ପଶ୍ଚିମବଙ୍ଗରେ ମିଶିଯିବ ଓଡ଼ିଶାର ୭ ଗାଁ!: ସୀମାନ୍ତ ଗାଁକୁ ରାସ୍ତା ଯନ୍ତ୍ରଣା

ଚିନ୍ତା ବଢ଼ାଇଛି ରାସ୍ତା।  ଭଲ ରାସ୍ତା ନଥିବା ଯୋଗୁ ଓଡ଼ିଶାର ୭ ସୀମାନ୍ତ ଗାଁ’ର ଲୋକମାନେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହ ବିଭିନ୍ନ ପ୍ରକାର ସେବା ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭର କରୁଛନ୍ତି।

sdsdsdcxd

ଜଳେଶ୍ୱର: ଚିନ୍ତା ବଢ଼ାଇଛି ରାସ୍ତା।  ଭଲ ରାସ୍ତା ନଥିବା ଯୋଗୁ ଓଡ଼ିଶାର ୭ ସୀମାନ୍ତ ଗାଁ’ର ଲୋକମାନେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହ ବିଭିନ୍ନ ପ୍ରକାର ସେବା ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭର କରୁଛନ୍ତି। ରାଜନୈତିକ ଚାପ ଓ ପ୍ରଭାବରେ ସଂପୃକ୍ତ ଗାଁଗୁଡ଼ିକ ପଶ୍ଚିମବଙ୍ଗ ଅକ୍ତିଆରକୁ ଚାଲିଯିବା ନେଇ ଆଶଙ୍କା ଦେଖାଦେଇଛି। ସୂଚନା ଅନୁସାରେ; ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନା ଓ ରାଇବଣିଆ ଥାନା ଅଧୀନରେ ଏମିତି ୧୧ଟି ଗାଁ ଅଛି, ଯେଉଁ ଗାଁଗୁଡ଼ିକ ପଶ୍ଚିମବଙ୍ଗ ସୀମାକୁ ଲାଗି ରହିଛି। ଉକ୍ତ ଗାଁଗୁଡ଼ିକୁ ଆବଶ୍ୟକ ରାସ୍ତା ନାହିଁ। ତେବେ କିଛି ମାସ ହେବ ୩ଟି ଗ୍ରାମକୁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରାଯାଇଛି। ସେହିପରି ଓଡ଼ିଶା ସରକାରଙ୍କ ଏମ୍‌ଏମ୍‌ଏସ୍‌ୱାଇ-ସିଏମ୍‌ଆର୍‌ଏଲ୍‌ ଯୋଜନାରେ ଗୋଟିଏ ଗାଁ’କୁ ରାସ୍ତା ନିର୍ମାଣ ଚାଲିଛି। ବାକି ୭ଟି ଗାଁକୁ ଆବଶ୍ୟକ ରାସ୍ତା ନାହିଁ। ରାସ୍ତା ନଥିବାରୁ ସଂପୃକ୍ତ ଗାଁଗୁଡ଼ିକର ଲୋକମାନେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣାବିକା ସହ ବିଭିନ୍ନ ପ୍ରକାର ସେବା ପାଇବା ପାଇଁ ପଶ୍ଚିମବଙ୍ଗର ଖଡ଼ିକା ଓ ଦାନ୍ତୁଣ ବଜାର ଉପରେ ନିର୍ଭର କରୁଛନ୍ତି। ରାସ୍ତା ଖଣ୍ଡେ ନିର୍ମାଣ ହୋଇପାରୁ ନଥିବାରୁ ସରକାରୀ ସୁବିଧା ମଧ୍ୟ ଅପହଞ୍ଚ ହୋଇଯାଉଛି। ତେଣୁ ଏହି ଗାଁର ଲୋକମାନେ ଓଡ଼ିଶା ଉପରୁ ଭରସା ତୁଟାଇବାରେ ଲାଗିଛନ୍ତି। ଆଉ ଯାହାର ଫାଇଦା ଉଠାଉଛି ପଶ୍ଚିମବଙ୍ଗ। ଏହି ଅବହେଳିତ ଗାଁଗୁଡ଼ିକୁ ପଶ୍ଚିମବଙ୍ଗ ନିଜ ଅକ୍ତିଆରକୁ ନେଇ ଯାଇପାରେ ବୋଲି ଆଶଙ୍କା କରାଗଲାଣି। ରାଜନୈତିକ ଫାଇଦା ଦୃଷ୍ଟିରୁ ତର୍ଜମା କଲେ ଏପରି ଆଶଙ୍କା ଅମୂଳକ ନୁହେଁ ବୋଲି ଅନେକ ବୁଦ୍ଧିଜୀବୀ ମତ ରଖିଛନ୍ତି।

ଉଲ୍ଲେଖ ଥାଉକି; ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ସୀମାନ୍ତ ଅନଳିଆ ପଞ୍ଚାୟତର ଶଂଖାମେଦୀ ଗାଁ ଉପରେ ପଶ୍ଚିମବଙ୍ଗ ନିଜର କର୍ତ୍ତୃତ୍ବ ଜାହିର କରିସାରିଛି। ଏଠାରେ ଏବେ ଦ୍ବୈତ୍ବ ଭୋଟର୍‌ ରହିଛନ୍ତି। ଏନେଇ ଜଳେଶ୍ବର ଉତ୍କଳ ସମ୍ମିଳନୀ ଶାଖାର ସଭାପତି ଡ. ଶ୍ରୀକାନ୍ତ ଚରଣ ପାତ୍ରଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ କହିଛନ୍ତି; ସୀମାନ୍ତରେ ରାସ୍ତା ସମସ୍ୟା ଯେତେ ସାଧାରଣ ଲାଗୁଛି, ତାହା ସେତେ ସାଧାରଣ ନୁହେଁ। ଯେଉଁ ଅଞ୍ଚଳକୁ ଗମନାଗମନ ସୁବିଧା ହେବ, ଲୋକମାନେ ସେଠାକୁ ଯିବେ। ସେହି ଅଞ୍ଚଳ ସହ ସେମାନଙ୍କର ସଂପର୍କ ବଢ଼ିବ। ଜଳେଶ୍ବରର ସୀମାନ୍ତ ୭ଟି ଗାଁ ଏବେ ଗମନାଗମନ ସୁବିଧା ଦୃଷ୍ଟିରୁ ପଶ୍ଚିମବଙ୍ଗ ସହ ସବୁ ପ୍ରକାର ସଂପର୍କ ରଖୁଛନ୍ତି। ସମୟ ଆସିବ, ସେମାନେ ପଶ୍ଚିମବଙ୍ଗର ଅଧିବାସୀ ହେବାକୁ ଦାବି କରିବେ। ଏହା ପୂର୍ବରୁ ଓଡ଼ିଶା ସରକାର ଯତ୍ନବାନ ହେବା ଦରକାର। ସୀମାନ୍ତରେ ଗମନାଗମନ ସମସ୍ୟାର ତ୍ବରିତ ସମାଧାନ ହେବା ଆବଶ୍ୟକ ବୋଲି ଶ୍ରୀ ପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe