ଝାରସୁଗୁଡ଼ା: ଝାରସୁଗୁଡ଼ା ସଦର ବ୍ଲକ ଜମେରା ଏମ୍ଇ ସ୍କୁଲରେ ଆଜି ମଧ୍ୟାହ୍ନ ଭୋଜନ ଖାଇ ୬୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ସ୍କୁଲ ପରିସରରେ ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ିବାରୁ ସଦର ଥାନା ପୁଲିସ୍ ପହଞ୍ଚିଥିଲା। ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସୁଶାନ୍ତ ଘୁଟା ପହଞ୍ଚି ତଦନ୍ତ କରିଥିଲେ। ଖବରପାଇ ଝାରସୁଗୁଡ଼ା ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଫୁଡ୍ ଇନ୍ସପେକ୍ଟର ପହଞ୍ଚି ଖାଦ୍ୟ ନମୁନା ସଂଗ୍ରହ କରିଛନ୍ତି। ତଦନ୍ତ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଜିଲ୍ଲାପାଳ ଶ୍ରୀମତୀ ନରୱଣେ କହିଛନ୍ତି।
ଆଜି ଶନିବାର ଥିବାରୁ ଦିନ ପ୍ରାୟ ସାଢ଼େ ୯ଟାରେ ଶିଶୁଙ୍କୁ ମଧ୍ୟାହ୍ନ ଭୋଜନରେ ଭାତ ଓ ଅଣ୍ଡା ଦିଆଯାଇଥିଲା। ୧୭୧ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୩୧ ଜଣ ଉପସ୍ଥିତ ଥିଲେ। ଖାଇସାରିବାର କିଛି ସମୟ ପରେ ଛାତ୍ରଛାତ୍ରୀଙ୍କ ମୁଣ୍ଡ ଓ ପେଟ ବ୍ୟଥା ହେବା ସହ ଝାଡ଼ାବାନ୍ତି ହୋଇଥିଲା। କେତେକ ଛାତ୍ରଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସିଆର୍ସିସି ଜିଲ୍ଲା ଶିକ୍ଷା ବିଭାଗକୁ ଜଣାଇବା ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ କ୍ୟାମ୍ପ କରି ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲା। ସନ୍ଧ୍ୟା ୪ଟା ସୁଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩୪ ଜଣ ଛାତ୍ରଛାତ୍ରୀ ଭର୍ତ୍ତି ହୋଇଥିବା ବେଳେ ୧୫ ଜଣ ଶିଶୁଙ୍କୁ ନିରୀକ୍ଷଣରେ ରଖାଯାଇଥିବା ସୂଚନା ମିଳିଛି। ଜିଲ୍ଲା ଶିକ୍ଷା ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି। ଆଜି ରୋଷେଇ ସମୟରେ ୫ଟି ଅଣ୍ଡା ଖରାପ ବାହାରିଥିଲା। ଏହି ଅଣ୍ଡାଗୁଡ଼ିକୁ ବାହାର କରିଦିଆଯାଇଥିଲା ବୋଲି ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଘୁଟା କହିଛନ୍ତି। ସ୍କୁଲ ପରିସରରେ ପଚା ଅଣ୍ଡାଗୁଡ଼ିକ ପଡ଼ିଥିବା ଦେଖିବାକୁ ମିଳିଛି।
Follow Us