ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗୋଷ୍ଠୀ ସଂଘର୍ଷ: ଟେକାପଥର ମାଡ଼ରେ ୪ ମହିଳାଙ୍କ ସମେତ ୮ ଆହତ

Advertisment
ମ୍ୟାଚକୁ ନେଇ ବୃଦ୍ଧଙ୍କ ମୁଣ୍ଡ ଫଟାଇଦେଲେ ଯୁବକ

Image Courtesy of DT Next

ଗଞ୍ଜାମ/ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ଓ ରମ୍ଭା ଥାନା ଅଧୀନ କୋମଣ୍ଡ ଗ୍ରାମରେ ଗତକାଲି ରାତିରେ ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଘମାଘୋଟ ସଂଘର୍ଷ ଘଟିଛି। ଦୁଇ ଗୋଷ୍ଠୀ ପରସ୍ପରକୁ ଟେକା ଓ ପଥରମାଡ଼ କରିବାରୁ ଏଥିରେ ୪ ଜଣ ମହିଳାଙ୍କ ସମେତ ୮ ଜଣ ଆହତ ହୋଇଛନ୍ତି। ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣାକୁ କେନ୍ଦ୍ର କରି କୋମଣ୍ଡ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।

ସୂଚନାନୁସାରେ, ଗତ ପଞ୍ଚାୟତ ନିର୍ବାଚନରୁ ଗ୍ରାମରେ ଦୁଇ ଗୋଷ୍ଠୀ ଭିତରେ ଛକାପଞ୍ଝା ଲାଗି ରହିଛି। ଗତବର୍ଷ ମଧ୍ୟ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଗୋଷ୍ଠୀ ସଂଘର୍ଷ ଘଟିଥିଲା। ଗତକାଲି ରାତିରେ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା କେଉଟ ସାହି ଦେଇଯାଉଥିଲା। ଦୀର୍ଘ ସମୟ ଧରି ଏକ ନିର୍ଦ୍ଦିଷ୍ଟ ଘର ଆଗରେ ‌ଡିଜେ ବଜାଇବାରୁ ଏହାକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ପରେ ଏହା ଉଗ୍ର ରୂପ ନେଇଥିଲା। ଉଭୟ ପକ୍ଷ ପରସ୍ପରକୁ ଟେକାପଥର ମାଡ଼ କରିବା ଲଙ୍କାଗୁଣ୍ଡ ଫୋପାଡ଼ିଥିଲେ। ଏଥିରେ ୪ ଜଣ ମହିଳାଙ୍କ ସମେତ ୮ ଜଣ ଆହତ ହୋଇଥିଲେ। ସେହିପରି ଗ୍ରାମର ଗଙ୍ଗା ବେହେରାଙ୍କ ଝିଅ ଶାନ୍ତି ବେହେରାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ଡାକ୍ତରଖାନାରୁ କଟକ ସ୍ଥାନାନ୍ତର କରାଯାଇଛି।

ରମ୍ଭା ଥାନା ଆଇଆଇସି ସତ୍ୟବ୍ରତ ଭୁତିଆଙ୍କ ନେତୃତ୍ୱରେ ଦୁଇ ସେକ୍ସନ୍ ପୁଲିସ ଫୋର୍ସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲେ। ସମ୍ଭାବ୍ୟ ପରିସ୍ଥିତିକୁ ନଜର‌ରେ ରଖି ଗ୍ରାମରେ ପୁଲିସ ମୁତୟନ ରହିଛନ୍ତି। ଶାନ୍ତି ଫେରାଇ ଆଣିବାକୁ ଉଦ୍ୟମ ଜାରି ରହିଛି। ତେବେ ଏନେଇ ଉଭପ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ଏତଲା ଦିଆଯାଇ ନଥିବା ରମ୍ଭା ଥାନାଧିକାରୀ ଶ୍ରୀ ଭୁତିଆ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe