ଲୋକଙ୍କ ଭଲ ପାଇଁ ସାଧୁତା ଓ ନିଷ୍ଠାର ସହ କାମ କର: ମୁଖ୍ୟମନ୍ତ୍ରୀ

ସରକାରଙ୍କ ପ୍ରତ୍ୟେକ ପଦକ୍ଷେପ ଲୋକଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ, ଖଣି ବିଭାଗରେ ଯୋଗଦେଲେ ୬୫ ଅଧିକାରୀ

ଲୋକଙ୍କ ଭଲ ପାଇଁ ସାଧୁତା ଓ ନିଷ୍ଠାର ସହ କାମ କର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟ ଇସ୍ପାତ ଓ ଖଣି ବିଭାଗରେ ୬୫ ଜଣ ନୂଆ ଅଧିକାରୀ ଯୋଗ ଦେଇଛନ୍ତି। ସେମାନେ ଓଡ଼ିଶା ଖଣିଜ ପ୍ରଶାସନିକ ସେବା, ଓଡ଼ିଶା ଭୂତାତ୍ତ୍ବିକ ସେବା ଓ ଓଡ଼ିଶା ଅଧସ୍ତନ ଖଣିଜ ପ୍ରଶାସନିକ ସେବା କ୍ୟାଡର୍‌ରେ ମନୋନୀତ ହୋଇଛନ୍ତି। ଆଜି ସେମାନଙ୍କ ପାଇଁ ଆୟୋଜିତ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ଯୋଡ଼ି ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ, ସରକାରଙ୍କ ପ୍ରତ୍ୟେକ ପଦ‌କ୍ଷେପ ଲୋକଙ୍କ କଲ୍ୟାଣ ପାଇଁ ଉଦ୍ଦି‌ଷ୍ଟ। ୫-ଟି ଓ ମୋ ସରକାର ପଦକ୍ଷେପ ମାଧ୍ୟମରେ ଲୋକଙ୍କୁ ଉନ୍ନତମାନର ସେବା ଯୋଗାଇବା ପାଇଁ ସରକାର ନିଷ୍ଠାର ସହ କାମ କରୁଛନ୍ତି। ଏକ ନୂ୍ଆ ରଣନୀତି ଯେତେ ଭଲ ହୋଇଥାଉ ନା କାହିଁକି, ଏହାର ବାସ୍ତବ ସଫଳତା ଫଳପ୍ରଦ କାର୍ଯ୍ୟକାରିତା ଉପରେ ନିର୍ଭର କରେ। ତେଣୁ ସମସ୍ତେ ସାଧୁତା ଓ ନିଷ୍ଠାର ସହ ଲୋକଙ୍କ ସୁବିଧା ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥଲେ, ଖଣିଜ ପ୍ରଶାସନିକ ସେବା ଓ ଭୂତାତ୍ତ୍ବିକ ସେବା ନିଜ ନିଜ ବାଟରେ ସ୍ବତନ୍ତ୍ର। ଏହାର ଲକ୍ଷ୍ୟ ହେଲା ସ୍ବଚ୍ଛ ପ୍ରଶାସନିକ ବ୍ୟବସ୍ଥା ମାଧ୍ୟମରେ ମୂଲ୍ୟବାନ ଖଣିଜ ସମ୍ପଦର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ କରିବା। ଏଥି ପାଇଁ ବୈଜ୍ଞାନିକ ପ୍ରଣାଳୀ ଓ ଆଧୁନିକ ଜ୍ଞାନକୌଶଳକୁ ଆପଣାଇବାର ଆବଶ୍ୟକତା‌ ରହିଛି। ଖଣିଜ କାରବାରର ତଦାରଖ ପାଇଁ ସରକାର ଫଳପ୍ରଦ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। ଏହାକୁ ସାରା ଦେଶରେ ପ୍ରଶଂସା କରାଯାଉଛି। ଖଣିଜ ଆଇନରେ ପରିବର୍ତ୍ତନ ଆଣିବାରେ ଓଡ଼ିଶା ଏକ ଆଗୁଆ ରାଜ୍ୟ ଭାବେ ବିବେଚିତ ହେଉଛି। ଏହା ଦ୍ବାରା ରାଜ୍ୟର ସର୍ବାଧିକ ଖଣି ରାଜସ୍ବ ଆସିପାରୁଛି, ଯାହା କି ଲୋକଙ୍କ ବିକାଶମୂଳକ କାର୍ଯ୍ୟ ପାଇଁ ବ୍ୟବହାର ହେଉଛି। ଏହାର ଯୁବ ଅଧିକାରୀମାନଙ୍କ କଠିନ ପରିଶ୍ରମ ଓ ନିଷ୍ଠା ପାଇଁ ସମ୍ଭବ ହୋଇପାରୁଛି।
ନୂଆ ଅଧିକାରୀମାନଙ୍କ ଉଦ୍ଦେଶ୍ୟରେ ଶ୍ରୀ ପଟ୍ଟନାୟକ କହିଥିଲେ, ଆପଣମାନେ ନିଜ ଜୀବନର ଏକ ନୂଆ କ୍ଷେତ୍ରକୁ ପ୍ରବେଶ କଲେ। ଆଗାମୀ ଦିନରେ ଆସୁଥିବା ସମସ୍ତ ଦାୟିତ୍ବକୁ କାନ୍ଧରେ ନେବେ। ଆମ ସମାଜର ସଫଳତାରେ ଆପଣଙ୍କ ସଫଳତା ଓ କୃତିତ୍ବ ପ୍ରତିଫଳିତ ହେବ।

କାର୍ଯ୍ୟକ୍ରମରେ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ନୂଆ ଅଧିକାରୀମାନଙ୍କ କ୍ୟାରିୟରର ସଫଳତା କାମନା କରିଥିଲେ। ଖଣିଜ କ୍ଷେତ୍ରର ଅଭିବୃଦ୍ଧି ଦ୍ରୁତ ଗତିରେ ହେଉଥିବାରୁ ନୂଆ ଅଧିକାରୀମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି କେ ପାଣ୍ଡିଆନ୍ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡି କେ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଦୁଇ ଜଣ ନୂଆ ଅଧିକାରୀ ଅରୁଣା ଏକ୍କା ଓ ସମ୍ବିତ ସାହୁ ସେମାନଙ୍କ ନିଯୁକ୍ତି ପଦ୍ଧତ୍ତି ସମ୍ପର୍କରେ ନିଜ ଅଭିଜ୍ଞତା ବଣ୍ଣନା‌ କରିଥି‌ଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe