Image Courtesy of India Today
ବାଲେଶ୍ବର: ବାହାନଗା ଟ୍ରେନ୍ ଦୁର୍ଘଟଣା ସହିତ ଜଡ଼ିତ ୭ ଜଣ ରେଳ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ଦକ୍ଷିଣ-ପୂର୍ବ ରେଳପଥର ମୁଖ୍ୟ ଲୋକସଂପର୍କ ଅଧିକାରୀ ଆଦିତ୍ୟ ଚୌଧୁରୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ନିଲମ୍ବିତ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ସିବିଆଇ ଗିରଫ କରିଥିବା ୩ ଜଣ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି। ଗତ ଜୁନ୍ ୨ ତାରିଖରେ ଘଟିଥିବା ଏହି ଦୁର୍ଘଟଣାରେ ଷ୍ଟେସନ ମାଷ୍ଟର, ଟ୍ରାଫିକ ଇନ୍ସପେକ୍ଟର ଓ ମେଣ୍ଟେନରଙ୍କ ଭୂମିକା ମଧ୍ୟ ଥିଲା। ତେଣୁ ରେଳବାଇ ସେମାନଙ୍କୁ ମଧ୍ୟ ନିଲମ୍ବନ କରିଛି।
ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ଦକ୍ଷିଣ-ପୂର୍ବ ରେଳ ସୁରକ୍ଷା କମିସନର ରେଳବାଇ ବୋର୍ଡକୁ ଯେଉଁ ରିପୋର୍ଟ ଦେଇଥିଲେ, ସେଥିରେ ମାନବୀୟ ତ୍ରୁଟି ବିଶେଷ କରି ସିଗନାଲ, ବୈଷୟିକ ତ୍ରୁଟି ଓ କର୍ମଚାରୀଙ୍କ ଅବହେଳାକୁ ଦାୟୀ କରାଯାଇଥିଲା। ସିଗ୍ନାଲିଂ ସର୍କିଟ୍ ବଦଳାଯିବା ବେଳେ ବୈଷୟିକ ତ୍ରୁଟି ଯୋଗୁଁ ଇଣ୍ଟର୍ଲକିଂ ସିଷ୍ଟମ୍ ପ୍ରଭାବିତ ହୋଇଥିଲା ଓ ଏହି କାରଣରୁ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ସିଆର୍ଏସ୍ ରିପୋର୍ଟ ଦେଇଥିଲେ।
ବାହାନଗା ଟ୍ରେନ୍ ଦୁର୍ଘଟଣା ନେଇ ସିବିଆଇ ତଦନ୍ତ ଜାରି ରହିଛି। ଏହାରି ମଧ୍ୟରେ ସିବିଆଇ ମଙ୍ଗଳବାର ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମୀର ଖାନ୍ ଓ ଟେକ୍ନିସିଆନ ପପୁ କୁମାରଙ୍କୁ ପୁଣି ଥରେ ରିମାଣ୍ଡରେ ନେଇଛି। ପୂର୍ବରୁ ସେମାନଙ୍କୁ ସିବିଆଇ ୫ ଦିନିଆ ରିମାଣ୍ଡରେ ନେଇଥିଲା, ଯାହା ମଙ୍ଗଳବାର ଶେଷ ହୋଇଥିଲା। ସୂଚନାଯୋଗ୍ୟ, ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ୧୦୦୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିଲେ।
Follow Us