କଟକରେ ଚିହ୍ନଟ ହେଲେ ରାଜ୍ୟର ଷଷ୍ଠ କରୋନା ଆକ୍ରାନ୍ତ, ରାତି ୮ଟାରୁ କଟକ ସହର ୪୮ ଘଣ୍ଟା ସଟଡାଉନ୍

Advertisment
କଟକରେ ଚିହ୍ନଟ ହେଲେ ରାଜ୍ୟର ଷଷ୍ଠ କରୋନା ଆକ୍ରାନ୍ତ, ରାତି ୮ଟାରୁ କଟକ ସହର ୪୮ ଘଣ୍ଟା ସଟଡାଉନ୍

ଭୁବନେଶ୍ବର: ଆଜି ଓଡ଼ିଶାରେ ଷଷ୍ଠ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ଷଷ୍ଠ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଘର କଟକ ସହରରେ ବୋଲି ସୂଚନା ମିଳିଛି ଏବଂ ସେ ନିକଟରେ ଦିଲ୍ଲୀ ଯାଇଥିଲେ। ଏ ନେଇ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଏହାପରେ କଟକରେ ଶୁକ୍ରବାର ରାତି ୮ଟାରୁ ୪୮ ଘଣ୍ଟା ସଟଡାଉନ୍ ହେବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ତେବେ ଦିଲ୍ଲୀରୁ ଫେରିଥିବା ଷଷ୍ଠ ଆକ୍ରାନ୍ତ ନିଜାମୁଦ୍ଦିନ୍ ଫେରନ୍ତା କି ନାହିଁ ତାହା ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁସନ୍ଧାନ କରାଯାଉଛି।

ସୂଚନାଯୋଗ୍ୟ, ଆଜି ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ଡିସ୍‌ଚାର୍ଜ ହୋଇଥିବା ଜଣାଯାଇଛି। ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ପ୍ରଥମ କରୋନା ଆକ୍ରାନ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରୁ ଡସ୍‌ଚାର୍ଜ କରାଯାଇଥିଲା। ଗତକାଲି ଦ୍ବିତୀୟ ଆକ୍ରାନ୍ତ ଏମସରୁ ଡିସ୍‌ଚାର୍ଜ ହୋଇଥିଲେ। ଏବେ ରାଜ୍ୟରେ ୩ କୋରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

ଏପ୍ରିଲ୍ ପହିଲା ଦିନ ରାଜ୍ୟର ୫ମ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ସ୍ବାସ୍ଥ୍ୟ ବିଭାଗ  ଅନୁଯାୟୀ ରାଜଧାନୀ ଭୁବନେଶ୍ବରର ସୂର୍ଯ୍ୟନଗରରେ ରହୁଥିବା  ୬୦ ବର୍ଷୀୟ ବ୍ୟକ୍ତି ଆଜି ବହୁବିଧ ବ୍ୟାଧିରେ ପୀଡ଼ିତ ହୋଇ ଭୁବନେଶ୍ବର ଏମସରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ସ୍ବାବ୍ ନମୁନା ପରୀକ୍ଷାରୁ ସେ କରୋନା ପଜିଟିଭ ବୋଲି ଜଣାପଡ଼ିଥିଲା।

ସୂଚନାଯୋଗ୍ୟ, ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ମାର୍ଚ୍ଚ ୧୫ରେ ଚିହ୍ନଟ ହୋଇଥିଲେ । ଏହାପରେ ମାର୍ଚ୍ଚ ୧୯ ତାରିଖରେ ଦ୍ୱିତୀୟ ଓ ୨୬ ତାରିଖରେ ତୃତୀୟ  କରୋନା ସଂକ୍ରମିତଙ୍କୁ  ଚିହ୍ନଟ କରାଯାଇଥିଲା। ୩୧ ତାରିଖରେ ରାଜ୍ୟର ଚତୁର୍ଥ ଆକ୍ରାନ୍ତ ଭଦ୍ରକରୁ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe