ପୁଲିସ ବିଭାଗରେ ସଂକ୍ରମିତ ହେଲେଣି ୬୦୦

Advertisment

୧୧ ପୁଲିସ ଜିଲ୍ଲା, ୯ ବାଟାଲିୟନ ପ୍ରଭାବିତ

୧୧ ପୁଲିସ ଜିଲ୍ଲା, ୯ ବାଟାଲିୟନ ପ୍ରଭାବିତ

କରୋନାର ହଟସ୍ପଟ୍‌ ଗଞ୍ଜାମ ଏବେ ନିୟନ୍ତ୍ରଣରେ, ତଥାପି ଭୟ ଟିଳିନି

କଟକ : ଓଡ଼ିଶା ପୁଲିସ ବିଭାଗରେ ୬୦୦ରୁ ଅଧିକ ପୁଲିସ ବାବୁ କରୋନାରେ ଆକ୍ରାନ୍ତ ହେଲେଣି। ଏମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଓ ବ୍ରହ୍ମପୁର ପୁଲିସ ଜିଲ୍ଲାରେ ୨୦୦ରୁ ଅଧିକ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ରାଜ୍ୟର ୧୧ଟି ପୁଲିସ ଜିଲ୍ଲା ଏବଂ ୯ଟି ବାଟାଲିୟନକୁ ଆଜି ସୁଦ୍ଧା କରୋନା ଛୁଇଁ ସାରିଲାଣି। ବାଟାଲିୟନ ବାରାକରେ ଏକାଧିକ ପୁଲିସ କର୍ମଚାରୀ ଏକାଠି ରହୁଥିବାରୁ ସେଠାରେ ସଂକ୍ରମଣ ଆଶଙ୍କା ବଢ଼ିଯାଇଛି। ତ୍ବରିତ ସ୍ବାବ୍ ସଂଗ୍ରହ କରି ସଂଗରୋଧ ନକଲେ ପୁଲିସ ବିଭାଗରେ ସଂଖ୍ୟା ଖୁବ୍‌ଶୀଘ୍ର ୧ ହଜାର ଟପିବା ନେଇ ଆଶଙ୍କା କରାଯାଉଛି। ଅନ୍ୟପଟେ ଗୁରୁବାର ସୁଦ୍ଧା ମୋଟ ୩୧୪ ପୁଲିସ ବାବୁ କରୋନାରୁ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାଥମିକ ପର୍ଯ୍ୟାୟରେ ୪ ଜଣ ପ୍ଲାଜମା ଦେବାକୁ ବଡ଼ ମେଡିକାଲ୍ ନିଷ୍ପତ୍ତି ନେଇଥିବା ପୁଲିସ ମୁଖ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।

ଓଡ଼ିଶା ପୁଲିସ ବିଭାଗରେ କାର୍ଯ୍ୟରତ ପୁଲିସ ବାବୁ ଯେଉଁମାନେ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଛନ୍ତି, ସେମାନେ ପ୍ଲାଜମା ଦାନ କରିବା ପାଇଁ ଡିଜି ଅଭୟ ସମସ୍ତ ଜିଲ୍ଲା ଏସପି ଏବଂ ଏଷ୍ଟାବ୍ଲିସମେଣ୍ଟ ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି। ଏଥିପାଇଁ ପୁଲିସ ବିଭାଗ ଏକ ସ୍ବତନ୍ତ୍ର ଏସଓପି ଜାରି କରିଛି। ଯେଉଁ ଜିଲ୍ଲାର ପୁଲିସ କର୍ମଚାରୀ ପ୍ଲାଜମା ଦେବାକୁ ଇଚ୍ଛୁକ ଥିବେ ତାଙ୍କୁ ପୁଲିସ ମୁଖ୍ୟାଳୟ ପକ୍ଷରୁ ଗସ୍ତ ଖର୍ଚ୍ଚ ସହିତ ଯିବା ଆସିବାର ବ୍ୟବସ୍ଥା ମଧ୍ୟ ଯୋଗାଇ ଦିଆଯିବ। ବଡ଼ ମେଡିକାଲ୍ ଡାକ୍ତର ସ୍କ୍ରିନିଂ କରିବା ପରେ ପ୍ଲାଜମା ସଂଗ୍ରହ ପାଇଁ ଅନୁମତି ମିଳିପାରିବ ବୋଲି ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଆଜି ସୁଦ୍ଧା କରୋନା କଟକ ଓ ଭୁବନେଶ୍ବର କମିସନରେଟ୍ ପୁଲିସ ବାଦ୍ କଟକ ଗ୍ରାମାଞ୍ଚଳ, ବ୍ରହ୍ମପୁର, ଗଞ୍ଜାମ, ବଲାଙ୍ଗୀର, କଳାହାଣ୍ଡି, ମୟୁରଭଞ୍ଜ, ମାଲକାନଗିରି, ନୟାଗଡ଼, ପୁରୀ, ଝାରସୁଗୁଡ଼ା ଭଳି ୧୧ଟି ପୁଲିସ ଜିଲ୍ଲା ସମେତ ଓଏସଏପି ଦ୍ବିତୀୟ ବାଟାଲିୟନ, କୋରାପୁଟ ଓଏସଏପି ତୃତୀୟ ବାଟାଲିୟନ, କଟକ ଓଏସଏପି ଷଷ୍ଠ ବାଟାଲିୟନ, ଛତ୍ରପୁର ଓଏସଏପି ଅଷ୍ଟମ ବାଟାଲିୟନ, ମାଲକାନଗିରି ଓଏସଏପି ଚତୁର୍ଥ ବାଟାଲିୟନ, ଦେଓଗଡ଼ ବମ୍ପରଡ଼ା ଚତୁର୍ଥ ବାଟାଲିୟନ, ବୌଦ୍ଧ ବାଲାସିଙ୍ଗା ୫ମ ବାଟାଲିୟନ, କୋରାପୁଟ ସପ୍ତମ ସ୍ବତନ୍ତ୍ର ବାଟାଲିୟନ, ଭୁବନେଶ୍ବର କମିସନରେଟ୍ ପୁଲିସ ଅଧିନରେ ଓଏସଏପି ସପ୍ତମ ବାଟାଲିୟନ ଭଳି ୯ଟି ବାଟାଲିୟନକୁ ଛୁଇଁସାରିଲାଣି। ଓଏସଏପି ସପ୍ତମ ବାଟାଲିୟନରେ ଗଲା ଏକ ସପ୍ତାହ ତଳେ ୬ ଜଣ କରୋନା ଆକ୍ରାନ୍ତ ପୁଲିସ କର୍ମଚାରୀ ଚିହ୍ନଟ ହୋଇଥିବା ବେଳେ ବୁଧବାର ରାତିରେ ଆହୁରି ୯ ଜଣ ପୁଲିସ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ସପ୍ତମ ବାଟାଲିୟନରେ ଦୁଇ ସପ୍ତାହ ଭିତରେ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ବାଟାଲିୟନରେ ଆତଙ୍କ ଖେଳି ଯାଇଛନ୍ତି। ରାଜ୍ୟ ପୁଲିସ ବିଭାଗରେ ପ୍ରାଥମିକ ପର୍ଯ୍ୟାୟରେ ୪ ଜଣଙ୍କ ପ୍ଲାଜମା ସଂଗ୍ରହ ପାଇଁ ବଡ଼ ମେଡିକାଲ୍ ସବୁଜ ସଂକେତ ଦେଇଥିବା ବେଳେ ପ୍ରଥମ ବ୍ୟାଚରେ ଶୁକ୍ରବାର ଦୁଇ ଜଣ ପ୍ଲାଜମା ଦେବାକୁ ଯାଉଛନ୍ତି। ଚଳିତ ସପ୍ତାହରେ ତିନିଟି ପର୍ଯ୍ୟାୟରେ ୯୫, ୧୦୨ ଏବଂ ୧୧୭ ପୁଲିସ କର୍ମଚାରୀ ସୁସ୍ଥ ହୋଇ ୧୪ ଦିନ ସଂଗରୋଧରେ ରହିବା ପରେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଯେଉଁ ୩୧୪ ଜଣ ଆଜି ସୁଦ୍ଧା ସୁସ୍ଥ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଯେଉଁମାନେ ୨୮ ଦିନ ଅତିକ୍ରମ କରିଛନ୍ତି, ଏବେ ସେମାନଙ୍କ ତାଲିକା ପ୍ରସ୍ତୁତ କରି ପର୍ଯ୍ୟାୟକ୍ରମେ ବଡ଼ ମେଡିକାଲ୍ ସ୍କ୍ରିନିଂ ପାଇଁ ପଠାଯିବାକୁ ନିଷ୍ପତ୍ତି ହୋଇଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe