ସଦର ହସ୍‌ପିଟାଲରେ ଡାକ୍ତରଙ୍କୁ ଚଉକିମାଡ଼ ଘଟଣା : ଛୁଟିରେ ଗଲେ ୭ ଡାକ୍ତର

Advertisment
ସଦର ହସ୍‌ପିଟାଲରେ ଡାକ୍ତରଙ୍କୁ ଚଉକିମାଡ଼ ଘଟଣା : ଛୁଟିରେ ଗଲେ ୭ ଡାକ୍ତର

ପୁରୀ : ପୁରୀ ସଦର ହସ୍‌ପିଟାଲ କାଜୁଆଲ୍‌ଟିରେ କାର୍ଯ୍ୟରତ ଡାକ୍ତର ଯଶସ୍ୱୀ ଦାସଙ୍କୁ ଆକ୍ରମଣକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏହି ପ୍ରସଙ୍ଗରେ ସୁରକ୍ଷାକୁ ଆଳ କରି ଆଜି ୭ ଜଣ ଡାକ୍ତର ଛୁଟିରେ ଚାଲି ଯାଇଛନ୍ତି। ଫଳରେ ହସ୍‌ପିଟାଲରେ ରୋଗୀସେବା ବ୍ୟାହତ ହୋଇଛି। ପ୍ରଶାସନର ପ୍ରତିଶ୍ରୁତି ସତ୍ତ୍ୱେ କାଜୁଆଲ୍‌ଟିରେ ରାତ୍ରିକାଳୀନ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଯୋଗାଇ ନ ଦେବାରୁ ଗତକାଲି ରାତି ୧୦ଟାରେ ଜଣେ ଡାକ୍ତର ଫେରିଯାଇଥିଲେ। ତେବେ ଆଜି ଘଟଣା ଆହୁରି ଜଟିଳ ହୋଇପଡ଼ିଛି। ଏକାବେଳକେ ୭ ଜଣ ଡାକ୍ତର ଛୁଟିରେ ଚାଲିଯାଇଛନ୍ତି। ଆଜି ଆଉଟଡୋର୍‌ ଓ କାଜୁଆଲ୍‌ଟି ସମ୍ଭାଳିଛନ୍ତି ଏଡିିଏମ୍‌ଓ। ଗତ ରାତିଠାରୁ ଆଜି ପର୍ଯ୍ୟନ୍ତ ଏଡିଏମ୍‌ଓଙ୍କ ସହ ଅନ୍ୟ ଦୁଇଜଣ ଡାକ୍ତର ଡ୍ୟୁଟି କରୁଥିବା ବେଳେ ୮ ତାରିଖ ଠାରୁ ସ୍ୱତନ୍ତ୍ର ସୁରକ୍ଷା ଯୋଗାଇ ଦିଆନଗଲେ ଏହି ଦୁଇଜଣ ଡାକ୍ତର ମଧ୍ୟ ଛୁଟିରେ ଚାଲିଯିବେ ବୋଲି ଚେତାବନୀ ଦେଇଛନ୍ତି। ଫଳରେ ପରିସ୍ଥିତି ବିଗିଡ଼ିବାକୁ ଯାଉଛି। ତେବେ ଆଜି ଜଣେ କନେଷ୍ଟବଳ ସେଠାରେ ଯୋଗାଇ ଦିଆଯାଇଥିବାବେଳେ ମାଟ୍ରିକ ପରୀକ୍ଷା ଥିବାରୁ ଅଧିକ ସୁରକ୍ଷା କର୍ମୀ ଯୋଗାଇ ଦିଆଯାଇ ପାରି ନାହିଁ। ୮ ତାରିଖ ଦିନ ଏଠାରେ ଦୁଇଜଣ ସ୍ୱତନ୍ତ୍ର ସୁରକ୍ଷା କର୍ମୀ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଡା. ଅଶୋକ ପରିଡ଼ା, ଡା. ସନ୍ତୋଷ ମିଶ୍ର, ଡା. ଗିରିଶ ବେହେରା, ଡା. ଶ୍ରୀକାନ୍ତ ସାହୁ, ଡା. ଯଶସ୍ୱୀ ଦାସ, ଡା. ସୁବ୍ରତ ମହାନ୍ତି ଓ ଡା. ସୌମ୍ୟା ମିଶ୍ର ଛୁଟିରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe