ରାୟଗଡ଼ା ହଷ୍ଟେଲ୍‌ରେ ୬୪ କରୋନା ପଜିଟିଭ୍ ଚିହ୍ନଟ

Advertisment
ରାୟଗଡ଼ା ହଷ୍ଟେଲ୍‌ରେ ୬୪ କରୋନା ପଜିଟିଭ୍ ଚିହ୍ନଟ

ରାୟଗଡ଼ା : ରାୟଗଡ଼ାକୁ ଫେରିଛି କରୋନା। ଚତୁର୍ଥ ଲହରକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ ରାୟଗଡ଼ା କୋଟଲାଗୁଡ଼ା ଅନ୍ବେଷା ହଷ୍ଟେଲର ୪୪ ଅନ୍ତେବାସୀ ଶନିବାର ଦିନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ବିଷମକଟକ ବ୍ଲକ୍ ହାଟମୁନିଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର ୨୦ ଅନ୍ତେବାସୀ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦିନକରେ ୬୪ ସ୍କୁଲ୍ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହେବା ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି। ତେବେ ସେମାନଙ୍କର କୌଣସି କରୋନା ଲକ୍ଷଣ ନଥିବା ଜଣାପଡ଼ିଛି।

ଖରା ଛୁଟି ପାଇଁ ସ୍କୁଲ୍ ୬ ଦିନ ବନ୍ଦ ରହି ପୁଣି ଖୋଲିବା ପରେ ଗତ ୪ ତାରିଖରେ ସ୍ବାସ୍ଥ୍ୟ ବିଭାଗର ରାପିଡ୍ ରେସପନସ୍ ଟିମ୍ ପକ୍ଷରୁ ଅନ୍ତେବାସୀଙ୍କ ଆରଟିପିସିଆର୍ ଟେଷ୍ଟିଂ କରାଯାଇଥିଲା। ଆରଆରଟି ଟିମ୍ କୋଟଲାଗୁଡ଼ା ଅନ୍ବେଷା ହଷ୍ଟେଲ୍ ବ୍ଲକ୍-୧ରେ ରହୁଥିବା ୨୫୭ ଅନ୍ତେବାସୀଙ୍କ ଆରଟିପିସିଆର୍ ଟେଷ୍ଟିଂ କରିଥିଲେ। ସେଥି ମଧ୍ୟରୁ ୪୪
ଅନ୍ତେବାସୀଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ ଶତପଥୀ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ହଷ୍ଟେଲ ପରିଦର୍ଶନରେ ଯାଇ କର୍ତ୍ତୃପକ୍ଷଙ୍କ ସମେତ ଅନ୍ତେବାସୀଙ୍କୁ ସାବଧାନତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଅନ୍ୱେଷା ହଷ୍ଟେଲରେ ରହୁଥିବା ଅନ୍ତେବାସୀ ରାୟଗଡ଼ା ସହରର ୮ଟି ଇଂରାଜୀ ମିଡିୟମ୍ ସ୍କୁଲରେ ଅଧ୍ୟୟନରତ। ସେହିପରି ବିଷମକଟକ ବ୍ଲକ୍ ହାଟମୁନିଗୁଡ଼ା ସ୍କୁଲର ୨୦ ଅନ୍ତେବାସୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କୁ ଗୃହ ସଙ୍ଗରୋଧରେ ରଖି ସ୍ବାସ୍ଥ୍ୟାବସ୍ଥା ଉପରେ ତୀକ୍ଷଣ ନଜର ରଖିଛି ସ୍ବାସ୍ଥ୍ୟ ବିଭାଗ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe