ସମସ୍ୟାରେ ଜର୍ଜରିତ ବୁଦୁଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ଼: ୮ଟି ଶ୍ରେଣୀକୁ ୩ ଶିକ୍ଷକ, ୪ କଠୋରୀ

ସମସ୍ୟାରେ ଜର୍ଜରିତ ବୁଦୁଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ଼: ୮ଟି ଶ୍ରେଣୀକୁ ୩ ଶିକ୍ଷକ, ୪ କଠୋରୀ

ମାଲକାନଗିରି: ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି। ଜିଲ୍ଲାରେ ସ୍କୁଲ ଥିଲେ ଶିକ୍ଷକଙ୍କର ଅଭାବ ଦେଖାଯାଉଥିବା ବେଳେ ଶିକ୍ଷକ ଥିଲେ ଶ୍ରେଣୀ ଗୃହର ଅଭାବ ଦେଖିବାକୁ ମିଳିଛି। ଏଭଳି ଏକ ବିଦ୍ୟାଳୟ ହେଉଛି କୋରକୋଣ୍ଡା ବ୍ଲକର ବୁଦୁଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏହି ବିଦ୍ୟାଳୟରେ ପ୍ରଥମରୁ ୮ମ ପର୍ଯ୍ୟନ୍ତ ଶ୍ରେଣୀ ରହିଥିବା ବେଳେ ମୋଟ ୧୧୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏଥିସହ ୮ଟି ଶ୍ରେଣୀକୁ ମାତ୍ର ୩ ଜଣ ଶିକ୍ଷକ ରହିଛନ୍ତି।

ତେବେ ପ୍ରଧାନଶିକ୍ଷକ ନୀଳକଣ୍ଠ ବେହେରା ସହ ଦୁଇ ମହିଳା ଶିକ୍ଷୟତ୍ରୀ ଜୁବଲୀ ମହାପାତ୍ର ଓ ମାନସୀ ସାମଲ। ପ୍ରଧାନ ଶିକ୍ଷକ ସବୁବେଳେ ଅଫିସ କାମ ସହ ଅନ୍ୟ କାମରେ ବ୍ୟସ୍ତ ରହୁଥିବା ବେଳେ ସେ ପ୍ରାୟତଃ ଶିକ୍ଷାଦାନ କରିପାରନ୍ତି ନାହିଁ। ତେବେ ୮ଟି ଶ୍ରେଣୀକୁ ମାତ୍ର ୪ଟି ଶ୍ରେଣୀ କକ୍ଷ ରହିଛି। ଏଥିରେ ୮ଟି ଶ୍ରେଣୀର ପିଲା ପଢନ୍ତି। ଗୋଟିଏ ଶ୍ରେଣୀରେ ୧ରୁ ୫ ପର୍ଯ୍ୟନ୍ତ ପିଲା ବସିବାକୁ ପଡୁଛି।  ଏଭଳି ସ୍ଥିତିରେ କିପରି ଶିକ୍ଷାଦାନ ହେଉଥିବ ସହଜରେ ଅନୁମେୟ।

publive-image

୧୯୫୪ ମସିହାରେ ଏହି ବିଦ୍ୟାଳୟ ସ୍ଥାପିତ ହୋଇଥିଲା। ସ୍କୁଲ ପରିସରରେ ଏକ ଅଙ୍ଗନବାଡି ଘର ମଧ୍ୟ ରହିଛି। ବିଦ୍ୟାଳୟରେ ଶ୍ରେଣୀ କକ୍ଷର ଅଭାବ ଦେଖା ଦେଉଥିବା ବେଳେ ଗୋଟିଏ କଠୋରୀରେ ଅଂଗନବାଡ଼ିର ପିଲା ପାଠ ପଢୁଛନ୍ତି। ସେହିପରି ବିଦ୍ୟାଳୟରେ ପାଚେରୀ ନଥିବାରୁ ତାକୁ ନେଇ ମଧ୍ୟ ବାଦବିବାଦ ଲାଗି ରହିଛି। ଗୋଟିଏ ଗୋଷ୍ଠୀ ପାଚେରୀ ନିର୍ମାଣ ପାଇଁ ସମସ୍ତ ସୁବିଧା କରୁଥିବା ବେଳେ ଅନ୍ୟ ଗୋଷ୍ଠୀ ଏହାକୁ ବିରୋଧ କରୁଛନ୍ତି। ବିଦ୍ୟାଳୟର ପରିବେଶ କିନ୍ତୁ ସବୁଜ ସୁନ୍ଦର ରହିଛି। ଅଷ୍ଟମ ଶ୍ରେଣୀ ପିଲାଙ୍କୁ ପାଠ ପଢାଇବା ପାଇଁ ଶିକ୍ଷକ ଅଭାବ ରହିଥିବାରୁ ପିଲା ଭଗବାନଙ୍କ ଭରସାରେ ରହିଛନ୍ତି। ବିଶେଷକରି ଗଣିତ ଓ ଇଂରାଜୀ ପାଠ ପଢାଇବା ପାଇଁ ଜଣେ ଦକ୍ଷ ଶିକ୍ଷକ ଆବଶ୍ୟକ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ବିଭାଗୀୟ ଅଧିକାରୀ ଏନେଇ ଅବଗତ ରହିଥିଲେ ମଧ୍ୟ କୌଣସି ପଦକ୍ଷେପ ନନେବା ସାଧାରଣରେ ଅସଂତୋଷକୁ ବଢାଉଛି। ବାରମ୍ବାର ଗ୍ରାମବାସୀ ବ୍ଲକ ଶିକ୍ଷାଧିକାରୀ ଠାରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ପର୍ଯ୍ୟନ୍ତ ବିଦ୍ୟାଳୟରେ ରହିଥିବା ସମସ୍ୟାଗୁଡିକ ସଂପର୍କରେ ଅବଗତ କରାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା କହିଥିଲେ। ବିଦ୍ୟାଳୟରେ ଶ୍ରେଣୀ ଗୃହ ଦରକାର ପଡୁଥିବା ବେଳେ ଆହୁରି ଶିକ୍ଷକ ଦରକାର ପଡୁଛି। ତେବେ ତୁରନ୍ତ ଏନେଇ ବିଭାଗୀୟ ଅଧିକାରୀ ପଦକ୍ଷେପ ନେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe