ମୃତ୍ୟୁମୁଖରୁ ଫେରିଲେ ପରିବାରର ୭ ସଦସ୍ୟ

Advertisment

ଆମର ସମ୍ମୁଖରେ ଥିବା ବଗି ଓଲଟି ପଡ଼ିଥିଲା: ମନୋରଂଜନ

ଆମର ସମ୍ମୁଖରେ ଥିବା ବଗି ଓଲଟି ପଡ଼ିଥିଲା: ମନୋରଂଜନ

ମୃତ୍ୟୁମୁଖରୁ ଫେରିଲେ ପରିବାରର ୭ ସଦସ୍ୟ

ବ୍ରହ୍ମପୁର: ସେ ଦିନର ଘଟଣା ବର୍ଣ୍ଣାନା କରି ହେଉ ନାହିଁ। ଚାରିଆଡ଼େ ରକ୍ତର ଛିଟା। ଲୋକଙ୍କ ଚିତ୍କାରରେ ଅଞ୍ଚଳ ଫାଟି ପଡ଼ୁଥିଲା। ଦୁର୍ଘଟଣା ଏତେ ଜୋର୍‌ ଥିଲା ଯେ ଆମ ଆଗରେ ଥିବା କିଛି ବଗି ସମ୍ପୂର୍ଣ୍ଣ ଓଲଟି ପଡ଼ିଥିଲା। ସୌଭାଗ୍ୟ କ୍ରମେ ଆମର ବଗି କିଛି ହୋଇ ନଥିଲା। ଦୁର୍ଘଟଣା ପରେ ଛୋଟ ପିଲାମାନଙ୍କୁ ଧରି ପ୍ରାୟ ୨ରୁ ଅଢ଼େଇ କିମି ବିଲ ରାସ୍ତାରେ ଚାଲି ଚାଲି ଯାଇ ବାହାନଗା ବଜାର ନିକଟରେ ପହଞ୍ଚିଥିବା ଦିଗପହଣ୍ଡି ସୁନାରୀସାହିର ମନୋରଂଜନ ପାଢ଼ୀ କହିଛନ୍ତି।

ମନୋରଂଜନଙ୍କ ପରିବାରର ୭ଜଣ ସଦସ୍ୟ ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କିଛି ଦିନ ତଳେ ହାୱାଡ଼ା ଯାଇଥିଲେ। ପରିବାରରେ ୩ଜଣ ଛୋଟ ପିଲା ରହିଥିଲେ। ସମସ୍ତେ ଗତ ୨ତାରିଖରେ ହାୱଡ଼ାରୁ କରମଣ୍ଡଳ ଏକ୍ସପ୍ରେସ୍‌ରେ ବି-୨ କୋଚ୍‌ରେ ବ୍ରହ୍ମପୁର ଅଭିମୁଖେ ବାହାରିଥିଲେ। ହେଲେ ରାସ୍ତାରେ ସେମାନେ ଦୁର୍ଘଟଣାର ସମ୍ମୁଖୀନ ହେଲେ। ଦୁର୍ଘଟଣା ସମୟରେ ପ୍ରଚଣ୍ଡ ଶବ୍ଦ ଶୁଭି ହଠାତ୍‌ ଟ୍ରେନ୍‌ ଅଟକି ଯାଇଥିଲା। ଟ୍ରେନ୍‌ ଜୋର୍‌ରେ ହଲିବାରୁ ଉପର ବର୍ଥରେ ଶୋଇଥିବା କିଛି ଯାତ୍ରୀ ତଳେ ପଡ଼ି ଯାଇଥିଲେ। ଏହାପରେ ବଗିର ବିଦ୍ୟୁତ ସଂଯୋଗ କଟି ଯାଇଥିଲା ବୋଲି ମନୋରଂଜନ କହିଛନ୍ତି। ଅନ୍ଧାର ହୋଇଯିବାରୁ ପ୍ରଥମରେ ଛୋଟ ପିଲାଙ୍କୁ ସୁରକ୍ଷିତ ସ୍ଥାନରେ ରଖି ପରିବାରର ଅନ୍ୟମାନଙ୍କୁ ବାହାରକୁ ବାହାର କରିଥିଲୁ।

ଆମ ବଗିରେ ୭୦ଜଣ ଯାତ୍ରୀ ଥିବା ବେଳେ ଭଗବାନଙ୍କ କୃପାରୁ କେହି ଗୁରୁତର ଆହତ କି ମୃତାହତ ହୋଇ ନଥିଲେ। ଭଗବାନ ସେ ଦିନ ଆମ ୭୦ଜଣ ଯାତ୍ରୀଙ୍କ ଜୀବନ ରକ୍ଷା କରିଥିଲେ ବୋଲି ମନୋରଂଜନ କହିଛନ୍ତି। ଏହାପରେ ପିଲାମାନଙ୍କ ଧରି ବିଲ ରାସ୍ତାରେ ଚାଲିଚାଲି ଯାଇ ଏକ ସୁରକ୍ଷିତ ସ୍ଥାନରେ ପହଞ୍ଚିଥିଲୁ। ସେଠାରୁ ଭୁବନେଶ୍ବରରେ ରହୁଥିବା ଭାଇକୁ ଫୋନ୍‌ କରି ଘଟଣା ସମ୍ପର୍କରେ କହିବା ପରେ ବାହାନଗାରେ ରହୁଥିବା ଭାଇର ସାଙ୍ଗ ସେଠାକୁ ଆସିଥିଲେ। ଏକ ବଲେରୋ ଗାଡ଼ି ଭଡ଼ା କରି ରାତିରେ ଦିଗପହଣ୍ଡି ଅଭିମୁଖେ ବାହାରି ସକାଳ ପ୍ରାୟ ୭ଟା ବେଳେ ଘରେ ପହଞ୍ଚିଥିଲୁ। ଏହି ଟ୍ରେନ୍‌ ଦୁର୍ଘଟଣା ଏତେବ ଭୟଙ୍କର ଥିଲା ଯେ କହି ହେବ ନାହିଁ। ଆମ ସମସ୍ତେ ସୁରକ୍ଷିତ ଅବସ୍ଥାରେ ଘରେ ପହଞ୍ଚିଥିବାରୁ ଭଗବାନଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରୁଛି ବୋଲି କହିଛନ୍ତି ମନୋରଂଜନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe