Collegedunia
ଭୁବନେଶ୍ୱର : ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟ କୁଳପତି ନିଯୁକ୍ତି ଲାଗି ଆବେଦନ ପ୍ରକ୍ରିୟା ଶେଷ ହୋଇଛି। ଖଲ୍ଲିକୋଟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ଫକୀର ମୋହନ ବିଶ୍ୱବିଦ୍ୟାଳୟ ଲାଗି ଆବେଦନ ସରିଥିବା ବେଳେ ଏବେ ବାରିପଦାସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଲାଗି ଆବେଦନ ପ୍ରକ୍ରିୟା ସରିଛି। ଏହି ବିଶ୍ବବିଦ୍ୟାଳୟ କୁଳପତି ଦୌଡ଼ରେ ୭୨ଜଣ ପ୍ରଫେସର୍ ସାମିଲ ହୋଇଛନ୍ତି। ଓଡ଼ିଶାର ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ଜାତୀୟସ୍ତରୀୟ ଶିକ୍ଷାନୁଷ୍ଠାନର ୬୪ଜଣ ପ୍ରଫେସର୍, ଗବେଷକ, ବିଶେଷଜ୍ଞ, ନିର୍ଦ୍ଦେଶକ ନିଜ ଦକ୍ଷତା ଅନୁଯାୟୀ ଆବେଦନ କରିଛନ୍ତି।
ଉତ୍କଳ ବିଶ୍ୱବିଦ୍ୟାଳୟ (୭୧ ପ୍ରଫେସର୍) ତୁଳନାରେ ଏଠାରେ କୁଳପତି ହେବା ଲାଗି ଅଧିକ ପ୍ରଫେସର୍ ଆଗ୍ରହ ଦେଖାଇଛନ୍ତି। ରାଜ୍ୟ ବାହାରୁ ମଧ୍ୟ ୮ଜଣ ପ୍ରଫେସର୍ ଆବେଦନ କରିଛନ୍ତି। ଭୁବନେଶ୍ୱରସ୍ଥିତ ଏକ ବିଶ୍ୱବିଦ୍ୟାଳୟର କୁଳପତି ଥିବା ଜଣେ ପ୍ରଫେସର୍ ଏହି ବିଶ୍ୱବିଦ୍ୟାଳୟର କୁଳପତି ହେବା ଲାଗି ଆଗ୍ରହ ଦେଖାଇଛନ୍ତି। ଧାର୍ଯ୍ୟ ସମୟସୀମାର ଠିକ୍ ପୂର୍ବରୁ ସେ ଆବେଦନ କରିଛନ୍ତି। ସମ୍ପୃକ୍ତ ପ୍ରଫେସର୍ଜଣକ ଉତ୍କଳ ବିଶ୍ୱବିଦ୍ୟାଳୟ, ଫକୀର ମୋହନ ବିଶ୍ୱବିଦ୍ୟାଳୟ କୁଳପତି ପଦ ଲାଗି ମଧ୍ୟ ଆବେଦନ କରିସାରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର ଦୁଇଜଣ ପୂର୍ବତନ ପିଜି କାଉନସିଲ୍ ଅଧ୍ୟକ୍ଷ ଓ ଏକ ଜାତୀୟସ୍ତରୀୟ ଶିକ୍ଷାନୁଷ୍ଠାନର ନିର୍ଦେଶକ ବି ଆବେଦନ କରିଛନ୍ତି। ଆବେଦନ ପ୍ରକ୍ରିୟା ଶେଷ ହୋଇଥିବାରୁ ଏବେ ୩ଜଣିଆ ସର୍ଚ୍ଚ କମିଟି ଗଠନ କରାଯିବ। ଆସନ୍ତା ୬୦ଦିନ ମଧ୍ୟରେ କମିଟିର ସଦସ୍ୟମାନେ ନୂତନ କୁଳପତି ଚୟନ ଲାଗି ୩ଜଣ ପ୍ରଫେସର୍ଙ୍କ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ କରି ବିଶ୍ୱବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳଙ୍କ ନିକଟକୁ ପଠାଇବେ।
Follow Us