ଆବାସ ଯୋଜନା ବାଟବଣା: ଭଙ୍ଗା କୁଡ଼ିଆ ଘରେ ୭୯ ବର୍ଷ ବୟସ୍କା ଅସହାୟ ବିଧବା ଜୁନାରୀଙ୍କ ବିତୁଛି ଜୀବନ

ଘୁ.ଉଦୟଗିରିରେ ଆବାସ ଯୋଜନା ବାଟବଣା ହୋଇଥିବା ଅଭିଯୋଗ ହୋଇଛି। ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ୧୪ ନମ୍ବର ୱାର୍ଡ କୁରୁମିଙ୍ଗିଆ (ଲୋହାର୍ ନାଜୁ) ଗ୍ରାମର ୭୯ ବର୍ଷ ବୟସ୍କା ବିଧବା ଅସହାୟ ଜୁନାରୀ ବିନ୍ଧାଣିଙ୍କର ଜୀବନ ଭଙ୍ଗା କୁଡ଼ିଆ ଘରେ ବିତୁଛି...

79-year-old helpless widow Junari lives in a dilapidated hut

79-year-old helpless widow Junari lives in a dilapidated hut Photograph: (sambad.in)

ଘୁ.ଉଦୟଗିରି: ଘୁ.ଉଦୟଗିରିରେ ଆବାସ ଯୋଜନା ବାଟବଣା ହୋଇଥିବା ଅଭିଯୋଗ ହୋଇଛି। ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ୧୪ ନମ୍ବର ୱାର୍ଡ କୁରୁମିଙ୍ଗିଆ (ଲୋହାର୍ ନାଜୁ) ଗ୍ରାମର ୭୯ ବର୍ଷ ବୟସ୍କା ବିଧବା ଅସହାୟ  ଜୁନାରୀ ବିନ୍ଧାଣିଙ୍କର ଜୀବନ  ଭଙ୍ଗା କୁଡ଼ିଆ ଘରେ ବିତୁଛି ।

ଜୁନାରୀଙ୍କ ଘର ଚାଲିଚଳନ ଦେଖିଲେ ସ୍ପଷ୍ଟ ହେଉଛି ସରକାରଙ୍କ ଯୋଜନା କେଉଁଠି ନା କେଉଁଠି ବାଟବଣା ହୋଇଛି। ଏହି ବୃଦ୍ଧା ଜୁନାରୀ ଏକ ଝାଟିମାଟି ଭଙ୍ଗା ଘରେ ରହୁଛନ୍ତି। ତାଙ୍କ ଦେଖାଶୁଣା କରିବା ନିମନ୍ତେ କେହି ନାହାନ୍ତି । ଦୀର୍ଘ ବର୍ଷ ପୂର୍ବରୁ ତାଙ୍କ ସ୍ଵାମୀଙ୍କ ମୃତ୍ୟୁ ହୋଇଯିବା ପରେ ସେ ଏକମାତ୍ର ଝିଅଙ୍କ ସହିତ ରହୁଥିଲେ। କିନ୍ତୁ କିଛି ବର୍ଷ ପୂର୍ବରୁ ତାଙ୍କ ଝିଅର ବି ମୃତ୍ୟୁ ହୋଇଯାଇଛି। ବର୍ତ୍ତମାନ ସେ ଏକାକିନୀ ଏହି ଭଙ୍ଗା କୁଡିଆରେ ଜୀବନ ବିତାଉଥିବା ଦେଖିବାକୁ ମିଳୁଛି।

ଏହିଭଳି ଅସହାୟ ବୃଦ୍ଧାଙ୍କୁ ସରକାର ମାତ୍ର ୫ କେଜି ଚାଉଳ ଏବଂ ୧୦୦୦ ଟଙ୍କା ଭତ୍ତା ଦେଉଛନ୍ତି। ଅଳ୍ପ ଦିନ ମଧ୍ୟରେ ୫ କେଜି ଚାଉଳ ସରିବା ପରେ ସେ ଅନ୍ୟ ଲୋକମାନଙ୍କୁ ମାଗି ଦିନ କାଟୁଛନ୍ତି। ଏହିଭଳି ଅସହାୟ ବିଧବା ବୃଦ୍ଧାଙ୍କୁ ଆଜି ପର୍ଯ୍ୟନ୍ତ ଅନ୍ତଦ୍ୟୋୟ ଯୋଜନାରେ ଏକ ରାସନ କାର୍ଡ ପ୍ରଦାନ କରିବା ବ୍ୟବସ୍ଥା ନ କରି ସ୍ଥାନୀୟ ପ୍ରଶାସନ ନିରବଦ୍ରଷ୍ଟା ସାଜି ବସିଛି।

ପ୍ରଶ୍ନ ଉଠୁଛି ସରକାରୀ ଯୋଜନା କାହା ପାଇଁ। ଯଦି ପ୍ରକୃତ ହିତାଧିକାରୀ ସରକାରୀ ଯୋଜନାରୁ ବଞ୍ଚିତ ତାହାହେଲେ ସରକାରୀ ଯୋଜନାର ସଫଳ ରୂପାୟନ କରିବାରେ ପ୍ରଶାସନ ବିଫଳ। ପ୍ରଶାସନିକ ବିଫଳତାର ନଗ୍ନ ନମୁନା ହେଉଛନ୍ତି ଏହି ଅସହାୟ ବିଧବା ।

ଅଧିକ ପଢ଼ନ୍ତୁ: ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ଯାହାଙ୍କୁ ନା ମିଳିଛି ଆବାସ ଘର ନା ଅନ୍ତଦ୍ୟୋୟ ଯୋଜନାରେ ସାମିଲ କରାଯାଇଛି। ଭଗବାନଙ୍କ ଭରସାରେ ସେ ବଞ୍ଚିଛନ୍ତି। ବାରମ୍ବାର ସରକାର ଏବଂ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ନଥିବା ଦେଖିବାକୁ ମିଳିଛି। ତୁରନ୍ତ ଏହି ଅସହାୟ ବୃଦ୍ଧାଙ୍କୁ ଆବାସ ଯୋଜନାରେ ଗୃହ ଯୋଗେଇ ଦେବା ସହ ଅନ୍ତଦ୍ୟୋୟ ଯୋଜନାରେ ସାମିଲ କରି କାର୍ଡ ପ୍ରଦାନ କରିବାକୁ ଦାବି ହୋଇଛି।

ଅଧିକ ପଢ଼ନ୍ତୁ: ପାକ୍ ସେନା ଉପରେ ବଲୋଚ ବିଦ୍ରୋହୀଙ୍କ ବଡ଼ ଆକ୍ରମଣ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe