ନୂଆବର୍ଷରେ ୭୦୦ଶ୍ରମିକ ବିଦା; ଗୁପ୍ତା ପାୱାର ବିରୋଧରେ ଗର୍ଜିଲେ ଶ୍ରମିକ

ଦୁଇମାସର ଦରମା ବାକି, ଦୁଇବର୍ଷର ବୋନସ୍‌ ବନ୍ଦ, ଆଜି ଶୁଣାଣି 

ନୂଆବର୍ଷରେ ୭୦୦ଶ୍ରମିକ ବିଦା; ଗୁପ୍ତା ପାୱାର ବିରୋଧରେ ଗର୍ଜିଲେ ଶ୍ରମିକ
ଖୋର୍ଦ୍ଧା: ତିନି ମାସର ଦରମା ରଖିଛି ବାକି। ଦୁଇ ବର୍ଷର ବୋନସ ବି ଦେଇ ନାହିଁ। ତା’ ସହିତ ଇପିଏଫ୍‌, ଇଏସ୍‌ଆଇର ବକେୟା ହିସାବ ଅଲଗା ଅଛି। ଶ୍ରମିକମାନଙ୍କର ଏମିତି ସବୁ ପାଊଣା ବାକି ରଖି ଗୁପ୍ତା ପାୱାର ଇନ୍‌ଫ୍ରାଷ୍ଟ୍ରକ୍‌ଚର ଲିମିଟେଡ୍ ଦେଉଛି ନିର୍ଯାତନା। ନୂଆବର୍ଷର ପହିଲା ଦିନରେ ହଠାତ୍‌ କାରଖାନାର ପ୍ରାୟ ସାତ ଶହ ଶ୍ରମିକଙ୍କୁ ଚାକିରିରୁ କରିଛି ବିଦା। ଯାହାକୁ ନେଇ ଶ୍ରମିକମାନେ ଆଜି ଜୋର୍‌ଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଶ୍ରମିକ ସଂଗଠନ ସିଟୁ ନେତୃତ୍ବରେ ବହୁ ଶ୍ରମିକ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଶ୍ରମିକମାନଙ୍କର ଅଭିଯୋଗ ହେଲା, କାରଖାନା କର୍ତୃପକ୍ଷ ଗଲା ପାଞ୍ଚ ମାସର ଦରମା ବାକି ରଖିଥିଲେ। ବହୁ ଆପତ୍ତି ଅଭିଯୋଗ ପରେ କିଛି ଦିନ ତଳେ ଦୁଇ ମାସର ଦରମା ଦେଇଥିଲେ। ଆହୁରି ତିନି ମାସର ଦରମା ଶ୍ରମିକମାନେ ପାଇ ନାହାନ୍ତି। ସେହିପରି ଗଲା ଦୁଇବର୍ଷର ବୋନସ ଆମକୁ ମିଳିନଥିବା ବେଳେ ଗଲା ଜୁଲାଇ ମାସରୁ ଇପିଏଫ୍‌, ଇଏସ୍‌ଆଇ ବି ଭରଣା ହୋଇନାହିଁ। ଏମିତି ସ୍ଥିତିରେ ଗଲା ପାଞ୍ଚ ଦିନ ତଳେ ହଠାତ୍‌ କାରଖାନା ଆଗରେ ଛଟେଇର ନୋଟିସ୍‌ ଜାରି କରାଗଲା।
ସୋମବାର ନୂଆବର୍ଷ ପହିଲାରୁ ଆମକୁ କାରଖାନାକୁ ପ୍ରବେଶ କରାଇ ଦିଆଗଲା ନାହିଁ। ଯାହା ଆଇନ୍‌ ବିରୋଧ ବୋଲି ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଛଟେଇର ମାସେ ପୂର୍ବରୁ ଅନ୍ୟୁନ ମାସେ ପୂର୍ବରୁ ଶ୍ରମିକଙ୍କୁ ଅବଗତ କରାଯିବା କଥା। ଛଟେଇ ପୂର୍ବରୁ ସମସ୍ତ ପ୍ରାପ୍ୟ ଶ୍ରମିକଙ୍କର ଦେବା କଥା। କିନ୍ତୁ, ସବୁ ପ୍ରକାର ଶ୍ରମ ଆଇନ୍‌କୁ ଉଲଙ୍ଘନ କରି କାରଖାନା କର୍ତୃପକ୍ଷ ଶ୍ରମିକମାନଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର କରିଛନ୍ତି ବୋଲି ଶ୍ରମିକମାନେ ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସିପିଆଇଏମ୍‌ର ସମ୍ପାଦକ ଅନନ୍ତ ମଙ୍ଗରାଜ, ସିଟୁର ସମ୍ପାଦକ ପ୍ରଦୀପ୍ତ ନାୟକ, ଗିରୀଶ ଚନ୍ଦ୍ର ମହାରଣା, ସୁଦର୍ଶନ ସେନାପତି କିଶୋର ଚନ୍ଦ୍ର ପରମଗୁରୁଙ୍କ ନେତୃତ୍ବରେ ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ କରିିଥିଲେ। ଏହି ମର୍ମରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଶ୍ରମିକଙ୍କର ସମସ୍ୟାର ସମାଧାନ କରାନଗଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ଶ୍ରମିକ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ଏ ସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀ ପ୍ରଭାକର ବିଶ୍ବାଳ କହିଛନ୍ତି, ସମସ୍ୟାକୁ ଶ୍ରମ ବିଭାଗ ଅତି ଗୁରୁତର ସହିତ ବିଚାରକୁ ନେଇଛି। ଏନେଇ ଆଜି କମ୍ପାନି କର୍ତୃପକ୍ଷ, ଠିକାଦାର ଏବଂ ଶ୍ରମିକ ସଂଗଠନକୁ ନୋଟିସ୍‌ କରାଯାଇଛି। ବୁଧବାର ପୂର୍ବାହ୍ଣ ୧୧ଟାରେ ଡେପୁଟି ଲେବର କମିସନରଙ୍କ ଅଧ୍ୟକ୍ଷତାରେ ଏ ସମସ୍ୟା ଉପରେ ଶୁଣାଣି କରାଯିବା ବୋଲି ଶ୍ରୀ ବିଶ୍ବାଳ ପ୍ରକାଶ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe