ବିଦ୍ୟୁତ ଆବଣ୍ଟନ ସଂସ୍କାର କମିଟିର ୬୨୮୩ କୋଟି ଯୋଜନା ଅଟକଳ

Advertisment

ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟା ପ୍ରତିରୋଧ କ୍ଷମତା ସଂପର୍ଣ୍ଣ ବିଦ୍ୟୁତ ନେଟୱାର୍କ ଉପରେ ଗୁରୁତ୍ୱ

ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟା ପ୍ରତିରୋଧ କ୍ଷମତା ସଂପର୍ଣ୍ଣ ବିଦ୍ୟୁତ ନେଟୱାର୍କ ଉପରେ ଗୁରୁତ୍ୱ

ଏପ୍ରିଲ ପ୍ରଥମାର୍ଦ୍ଧରେ ବିଜୁଳି ବ୍ୟବହାର ୧୦% ବୃଦ୍ଧି

ଭୁବନେଶ୍ବର : ବିଦ୍ୟୁତ ଆବଣ୍ଟନ ସଂସ୍କାର କମିଟିର ବୈଠକ ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି। ପୁନଃନିର୍ମାଣ ଆବଣ୍ଟନ କ୍ଷେତ୍ରୀୟ ଯୋଜନା ଅଧୀନସ୍ଥ କ୍ରିୟାନୁଷ୍ଠାନ ଓ ଏହା ସଂକ୍ରାନ୍ତୀୟ ବିସ୍ତୃତ ପ୍ରକଳ୍ପ ରିପୋର୍ଟକୁ ଏହି କମିଟି ଅନୁମୋଦନ କରିଛି। ଏହାକୁ କେନ୍ଦ୍ର ସରକାରଙ୍କ ଶକ୍ତି ମନ୍ତ୍ରଣାଳୟକୁ ପଠାଯିବ।

ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ କମିଟିର କ୍ରିୟାନୁଷ୍ଠାନ ଯୋଜନା ସଂପର୍କରେ ଉପସ୍ଥାପନ କରିଥିଲେ। ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟା ପ୍ରତିରୋଧ କ୍ଷମତା ସଂପର୍ଣ୍ଣ ବିଦ୍ୟୁତ ନେଟୱାର୍କ ସୁଦୃଢ଼ୀକରଣ ଉପରେ ଗୁରୁତ୍ବାରୋପ କରାଯାଇଛି। ବାତ୍ୟାଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହେଉଥିବା ଅଞ୍ଚଳରେ ବିଦ୍ୟୁତ ସଂଯୋଗୀକରଣ ସୁଦୃଢ଼ କରାଗଲେ ବାତ୍ୟା ପରବର୍ତ୍ତୀ ବିଦ୍ୟୁତ କ୍ଷୟକ୍ଷତି ଅନେକାଂଶରେ ହ୍ରାସପାଇବ। ଏଥିରେ ପ୍ରାୟ ୭୦ ଶତକଡ଼ା ପାଣ୍ଠି ବିନିଯୋଗ ଦ୍ୱାରା ସଂପୃକ୍ତ ଅଞ୍ଚଳରେ ଥବା ଡାକ୍ତରଖାନା, ଆଶ୍ରୟସ୍ଥଳୀ, ଜଳଯୋଗାଣ ଉତ୍ସ, ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ଓ ପ୍ରଶାସନିକ କୋଠା ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ବାତ୍ୟା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ହୋଇପାରିବ। ବୈଠକରେ ୬୨୮୩ କୋଟି ଟଙ୍କାର ଯୋଜନା ଅଟକଳକୁ ଅନୁମୋଦନ କରାଯାଇଛି। ତହିଁରେ ୩୯୪୨ କୋଟି ଟଙ୍କା କେନ୍ଦ୍ର ସରକାର ବହନ କରୁଥିବା ବେଳେ ୨୩୪୧ କୋଟି ଟଙ୍କା ରାଜ୍ୟ ରାଜକୋଷରୁ ଭରଣା କରାଯିବ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ, ଟିପିସିଓଡିଏଲ୍ ମୁଖ୍ୟ ନିର୍ବାହୀ ଅଧିକାରୀ ଏମ୍ ସେନବାଗମ, ଓପିଟିସିଏଲ୍ ସିଏମ୍‌ଡି ସଞ୍ଜୟ କୁମାର ମିଶ୍ର, ଗ୍ରିଡକୋ ଏମ୍‌ଡି ତ୍ରିଲୋଚନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe