ଅଶାନ୍ତ ଗଞ୍ଜାମ, ଗଡ଼ୁଛି ମୁଣ୍ଡ: ୯ ମାସରେ ୬୩ ହତ୍ୟା, ମାସକରେ ୧୧

Advertisment
ଜେଡିୟୁ ପୋଲିଂ ଏଜେଣ୍ଟଙ୍କୁ ହତ୍ୟା

India Today

ବ୍ରହ୍ମପୁର: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଗଞ୍ଜାମ ଜିଲ୍ଲାରେ ପ୍ରତି ନିର୍ବାଚନ ପୂର୍ବରୁ ହିଂସାକାଣ୍ଡ ଘଟି ଲୋକଙ୍କ ଜୀବନ ଯାଇଥାଏ। ଏବେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପୁଣିଥରେ ଗଞ୍ଜାମ ଜିଲ୍ଲା ଅଶାନ୍ତ ହୋଇପଡ଼ିଛି। କିଛି କିଛି ଦିନର ବ୍ୟବଧାନରେ ହତ୍ୟାକାଣ୍ଡମାନ ଘଟୁଛି। କେଉଁଠି ରାଜନୈତିକ ଶତ୍ରୁତା ତ ଆଉ କେଉଁଠି ପୂର୍ବ ଶତ୍ରୁତାରୁ ମୁଣ୍ଡ ଗଡ଼ୁଛି। ଫଳରେ ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଥିବା ନେଇ ସାଧାରଣରେ ଆଲୋଚନା ଆରମ୍ଭ ହେଲାଣି। ଗଞ୍ଜାମ ପୁଲିସ ଜିଲ୍ଲାରେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା (୯ ମାସରେ) ମୋଟ ୬୩ଟି ହତ୍ୟା ମାମଲା ରୁଜୁ ହୋଇଛି। କେବଳ ଚଳିତ ସେପ୍ଟେମ୍ବର ମାସରେ ୧୧ଟି ହତ୍ୟା ମାମଲା ରୁଜୁ ହୋଇ ସାରିଲାଣି। ଯାହାକି ଏବେ ପୁଲିସ ପାଇଁ ଚିନ୍ତାର କାରଣ ହୋଇଛି। ୨୪ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲ୍ଲାର କୋଦଳା ଓ ଧରାକୋଟ ଥାନା ଇଲାକାରେ ଦୁଇଟି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଅବଶ୍ୟ ପୁଲିସ ହତ୍ୟାକାରୀଙ୍କୁ ଠାବ କରିବାରେ ସଫଳ ହୋଇଛି। କିନ୍ତୁ ନିର୍ବାଚନ ପୂର୍ବରୁ ବାରମ୍ବାର ଏଭଳି ହତ୍ୟା ଘଟଣା ପୁଲିସର ଚିନ୍ତା ବଢ଼ାଇ ଦେଇଛି।

ଅପରାଧକୁ ନେଇ ଗଞ୍ଜାମ ଜିଲ୍ଲା ସବୁ ବେଳେ ଚର୍ଚ୍ଚାରେ ରହି ଆସିଛି। ବିଶେଷ କରି ନିର୍ବାଚନ ପୂର୍ବରୁ ଅପରାଧ ମାତ୍ରା ବୃଦ୍ଧି ପାଇଥାଏ। ଗତ ୨୦୨୨ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଓ ପରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ହତ୍ୟାକାଣ୍ଡ ଘଟିଥିଲା। ଏବେ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ପୁଣିଥରେ ଜିଲ୍ଲାରେ ଅପରାଧ ବଢ଼ିବାରେ ଲାଗିଛି। କିଛି ହତ୍ୟା ଘଟଣା ପଛରେ ରାଜନୈତିକ ଶତ୍ରୁତା ଓ ଗୋ‌ଷ୍ଠୀ ବିବାଦ ରହିଥିବା ଦେଖିବାକୁ ମିଳୁଛି। ଏଭଳି ଅପରାଧକୁ ନିୟନ୍ତ୍ରଣ କରିବା ଏବେ ପୁଲିସ ପାଇଁ ଚାଲେଞ୍ଜ ହୋଇଛି। ଗଞ୍ଜାମ ପୁଲିସ ଜିଲ୍ଲାରେ ଗତ ୨୦୨୧ରେ ୭୭ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ୨୦୨୨ରେ ୫୭ଟି ହତ୍ୟା ମାମଲା ରୁଜୁ ହୋଇଥିଲା। କିନ୍ତୁ ଚଳିତ ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ୬୩ଟି ହତ୍ୟା ମାମଲା ରୁଜୁ ହୋଇ ସାରିଲାଣି। ଗଞ୍ଜାମ ପୁଲିସ ଜିଲ୍ଲାର ଗଞ୍ଜାମ, କବିସୂର୍ଯ୍ୟନଗର, କୋଟିନଡ଼ା, ପାଟପୁର, ରମ୍ଭା, ଶେରଗଡ଼, ସୋରଡ଼ା, କୋଦଳା ଓ ଧରାକୋଟ ଥାନା ଇଲାକାରେ ହତ୍ୟାକାଣ୍ଡ ଘଟିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଶେରଗଡ଼ ଥାନା ଇଲାକାରେ ସର୍ବାଧିକ ୩ଟି ହତ୍ୟା ମାମଲା ରୁଜୁ ହୋଇଛି।

ଗତ ୪ତାରିଖରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ସୁନାରିଝୋଳା ପଞ୍ଚାୟତ ପଙ୍କଳବାଡ଼ି ଗ୍ରାମରେ ପାରିବାରିକ କଳହରୁ ଦୁଇ ଜଣଙ୍କୁ ହତ୍ୟା କରାଯାଇଥିଲା। ମୃତକମାନେ ହେଲେ ସୁନାରିଝୋଳା ଗ୍ରାମର ମିଥୁନ୍ ଭୂୟାଁ ଓ ହିଞ୍ଜିଳିକାଟୁ ଥାନା ନୂଆଗଡ଼ ଗ୍ରାମର ଲିପୁନ୍ ସ୍ବାଇଁ। ସେହିପରି ଗତ ୯ତାରିଖରେ କୋଟିନଡ଼ା ଥାନା ଅଧୀନ ହରିଡ଼ାପଦର ଗ୍ରାମରେ ଗୋଷ୍ଠୀ ବିବାଦକୁ କେନ୍ଦ୍ର କରି ସଂଜୟ ନାୟକ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଶେରଗଡ଼ ଥାନା କୁମାରପାଣି ପଞ୍ଚାୟତର ଯୁବ ବିଜେଡି ନେତା ମଧୁ ବି‌ଷୋୟୀଙ୍କୁ ବାରସିଙ୍ଗି ଗ୍ରାମ ନିକଟ ନନ୍ଦିନୀ ସେତୁ ଉପରେ କିଛି ଦୁର୍ବୃତ୍ତ ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା କରିଥିଲେ। ଗତ ୨୧ ତାରିଖରେ ଶେରଗଡ଼ ଥାନା ଅଧୀନ ଲକ୍ଷ୍ମୀନୃସିଂହପୁର ଗ୍ରାମରେ ସୂର୍ଯ୍ୟ ଗୌଡ଼ ନାମକ ଜଣେ ଯୁବକଙ୍କୁ ପୂର୍ବ ଶତ୍ରୁତାରୁ ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ୨୪ତାରିଖରେ ପାଟପୁର ଥାନା ପଦ୍ମପୁର ପଞ୍ଚାୟତ ବୃନ୍ଦାବନନଗର ଗ୍ରାମ ଅନୀଲ ନାୟକଙ୍କୁ ହତ୍ୟା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe