ଆବାସିକ ବିଦ୍ୟାଳୟର ଛାତ୍ରୀ ଗର୍ଭବତୀ ଘଟଣା: ମୃତ ପୁତ୍ର ସନ୍ତାନ ପ୍ରସବର ୨୪ଘଣ୍ଟା ପରେ ନାବାଳିକା ମା’ର ମୃତ୍ୟୁ

Advertisment
ଆବାସିକ ବିଦ୍ୟାଳୟର ଛାତ୍ରୀ ଗର୍ଭବତୀ ଘଟଣା: ମୃତ ପୁତ୍ର ସନ୍ତାନ ପ୍ରସବର ୨୪ଘଣ୍ଟା ପରେ ନାବାଳିକା ମା’ର ମୃତ୍ୟୁ

ଘୁ.ଉଦୟଗିରି: ଆବାସିକ ବିଦ୍ୟାଳୟରେ ପାଠ ପଢ଼ୁଥିବା ନାବାଳିକା ଗର୍ଭବତୀ ଖବରକୁ ନେଇ କନ୍ଧମାଳ ଜିଲ୍ଲା ସବୁବେଳେ ଚର୍ଚ୍ଚାରେ ରହୁଛି। ଗତମାସରେ ବେଲଘର ଥାନା ଅଞ୍ଚଳରେ ଜଣେ ସପ୍ତମ ଶ୍ରେଣୀର ନାବାଳିକା ଗର୍ଭବତୀ ହୋଇଥିବା ବିଷୟ ବିଦ୍ୟାଳୟ କର୍ତ୍ତୃପକ୍ଷ ଜାଣିବା ପରେ ଲିଖିତ ଅଭିଯୋଗ କରିଥିଲେ। ପରେ ପୀଡିତା ନାବାଳିକାକୁ ଡାକ୍ତରୀ ମାଇନା ସହ ଜିଲ୍ଲା ଶିଶୁ ସୁରକ୍ଷା କମିଟି ପାଖରେ ହାଜର କରିବା ସହ ତାଙ୍କ ଶରୀର ପରୀକ୍ଷା ଏବଂ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ନିଆଯାଇ ସେଠାରେ ଚିକିତ୍ସା କରାଯିବା ପରେ ଗତ ୩୦ତାରିଖ ରାତିରେ ସ୍ଥାନୀୟ ଶୁଭଦ୍ରା ମହତାବ ସେବା ସଦନ ଠାରେ ରଖାଯାଇଥିଲା। ୫ତାରିଖ ଦିନ ରାତିରେ ନାବାଳିକା ଜଣକ ଯନ୍ତ୍ରଣା ଅନୁଭବ କରିବା ପରେ ପାଖ ସାଥୀଙ୍କୁ ଜଣେଇଥିଲେ । ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା ହେଲେ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମ୍ବୁଲାନ୍ସ ନ ଥିବା ଯୋଗୁଁ ରାଇକିଆରୁ ଆମ୍ବୁଲାନ୍ସ ଆସି ପହଞ୍ଚିଥିଲା। ଆମ୍ବୁଲାନ୍ସ ପହଁଚିଲା ବେଳକୁ ନାବାଳିକା ଜଣକ ଏକ ମୃତ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ।

ସୂଚନା ପାଇଁ ଆମ୍ବୁଲାନ୍ସ ପହଞ୍ଚି ସଙ୍ଗେ ସଙ୍ଗେ ନାବାଳିକା ଏବଂ ନବଜାତ ଶିଶୁ ପୁତ୍ରକୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପରେ ଡାକ୍ତର ନବଜାତ ଶିଶୁପୁତ୍ରକୁ ମୃତ ଘୋଷଣା କରିବା ସହ ନାବାଳିକାଙ୍କ ଚିକିତ୍ସା କରିଥିଲେ। ଖବର ପାଇ ସ୍ଥାନୀୟ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ଶିଶୁ ପୁତ୍ରର ଶବ ବ୍ୟବଛେଦ କରିବା ସହ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ। ଖବର ପାଇ ନାବାଳିକାଙ୍କ ବାପା, ମା ଏବଂ ସମ୍ପର୍କୀୟ ପହଞ୍ଚିଥିଲେ। ଗତକାଲି ରାତିରେ ନାବାଳିକାର ସ୍ୱାସ୍ଥ୍ୟ ଅବସ୍ଥା ବିବିଡିବାରେ ଲାଗିବାରୁ ତାଙ୍କୁ ଫୁଲବାଣୀ ମେଡିକାଲକୁ ନେବାକୁ ଡାକ୍ତର ରେଫର କରିଥିବା ବେଳେ ଆମ୍ବୁଲାନ୍ସ ଯୋଗାଡ଼ ଚାଲିଥିବା ସମୟରେ ନାବାଳିକା ଜଣକ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ତେବେ ନାବାଳିକା ମା’ ଓ ତାର ପୁଅଙ୍କ ମଧ୍ୟରେ ମୃତ୍ୟୁର ବ୍ୟବଧାନ ୨୪ ଘଣ୍ଟା ବୋଲି କୁହାଯାଉଛି।

ଖବର ପାଇ ସ୍ଥାନୀୟ ଥାନା ଅଧିକାରୀ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଁଚି ଶବ ବ୍ୟବଛେଦ ବ୍ୟବସ୍ଥା କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ପରିବାରଙ୍କୁ ମୃତ ନାବାଳିକାର ଶବ ହସ୍ତାନ୍ତର କରିଛନ୍ତି। ନାବାଳିକା ଜଣକ ସୁସ୍ଥ ଥିବା ବେଳେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ନାବାଳିକା ଜଣକ ଯଦି ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିଲା ତାହାହେଲେ ତାଙ୍କୁ କାହିଁକି ବ୍ରହ୍ମପୁରରେ ରଖାଗଲା ନାହିଁ। ତାଙ୍କ ପ୍ରସବ ପରେ ଯଦି ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଲା ତାହାହେଲେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଅନ୍ୟ ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରାନଯାଇ ଏଠି ରଖାଗଲା କାହିଁକି?

ଅନ୍ୟପଟେ ଏହି ଘଟଣା ପରେ ବାଲିଗୁଡାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ତୀବ୍ର ପ୍ରତିକ୍ରିୟା ରଖି ଏହିଭଳି ଘଟଣା ପାଇଁ ପ୍ରଶାସନକୁ ଦାୟୀ କରିବା ସହ ଏହି ଘଟଣାର ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରିବା ସହ ମୃତ ନାବାଳିକାର ପରିବାର କୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। କନ୍ଧମାଳ ଜିଲ୍ଲାରେ ବାରମ୍ବାର ଆବାସିକ ବିଦ୍ୟାଳୟ ମାନଙ୍କରେ ଏହିଭଳି ନାବାଳିକା ଗର୍ଭବତୀ ହେବା ଘଟଣା ଘଟୁଥିବା ବେଳେ ତଳିଆ ଜଣେ ଜଣେ କର୍ମଚାରୀଙ୍କୁ ବଳି ପକେଇ ପ୍ରଶାସନ ଚୁପ ବସି ରହୁଥିବା ଦେଖୁବାକୁ ମିଳୁଛି। ଏହିଭଳି ସମସ୍ୟାର କିଭଳି ସ୍ଥାୟୀ ସମାଧାନ ହୋଇପାରିବ ଏହିଭଳି ଘଟଣାର ପୁନରାବୃତ୍ତି କିଭଳି ନ ହେବ ସେଥି ପ୍ରତି ଧ୍ୟାନ ଦିଆଯାଉନଥିବା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିବା ସହ କନ୍ଧମାଳ ଜିଲ୍ଲା ସବୁବେଳେ ଏହିଭଳି ଘଟଣା ପାଇଁ ଚର୍ଚ୍ଚାରେ ରହୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe