ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ମାଲାନସୁଗା ଠାରେ ଅବସ୍ଥିତ ୭୫ବର୍ଷର ପ୍ରାଥମିକ ସେବାଶ୍ରମ ବିଦ୍ୟାଳୟରେ ପାନୀୟ ଜଳ ସମସ୍ୟା ଗୁରୁତର ହେବାରେ ଲାଗିଛି । ବିଦ୍ୟାଳୟ ଚାଲିଥିବା ବେଳେ ଟୋପାଏ ପିଇବା ପାଣି ପାଇଁ ବିଦ୍ୟାଳୟରେ ଅଧ୍ୟୟନ ରତ ଛାତ୍ରଛାତ୍ରୀ ଡହଳ ବିକଳ ହେଉଛନ୍ତି।
୫ବର୍ଷ ପୂର୍ବେ ଏହି ସ୍କୁଲ୍ ପରିସରରେ ନଳକୂପ ଟିଏ ଥିଲା। ଛାତ୍ରଛାତ୍ରୀ ଏହାକୁ ବ୍ୟବହାର କରୁଥିଲେ। ପରବର୍ତ୍ତୀ ସମୟରେ ଏହି ନଳକୂପର ପାଣି ଖରାପ ହେବାରୁ ସ୍କୁଲ କମିଟି ପକ୍ଷରୁ ବିଭାଗୀୟ ଅଧିକାରୀ ଏବଂ ପଞ୍ଚାୟତକୁ ଲିଖିତ ଭାବେ ଅବଗତ କରାଯାଇଥିଲା। ପରେ ବିଭାଗୀୟ କର୍ମଚାରୀ ଆସି ନଳକୂପଟିକୁ ଖୋଲି ନେଇଯାଇଥିଲେ।
ଆଉ ସେହିଦିନ ଠାରୁ ଛାତ୍ରଛାତ୍ରୀ ପାନୀୟ ଜଳ ସମସ୍ୟାରେ ପଡ଼ିଛନ୍ତି। ନୂତନ ନଳକୂପଟିଏ ସ୍ଥାପନ ପାଇଁ ସେମାନେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। ଫଳରେ ସ୍ଥାନୀୟ ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ଥିବା ନଳକୂପ ଉପରେ ଛାତ୍ରଛାତ୍ରୀ ନିର୍ଭର କରୁଛନ୍ତି।
ସେହିପରି ପାଖ ଚୁଆ ପାଣିରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଉଛି। ଅଙ୍ଗନବାଡ଼ି ସରିଲା ପରେ ଦିଦି ଗେଟରେ ତାଲା ପକାଇ ଦେଉଥିବାରୁ ଛାତ୍ରଛାତ୍ରୀ ସମସ୍ୟାରେ ପଡୁଛନ୍ତି। ଅନ୍ୟପଟେ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ମଧ୍ୟରେ ଏବେ ୨୫ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ସେମାନଙ୍କ ପାଇଁ ୨ ଜଣ ଶିକ୍ଷୟିତ୍ରୀ ଅଛନ୍ତି। ସ୍କୁଲ ପଛପଟେ ପାଚେରି ନାହିଁ କିମ୍ବା ବିଜୁଳି ସଂଯୋଗ ହୋଇପାରିନାହିଁ।
ଅଧିକ ପଢ଼ନ୍ତୁ: ଯୁଦ୍ଧ ବିରାମ ସରିଲା, ଆକ୍ରମଣରେ ଗାଜା ଥରିଲା: ଇସ୍ରାଏଲର ବୋମା ବର୍ଷାରେ ୪୧୩ ମୃତ, ଶତାଧିକ ଆହତ
ଏହିସବୁ ମୌଳିକ ସମସ୍ୟାର ବିଷୟରେ ଦୈନିକ ସମ୍ବାଦରେ ଗତ ନଭେମ୍ବର ମାସରେ ଖବର ପ୍ରକାଶ ପାଇବା ପରେ ଯୁବ ସମାଜସେବୀ ଟୁଇଟ କରି ଉପର ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଥିଲେ। ଟୁଇଟ ପାଇବା ପରେ ବିଭାଗୀୟ ଅଧିକାରୀ ତତ୍ପରତା ଦେଖାଇ ନିର୍ବାଚନ ଆଚରଣ ବିଧି ହଟିଲେ ତୁରନ୍ତ ଏହି ବିଦ୍ୟାଳୟରେ ନୂତନ ନଳକୂପ ସ୍ଥାପନ କରାଯିବ ବୋଲି ଲିଖିତ ଉତ୍ତର ପ୍ରଦାନ କରିବାର ଦଶ ମାସ ବିତିଯିବା ପରେ ମଧ୍ୟ ଯଥା ପୂର୍ବ ତଥା ପର ଭଳି ଅବସ୍ଥାରେ ଏହି ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀମାନେ ଟୋପାଏ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି।
ଅଧିକ ପଢ଼ନ୍ତୁ: ବାମନଘାଟି ଉପଖଣ୍ଡରେ ପଥର ମାଫିଆଙ୍କ ରାଜୁତି