The New Indian Express
ସମ୍ବଲପୁର: ଆଜି ହୀରାକୁଦ ଜଳଭଣ୍ଡାରର ଖୋଲାଥିବା ୧୦ଟି ସ୍ପିଲୱେ ମଧ୍ୟରୁ ଅପରାହ୍ଣରେ ୩ଟି ଗେଟ୍ ବନ୍ଦ କରାଯାଇଛି। ଚଳିତ ବର୍ଷ ଜଳଭଣ୍ଡାରର ଜଳସ୍ତର ଏକଦା ୬୧୪ ଫୁଟ୍ ଅତିକ୍ରମ କରିଥିବା ବେଳେ ଶନିବାର ସନ୍ଧ୍ୟା ୬ଟାରେ ଜଳସ୍ତର ୬୦୯.୯୭ ଫୁଟ୍କୁ ଖସି ଆସିଛି। ପ୍ରବଳ ବର୍ଷା ହେଲେ ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଥାଏ। ତେଣୁ, ବନ୍ୟା ନିୟନ୍ତ୍ରଣ ସୁବିଧା ଦୃଷ୍ଟିରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କହାଯାଉଛି।
ସନ୍ଧ୍ୟା ୬ଟାରେ ଜଳଭଣ୍ଡାରକୁ ୬୩,୪୫୪ କ୍ୟୁସେକ ଜଳ ପ୍ରବେଶ କରୁଥିବା ସମୟରେ ୧,୪୨,୫୨୪ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା। ଏଥିରୁ ସ୍ପିଲୱେ ଦେଇ ୧,୦୪, ୦୦୬ କ୍ୟୁସେକ ଏବଂ ପାୱାର ଚାନେଲ ଦେଇ ୩୩,୭୦୨ କ୍ୟୁସେକ ଜଳ ମହାନଦୀରେ ଛଡ଼ାଯାଉଛି। ଜଳସେଚନ ନିମନ୍ତେ ୪,୫୪୩ କ୍ୟୁସେକ ଜଳ ବିଭିନ୍ନ କେନାଲରେ ଛଡ଼ାଯାଇଥିବା ବେଳେ ଶିଳ୍ପାସଂସ୍ଥାଗୁଡ଼ିକ ୨୭୩ କ୍ୟୁସେକ ଜଳ ଟାଣୁଛନ୍ତି।
Follow Us