Psu Connect Media
ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫନି’ ଭୁବନେଶ୍ୱରର ବିଦ୍ୟୁତ୍ ଭିତ୍ତି ଭୂମିକୁ ସଂପୂର୍ଣ୍ଣ ରୂପେ ବରବାଦ କରି ଦେଇଥିବା ବେଳେ ୫ ଦିନ ପରେ ୭୭୦୦ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସଂଯୋଗ ମିଳିପାରିଛି। ରାଜଧାନୀ ଭୁବନେଶ୍ୱରରେ ମୋଟ ପାଖାପାଖି ସାଢ଼େ ୪ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ଅଛନ୍ତି। ସେସୁର ବରିଷ୍ଠ ମହାପ୍ରବନ୍ଧକ ସୁବ୍ରତ ମିଶ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜଧାନୀର କିଛି ଅଂଚଳରେ ବିଦ୍ୟୁତ ଯୋଗାଣ ହୋଇଛି ଏବଂ ଆଜି ବିଦ୍ୟୁତ ଉପଭୋକ୍ତା ସଂଖ୍ୟା ଡବଲ ହୋଇଯିବ। ମେ’ ମାସ ୧୦ ତାରିଖ ବେଳକୁ ବିଦ୍ୟୁତ୍ ଯୋଗାଣ ଉଲ୍ଲେଖନୀୟ ସଂଖ୍ୟା ଛୁଇଁବ। ଭୁବନେଶ୍ୱର ବ୍ୟତୀତ କଟକରେ ମଧ୍ୟ କାଲି ବିଦ୍ୟୁତ ଯୋଗାଣ ହୋଇଛି ଓ ଆଜି ଆଉ କିଛି ଅଂଚଳରେ ଯୋଗାଣ କରାଯିବ। ସେ କହିଛନ୍ତି ପୁରୀକୁ ଅଧିକ କର୍ମଚାରୀ ପଠାଯାଇଛି। ସେଠାରେ କାମ ତୀବ୍ର ଗତିରେ ଚାଲିଛି।
ଅନ୍ୟ ପକ୍ଷରେ ସୂଚନା ଓ ଲୋକସଂପର୍କ ବିଭାଗ ସଚିବ ସଂଜୟ ସିଂହ କହିଛନ୍ତି, ବିଦ୍ୟୁତ ସରବରାହ ମରାମତି ପାଇଁ ୫୦୦ ଗ୍ୟାଙ୍ଗ ଓ ୫୦୦ ଅଫିସର ନିୟୋଜିତ ଅଛନ୍ତି। କାମକୁ ତୀବ୍ର କରିବା ପାଇଁ ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ ଓ ତେଲଙ୍ଗାନାରୁ ଅଣାଯାଇଥିବା କୁଶଳୀ କାରିଗର ନିୟୋଜିତ ହେବେ। ଏହା ପରେ ଖୁବ୍ କମ୍ ଦିନ ମଧ୍ୟରେ ବିଦ୍ୟୁତ ଜନିତ ସମସ୍ୟାର ସମାଧାନ ହୋଇଯିବ ବୋଲି ଶ୍ରୀ ସିଂହ କହିଛନ୍ତି।
Follow Us