୧୪ ବର୍ଷରେ ୭୫ ଲକ୍ଷ ଖର୍ଚ୍ଚ, ତଥାପି ସରୁନି ସ୍ବାସ୍ଥ୍ୟକେନ୍ଦ୍ର କ୍ୱାର୍ଟର୍ସ କାମ

Advertisment

ଅତିରିକ୍ତ ୩୨ ଲକ୍ଷ ଟଙ୍କା ମାଗି ୫ ବର୍ଷ ବିତିଲା

ଅତିରିକ୍ତ ୩୨ ଲକ୍ଷ ଟଙ୍କା ମାଗି ୫ ବର୍ଷ ବିତିଲା

୧୪ ବର୍ଷରେ ୭୫ ଲକ୍ଷ ଖର୍ଚ୍ଚ, ତଥାପି ସରୁନି ସ୍ବାସ୍ଥ୍ୟକେନ୍ଦ୍ର କ୍ୱାର୍ଟର୍ସ କାମ

ଘୁ.ଉଦୟଗିରି : ଘୁ ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଏବଂ କର୍ମଚାରୀଙ୍କ ପାଇଁ ୧୪ ବର୍ଷ ହେଲା କ୍ୱାର୍ଟର୍ସ ନିର୍ମାଣ କାମ ଚାଲିଛି। ଅଟକଳ ହୋଇଥିବା ୭୮.୨୮ ଲକ୍ଷରୁ ୭୫.୨୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ବି କୋଠା କାମ ଶେଷ ହେଉନାହିଁ। ଏହା ସମ୍ପୂର୍ଣ୍ଣ କରିବାକୁ ଆହୁରି ୩୨ଲକ୍ଷ ଟଙ୍କାର ଆବଶ୍ୟକତା ଥିବା ନେଇ ବ୍ଲକ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଗଜପତି ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ୨୦୧୭ରେ ଚିଠି ଲେଖା ଯାଇଥିଲା। ହେଲେ ୫ ବର୍ଷ ପରେ ବି ତାହା ମଞ୍ଜୁର ହୋଇନାହିଁ। ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରଟି ଏନ୍ଏସି ପରିସରରେ ରହିଥିବାରୁ ଏନ୍ଏସି କର୍ତ୍ତୃପକ୍ଷ ନିର୍ମାଣ ପାଇଁ ଅତିରିକ୍ତ ସହାୟତା ପ୍ରଦାନ କରିବାକୁ ନିବେଦନ କରାଯାଉ ବୋଲି ବିଡିଓ ୨୦୧୭ ମସିହାରେ ଡିଆର୍‌ଡିଏ ନିର୍ଦ୍ଦେଶକଙ୍କୁ ପତ୍ର ଲେଖି ଜଣାଇଥିଲେ। ତାହାର ଉତ୍ତର ଏ ପର୍ଯ୍ୟନ୍ତ ମିଳିନି।

ସୂଚନା ମୁତାବକ, ୨୦୦୭-୦୮ରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ୧୫ଟି ସରକାରୀ କ୍ୱାର୍ଟର୍ସ ନିର୍ମାଣ ପାଇଁ ଯୋଜନା ହୋଇଥିଲା। ୫ଟି ଡି-ଟାଇପ୍‌,୧୦ ଟି ଇ-ଟାଇପ୍‌ କ୍ବାର୍ଟର୍ସ ପାଇଁ ୭୮.୮୯ ଲକ୍ଷ୍ୟ ବ୍ୟୟ ମଞ୍ଜୁର ହେବା ଅନୁଦାନ ଆସି କାମ ଆରମ୍ଭ ହୋଇଥିଲା। ହେଲେ ୧୪ ବର୍ଷ ଭିତରେ ଗୋଟିଏ ହେଲେ କ୍ୱାର୍ଟର୍ସ ନିର୍ମାଣ ସରିଲା ନାହିଁ। ଆବଶ୍ୟକ ଥିବା ଅତିରିକ୍ତ ୩୨ ଲକ୍ଷ ଟଙ୍କା ମଧ୍ୟ ୫ ବର୍ଷ ହେଲା ମଞ୍ଜୁର ହେଉନାହିଁ। ତେବେ ଏଠାରେ ସନ୍ଦେହ ଉଠୁଛି, କ୍ୱାର୍ଟର୍ସ ନିର୍ମାଣ କାମ ବିନା ଟେଣ୍ଡର୍‌ରେ ବିଭାଗୀୟ ଯନ୍ତ୍ରୀମାନେ ନିଜ ତଦାରଖରେ ଚଳାଇଥିଲେ। କେଉଁ କାରଣରୁ ସରକାରୀ ଅନୁଦାନ ମନଇଚ୍ଛା ଖର୍ଚ୍ଚ ହେବା ସହ ନିର୍ମାଣ କାମ ଅଧପନ୍ତରିଆ ହୋଇ ରହିଛି, ତାହାର ତଦନ୍ତ କରାଯିବାକୁ ଦାବି ହୋଇଛି। ଯଦି ଟେଣ୍ଡର୍‌ ଜରିଆରେ ଏହାର କାର୍ଯ୍ୟ କରା ଯାଇଥା’ନ୍ତା ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ଠିକାଦାର ଏହା ସମ୍ପୂର୍ଣ୍ଣ କରିବାକୁ ବାଧ୍ୟ ହୋଇଥା’ନ୍ତେ, ନଚେତ୍ ସରକାରୀ ନିୟମ ମୁତାବକ କ୍ଷତିଭରଣା କରିଥା’ନ୍ତେ। ତେବେ ବ୍ଲକ୍‌ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାରୁ ମେଡିକାଲ କ୍ୱାର୍ଟର୍ସ କାମ ଅଧପନ୍ତରିଆ ହୋଇ ପଡ଼ି ରହିବା ସହ ସରକାରୀ ଅର୍ଥ ଅପବ୍ୟୟ ହୋଇଥିବା ପ୍ରମାଣିତ ହେଉଛି।

ତେବେ ଏଥିରୁ ତତ୍କାଳୀନ ବିଡିଓ ଏବଂ ଯନ୍ତ୍ରୀଙ୍କ ଲାଭଖୋର୍‌ ମନୋବୃତ୍ତିର ପ୍ରମାଣ ମିଳୁଛି। ଏଣୁ ଲକ୍ଷାଧିକ ଟଙ୍କାର କାମ ଟେଣ୍ଡର୍‌ ନ କରି ବିଭାଗୀୟ ତଦାରଖରେ କରିବାକୁ ନିଷ୍ପତ୍ତି ନେଇଥିଲେ। ସରକାରୀ ଅନୁଦାନ ମନଇଚ୍ଛା ଅପବ୍ୟୟ ହେବା ପରେ ବିଭାଗୀୟ ଯନ୍ତ୍ରୀ ଅଧପନ୍ତରିଆ ଭାବେ କାମ ବନ୍ଦ କରି ଛାଡ଼ିଦେଲେ। ଏପରିକି ବ୍ଲକ୍‌ କର୍ତ୍ତୃପକ୍ଷ ୨୦୧୭ରେ ବିଭାଗୀୟ ଅବହେଳା ପାଇଁ ଦାୟୀ ଯନ୍ତ୍ରୀଙ୍କୁ ଘଣ୍ଟ ଘୋଡ଼ାଇବାକୁ ଯାଇ ହାତ ଟେକିଦେଲେ। ଅର୍ଦ୍ଧନିର୍ମିତ ମେଡିକାଲ୍‌ କ୍ବାର୍ଟର୍ସ ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ସମସ୍ତଙ୍କୁ ବିସ୍ମିତ କରିଛି। ସରକାରୀ ଅନୁଦାନର ସଠିକ୍‌ ବିନିଯୋଗ ଓ ନିର୍ଦ୍ଧାରିତ ସମୟରେ ସାରିବାରେ ବ୍ଲକ୍‌ କର୍ତ୍ତୃପକ୍ଷ ବିଫଳ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ଚୁପ ରହିବା ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ଅନ୍ୟପଟେ କ୍ବାର୍ଟର୍ସ ଅଭାବରୁ ଡାକ୍ତର ଏବଂ ଅନ୍ୟ କର୍ମଚାରୀ ବାହାରେ ଘର ଭଡ଼ା ନେଇ ରହୁଛନ୍ତି। ଜରୁରୀ ସମୟରେ ଡାକ୍ତରଖାନାରେ ପହଞ୍ଚିବାରେ ବିଳମ୍ବ ବି ହେଉଛି। ଏହି ଅର୍ଦ୍ଧନିର୍ମିତ ସରକାରୀ କ୍ୱାର୍ଟର୍ସ ସମ୍ପୂର୍ଣ୍ଣ କରିବାକୁ ବର୍ଷ ବର୍ଷ ଧରି ବିଭିନ୍ନ ସଂଗଠନ ଦାବି କରିବା ସହ ଆନ୍ଦୋଳନ କରିଛନ୍ତି। ତଥାପି କାମ ସମ୍ପୂର୍ଣ୍ଣ ହୋଇପାରିନି। ଓଲଟି ଅର୍ଦ୍ଧନିର୍ମିତ କ୍ବାର୍ଟର୍ସ ଗୁଡ଼ିକ ନଷ୍ଟ ହେବା ସହ ଅସାମାଜିଜ ଲୋକଙ୍କ ଆଡ଼ାସ୍ଥଳ ପାଲଟିଛି। ଏଣୁ ରାଜ୍ୟ ସରକାର ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ତୁରନ୍ତ କାମ ସାରିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe