକୀୟ ଶିକ୍ଷକ, କିରାଣି, ପିଅନ, ରାତ୍ରଜଗୁଆଳି ପଦବି ପୂରଣ କରାଯାଉ ନଥିବାରୁ ଶିକ୍ଷାଦାନରେ ଘୋର୍ ସମସ୍ୟା ସୃଷ୍ଟି ହୋଇଛି।

ଏ ସମ୍ପର୍କରେ ପ୍ରଧାନଶିକ୍ଷକ ଝରଣା ନାୟକଙ୍କୁ ପଚାରିବାରୁ, ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ପଦବି ପୂରଣ କରାଗଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ବଳମୟ ହେବା ସହ ଶୈକ୍ଷିକ ଭିତ୍ତିଭୂମି ସୁଦୃଢ଼ ହୋଇପାରିବ ବୋଲି କହିଛନ୍ତି। ସ୍କୁଲ୍‌ରେ ଅନେକ ମାସ ହେବ ଶିକ୍ଷକ ଓ କର୍ମଚାରୀ ପଦବି ଖାଲି ପଡ଼ିଥିବାରୁ ଶିକ୍ଷାଦାନ ଓ ଅଫିସ୍‌ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ବୋଲି ବିଦ୍ୟାଳୟ ପରିଚାଳନା ଏବଂ ଉନ୍ନୟନ କମିଟି ସଦସ୍ୟ ବିଜୟ ଭୂୟାଁ କହିଛନ୍ତି। ଉପରୋକ୍ତ ପଦବି ପୂରଣ ପାଇଁ କମିଟି ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏବଂ ବିଧାୟକଙ୍କୁ ଲିଖିତ ଭାବେ ଆବେଦନ କରାଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe