୭୯% ଗ୍ରାମୀଣ ‌ପରିବାରରେ ଗାଧୁଆ ଘର ନାହିଁ, ପାଇଖାନା ୫୦ ପ୍ରତିଶତ ଟପିନି

Advertisment
୭୯% ଗ୍ରାମୀଣ ‌ପରିବାରରେ ଗାଧୁଆ ଘର ନାହିଁ, ପାଇଖାନା ୫୦ ପ୍ରତିଶତ ଟପିନି

maf-uk.org

ଭୁବନେଶ୍ବର : ଦେଶର ଆତ୍ମା ଗ୍ରାମୀଣ ଭାରତରେ ରହିଛି। ବିଂଶ ଶତାବ୍ଦୀରେ ଜାତିର ଜନକ ମହାତ୍ମା ଗାନ୍ଧୀ ଏହି ଘୋଷଣା କରିଥିଲେ। କିନ୍ତୁ ଗାନ୍ଧୀଙ୍କ ମୃତ୍ୟୁର ୭୪ ବର୍ଷ ଏବଂ ଦେଶ ସ୍ବାଧୀନତା ଲାଭ କରିବାର ୭୫ ବର୍ଷ ପରେ ବି ଗ୍ରାମୀଣ ଭାରତର ଲୋକଙ୍କ ଜୀବନ ଧାରଣ ମାନରେ ସେମିତି କିଛି ଉନ୍ନତି ଆସିନାହିଁ। ବିଶେଷକରି ଓଡ଼ିଶାର ଗ୍ରାମାଞ୍ଚଳର ଲୋକମାନଙ୍କ ନିକଟରେ ବିକାଶର ମୌଳିକ ସୁବିଧା ପହଞ୍ଚି ନାହିଁ। ବିଧାନସଭାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗତକାଲି ଉପସ୍ଥାପନ କରାଯାଇଥିବା ଅର୍ଥନୈତିକ ସର୍ଭେ ୨୦୨୦-୨୧ ରିପୋର୍ଟରେ ଏହି ଚିତ୍ର ସାମ୍ନାକୁ ଆସିଛି।

ଭାରତ ସରକାରଙ୍କ ୨୦୧୮ ମସିହାର ୭୬ତମ ପର୍ଯ୍ୟାୟ ଜାତୀୟ ନମୁନା ସର୍ବେକ୍ଷଣକୁ ଆଧାର କରି ସର୍ଭେର ଦ୍ବିତୀୟ ଅଧ୍ୟାୟରେ କୁହାଯାଇଛି ଯେ ରାଜ୍ୟର ଗ୍ରାମାଞ୍ଚଳରେ ଥିବା ପରିବାର ଗୁଡ଼ିକ ମଧ୍ୟରୁ ୨୧ ପ୍ରତିଶତ ପରିବାରରେ ଗାଧୁଆ ଘର ସୁବିଧା ରହିଛି। ଅର୍ଥାତ୍‌ ଗାମାଞ୍ଚଳରେ ୭୯ ପ୍ରତିଶତ ପରିବାରରେ ଏପର୍ଯ୍ୟନ୍ତ ଗାଧୁଆଘର ସୁବିଧା ନାହିଁ। ଜାତୀୟ ହାର ତୁଳନାରେ ଓଡ଼ିଶା ଏ କ୍ଷେତ୍ରରେ ପଛରେ ପଡ଼ିଛି। ଦେଶରେ ୫୬.୬ ପ୍ରତିଶତ ଗ୍ରାମୀଣ ପରିବାରରେ ଗାଧୁଆଘର ରହିଥିବା ଏଥିରେ ଉଲ୍ଲେଖ କରାଯାଇଛି। ସେହିଭଳି ସ୍ବଚ୍ଛ ଭାରତ ମିସନ୍‌ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ କରାଯାଉଥିଲେ ମଧ୍ୟ ରାଜ୍ୟର ଗ୍ରାମାଞ୍ଚଳରେ ୫୦ ପ୍ରତିଶତ ଘରେ ପାଇଖାନା ନାହିଁ। ଜାତୀୟ ସ୍ତରରେ ୭୧.୩ ପ୍ରତିଶତ ଗ୍ରାମୀଣ ପରିବାରରେ ପାଇଖାନା ଥିବାବେଳେ ଓଡ଼ିଶାରେ ଏହା ୪୯.୩ ପ୍ରତିଶତ ରହିଛି। ଅର୍ଥାତ୍ ଜାତୀୟ ହାର ସହ ସମାନ ହେବାକୁ ହେଲେ ଗ୍ରାମୀଣ ଓଡ଼ିଶାର ପରିବାରଗୁଡ଼ିକରେ ଆହୁରି ୨୨ ପ୍ରତିଶତ ପାଇଖାନାର ଆବଶ୍ୟକତା ରହିଛି।

ସର୍ଭେରେ ଦର୍ଶାଯାଇଛି ରାଜ୍ୟ ବିକାଶର ମୂଳ ସ୍ତମ୍ଭ ଗ୍ରାମାଞ୍ଚଳର ବିକାଶ। ଅର୍ଥାତ୍‌ ଗ୍ରାମାଞ୍ଚଳର ବିକାଶ ହେଲେ ରାଜ୍ୟର ବିକାଶ ସମ୍ଭବ ହୋଇପାରିବ। ତେଣୁ ଲୋକଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ଲାଗି ଗ୍ରାମାଞ୍ଚଳରେ ରହିଥିବା ବହୁବିଧ ସମସ୍ୟାର ସମାଧାନ ନିମନ୍ତେ ଅନେକ ଯୋଜନା ପ୍ରଣୟନ ଏବଂ କାର୍ଯ୍ୟକାରୀ କରାଯାଉଛି। ଉପଲବ୍ଧ ସମ୍ବଳ ଓ ସୁଯୋଗର ସର୍ବାଧିକ ଉପଯୋଗ କରିବା ଉପରେ ଗ୍ରାମାଞ୍ଚଳର ବିକାଶ ନିର୍ଭରଶୀଳ ବୋଲି ମଧ୍ୟ ସର୍ଭେରେ କୁହାଯାଇଛି। ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ମୌଳିକ ଲକ୍ଷ୍ୟ ହେଲା ଦାରିଦ୍ର୍ୟ ଦୂରୀକରଣ, ଗ୍ରାମାଞ୍ଚଳ ଲୋକଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା, ସ୍ବସ୍ଥତା ଏବଂ ପରିମଳ ସଂପର୍କରେ ସଚେତନତା ସୃଷ୍ଟି କରି ଏକ ସ୍ବାସ୍ଥ୍ୟକର ସମାଜ ସୃଷ୍ଟି ଏବଂ ନିରକ୍ଷରତା ଦୂର କରିବା। ଗୋଟିଏ ପଟେ ସରକାର ଅର୍ଥନୈତିକ ସର୍ଭେରେ ବିକାଶର ସଂଜ୍ଞା ନେଇ ଯାହା ଉଲ୍ଲେଖ କରିଛନ୍ତି ଏବଂ ଅନ୍ୟପ‌ଟେ ଗ୍ରାମାଞ୍ଚଳ ଲୋକଙ୍କୁ ପାଇଖାନା ଓ ଗାଧୁଆ ଘର ଭଳି ପ୍ରାଥମିକ ସୁବିଧା ଯୋଗାଇ ଦେବାରେ ଜାତୀୟ ହାର ତୁଳନାରେ ପଛରେ ଥିବାରୁ ଏହା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଅର୍ଥନୈତିକ ସର୍ଭେରେ ଦର୍ଶାଯାଇଥିବା ଏଭଳି ଉଦ୍‌ବେଗଜନକ ତଥ୍ୟ ସରକାରଙ୍କୁ ବ୍ୟଥିତ କରିବ ବୋଲି ଆଶା କରାଯାଉଛି। ଆଗାମୀ ବଜେଟ୍‌ରେ ଗ୍ରାମୀଣ ଓଡ଼ିଶାର ପରିବାରଗୁଡ଼ିକରେ ପାଇଖାନା ଓ ଗାଧୁଆ ଘର ଯୋଗାଇ ଦିଆଯିବା ନେଇ କିଛି ଯୋଜନା ଓ ବ୍ୟୟ ବରାଦ କରାଯାଇପାରିଲେ ସ୍ଥିତିରେ କିଛିଟା ଉନ୍ନତି ଆସିପାରନ୍ତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe