୮ କୋଟିର ଏସ୍‌ବିଆଇ ଋଣ ଜାଲିଆତି ମାମଲା: ପୂର୍ବତନ ଯୋଗାଣ ନିରୀକ୍ଷକଙ୍କ ସମେତ ୨ ଗିରଫ

କାହିଁକି ଅଚଳ ହୋଇଥିଲା ଏସବିଆଇର ଇଣ୍ଟରନେଟ ବ୍ୟାଙ୍କିଙ୍ଗ୍ ସେବା ?

Image Courtesy of OneIndia

ଫୁଲବାଣୀ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ଫୁଲବାଣୀ ଶାଖାରେ ହୋଇଥିବା ୮ କୋଟି ଟଙ୍କାର ଋଣ ଜାଲିଆତି ମାମଲାରେ ଇଓଡବ୍ଲ୍ୟୁ ଆଉ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ଖଜୁରୀପଡ଼ାର ପ୍ରାକ୍ତନ ଯୋଗାଣ ନିରୀକ୍ଷକ ସମରେଶ ଦାସ ଏବଂ ତାଙ୍କ ସହଯୋଗୀ ହେମନ୍ତ ପଣ୍ଡା। ଏହାପୂର୍ବରୁ ଇଓଡବ୍ଲ୍ୟୁ ବ୍ୟାଙ୍କ୍ ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ଯ୍ୟଙ୍କୁ କଟକରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାଲ୍‌ କାଗଜପତ୍ର ଜରିଆରେ ବ୍ୟାଙ୍କ୍‌ରୁ ବିଭିନ୍ନ ବ୍ୟକ୍ତିଙ୍କ ନାମରେ ୮ କୋଟି ଟଙ୍କାର ଋଣ ନିଆଯାଇଥିଲା।

ଋଣ ଜାଲିଆତି ମାମଲାରେ ଫୁଲବାଣୀ ଏସ୍‌ବିଆଇ ଆର୍‌ବିଓର ରିଜିଓନାଲ ମ୍ୟାନେଜର ପ୍ରଶାନ୍ତ କୁମାର ବେହେରା ଇଓଡବ୍ଲ୍ୟୁରେ ଏତଲା ଦେବା ପରେ ଗତ ଏପ୍ରିଲ ୩ ତାରିଖରେ ଏକ ମାମଲା ରୁଜୁ ହୋଇଥିଲା। ୨୦୨୧ ମସିହା ସେପ୍ଟେମ୍ବର ମାସରୁ ୨୦୨୨ ସେପ୍ଟେମ୍ବର ମାସ ମଧ୍ୟରେ ଡେପୁଟି ମ୍ୟାନେଜର୍ ଆଶୁତୋଷଙ୍କ ଉଦ୍ୟମରେ ମୋଟ ୮୫ ଜଣଙ୍କ ନାମରେ ବେଆଇନ ଭାବେ ଜାଲିଆତି କରି ଋଣ କରାଯାଇଥିଲା। ଚାକିରି କରି ନଥିବା ୫୯ ଜଣ ବ୍ୟକ୍ତିଙ୍କ ଜାଲ୍‌ କାଗଜପତ୍ର ମାଧ୍ୟମରେ ଏକ୍ସପ୍ରେକ୍ସ କ୍ରେଡିଟ୍‌ ସ୍କିମ୍‌ରେ ଲୋନ୍‌ କରାଇ ଦିଆଯାଇଥିଲା। ସେହିଭଳି ପେନ୍‌ସନ ପାଉ ନଥିବା ୨୬ ଜଣଙ୍କ ନାମରେ ଜାଲ୍‌ କାଗଜପତ୍ର ପ୍ରସ୍ତୁତ କରି ପେନ୍‌ସନ ସ୍କିମ୍‌ରେ ଲୋନ୍‌ କରାଇ ଦେଇଥିଲେ। ସେହିପରି କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକରେ କାର୍ଯ୍ୟ କରୁଥିବା ତତ୍କାଳୀନ ଯୋଗାଣ ନିରୀକ୍ଷକ ସମରେଶ ରଞ୍ଜନ ଦାସଙ୍କ ଆକାଉଣ୍ଟକୁ ଋଣ ବାବଦକୁ ୧ କୋଟି ୪୬ ଲକ୍ଷ ୩୦ ହଜାର ଟଙ୍କା ମଧ୍ୟ ଯାଇଥିଲା। ଆଶୁତୋଷଙ୍କ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ମଧ୍ୟ କୋଟି କୋଟି ଟଙ୍କା ଋଣ ଅର୍ଥ ଟ୍ରାନ୍‌ସଫର କରାଯାଇଥିଲା। ଆଶୁତୋଷ ଏବଂ କନ୍ଧମାଳ ଜିଲ୍ଲାର ତତ୍କାଳୀନ ଯୋଗାଣ ନିରୀକ୍ଷକ ସମରେଶ ରଞ୍ଜନ ଦାସଙ୍କ ମିଳିତ ଉଦ୍ୟମରେ ଏକ ଚିଟ୍‌ଫଣ୍ଟ କମ୍ପାନି ଗଠନ କରାଯାଇ ବିଭିନ୍ନ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକେଇ କରାଯାଇଥିବା ଅଭିଯୋଗ ହୋଇଥିଲା।

ଋଣ ଜାଲିଆତି ମାମଲାରେ ଗତ ଏପ୍ରିଲ ୫ ତାରିଖରେ ଇଓଡବ୍ଲ୍ୟୁ ଡେପୁଟି ମ୍ୟାନେଜର୍‌ ଆଶୁତୋଷଙ୍କୁ ଗିରଫ କରିଥିଲା। ଆଶୁତୋଷ ନିଜ କାର୍ଯ୍ୟକାଳ ସମୟରେ ଜାଲ୍‌ କାଗଜପତ୍ର କରି ପ୍ରାୟ ୮ କୋଟି ୧ ଲକ୍ଷ ୮୭ ହଜାର ଟଙ୍କାର ଋଣ ଜାଲିଆତି କରିଥିଲେ। କୌଣସି ଚାକିରି କରି ନଥିବା ମୋଟ ୮୫ ଜଣଙ୍କ ନାମରେ ଚାକିରି କରିଥିବା ଦର୍ଶାଇ ଜାଲିଆତି କରି ବ୍ୟାଙ୍କ୍‌ରୁ ଋଣ ଉଠାଣ କରାଯାଇଥିଲା। ତେବେ ଏହି ୮୫ ଜଣ ଋଣ ପରିଶୋଧ ନ କରିବାରୁ ବ୍ୟାଙ୍କ ଏହାକୁ ଏନ୍‌ପିଏ ଘୋଷଣା କରିଥିଲା। ଏହାପରେ ଠକେଇ ପଦାକୁ ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe