ଭୁବନେଶ୍ବର: ଆଜି ରାଜ୍ୟରେ ୨୮୯୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କରୋନାରେ ୮ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଗଞ୍ଜାମରୁ ସର୍ବାଧିକ ୪ ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବା ବେଳେ କଟକ, ଢେଙ୍କାନାଳ, ଖୋର୍ଦ୍ଧା ଓ ପୁରୀରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।
ଗଞ୍ଜାମର ୩ ଜଣ ମୃତକ ପୁରୁଷଙ୍କ ବୟସ ୮୨, ୬୨ ଓ ୪୮ ବର୍ଷ। ଅପରପକ୍ଷରେ ଗଞ୍ଜାମର ଯେଉଁ ମହିଳା ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି, ତାଙ୍କର ବୟସ ୫୭ ବର୍ଷ ବୋଲି ଜଣାଯାଇଛି। କଟକର ଜଣେ ୮୨ ବର୍ଷ ବୟସ୍କ ପୁରୁଷ, ଢେଙ୍କାନାଳର ଜଣେ ୫୮ ବର୍ଷ ବୟସ୍କ ପୁରୁଷ , ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବରର ୫୯ ବର୍ଷ ବୟସ୍କ ପୁରୁଷ ଅଛନ୍ତି। ଏହାଛଡ଼ା ପୁରୀର ଜଣେ ୭୬ ବର୍ଷୀୟା ମହିଳା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏମାନେ ସମସ୍ତେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି।
ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାର ୨୦କୁ ବୃଦ୍ଧିପାଇଛି। ଅପରପକ୍ଷରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏବେ ରାଜ୍ୟରେ ମୋଟ୍ ୪୬୯୩୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨୬୫୧ ରହିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ୫୩ଜଣଙ୍କର ମୃତ୍ୟୁ ହୋଇଛି।
Follow Us