ଭୁବନେଶ୍ବର: ୩ ଦଫା ଦାବି ନେଇ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ୮ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା। କଂଗ୍ରେସ, ବାମଦଳ ପ୍ରମୁଖ ସମର୍ଥନ ଘୋଷଣା କରିଥିଲେ। ରାଜ୍ୟବ୍ୟାପୀ ଏହାର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି। କିଛି ଜିଲ୍ଲାରେ ଦୋକାନବଜାର ବନ୍ଦ ରହିଥିବା ବେଳେ ବହୁ ଜିଲ୍ଲାରେ ବନ୍ଦ ପ୍ରଭାବହୀନ ଥିଲା। ରାଜଧାନୀ ଭୁବନେଶ୍ବରରେ ବନ୍ଦ ପ୍ରଭାବ ଦେଖିବାକୁ ମିଳି ନ ଥିଲା। କିଛି ସ୍ଥାନରେ କାଁଭାଁ ଗଣ୍ଡଗୋଳକୁ ଛାଡ଼ି ଦେଲେ ପ୍ରାୟତଃ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳିତ ହୋଇଛି। ତେବେ ବନ୍ଦ ଭୟରେ ଯାନବାହନ ଚଳାଚଳ ବନ୍ଦ ଥିବାରୁ ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ରାଜଧାନୀ ସମେତ କିଛି ଜିଲ୍ଲାରେ ଗଣ୍ଡଗୋଳ ଆଶଙ୍କାରେ ଅନେକ ଘରୋଇ ଶିକ୍ଷାନୁଷ୍ଠାନ ଆଗୁଆ ଛୁଟି ଘୋଷଣା କରିଦେଇଥିଲେ।
ଧାନକିଣା ଅବ୍ୟବସ୍ଥା, ଯାନବାହନର ପ୍ରଦୂଷଣ ସାର୍ଟିଫିକେଟ୍ ଆଳରେ ମାତ୍ରାଧିକ ତଣ୍ଡ ଆଦାୟ, ଟାଟା କମ୍ପାନିର ମନମାନି ବିରୋଧରେ ବୁଧବାର ସକାଳ ୬ରୁ ଦିନ ୨ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଥିଲା। ଚାଷୀମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ। ସକାଳ ୯ଟା ପରେ ଜିଲ୍ଲା ସ୍ତରରେ ବନ୍ଦ ପ୍ରଭାବ ପ୍ରାୟତଃ ଦେଖିବାକୁ ମିଳି ନ ଥିଲା। ଯାଜପୁର, ଜଗତସିଂହପୁର, ବାଲେଶ୍ବର, କୋରାପୁଟ, ଭଦ୍ରକ ଆଦି ଜିଲ୍ଲାରେ ବନ୍ଦର ପ୍ରଭାବ ଆଂଶିକରୁ ମଧ୍ୟମଧରଣ ରହିଥିଲା। ମାଲକାନଗିରି ଜିଲ୍ଲାରେ ଯୋଗାଯୋଗ ସଂପୂର୍ଣ୍ଣ ବନ୍ଦ ହୋଇଥିଲା। ଅନେକ ମାଲବାହୀ ଟ୍ରକ୍ ଓ ବସ୍ ଅଟକି ରହିଥିଲା। ଗଜପତି ଜିଲ୍ଲାରେ ବିକ୍ଷୋଭକାରୀ ରାସ୍ତା ଉପରେ ଧାନବସ୍ତା ରଖି, ଟାୟାର ଜାଳି ବନ୍ଦକୁ ସମର୍ଥନ ଜଣାଇଥିଲେ। ରାଉରକେଲାରେ ବନ୍ଦ ପ୍ରଭାବଶୂନ୍ୟ ରହିଥିଲା। ଝାରସୁଗୁଡ଼ାରେ ରେଳ ଷ୍ଟେସନ୍ ଓ ପୁରୁଣା ବସ୍ଷ୍ଟାଣ୍ଡରେ ଆନ୍ଦୋଳନକାରୀ କିଛି ସମୟ ପିକେଟିଂ କରିଥିଲେ। ପରେ ଗାଡ଼ିମଟର ଚଳାଚଳ ସ୍ବାଭାବିକ ହୋଇଥିଲା।
ଭୁବନେଶ୍ବରରେ ନବନିର୍ମାଣର ଯୁବଛାତ୍ର ସଂଗଠନ ପକ୍ଷରୁ ମୋଟର ସାଇକେଲ ଶୋଭାଯାତ୍ରା କଳ୍ପନା ଛକରୁ ବାହାରି ସହର ପରିକ୍ରମା କରିଥିଲା। ଯେଉଁମାନେ ଦୋକାନ ଖୋଲା ରଖିଥିଲେ ସେମାନଙ୍କୁ ବନ୍ଦ କରିବା ପାଇଁ ଆହ୍ବାନ ଦେଇଥିଲେ। ବନ୍ଦ କାରଣରୁ ଭୁବନେଶ୍ବରରେ କିଛି ବିଦେଶୀ ପର୍ଯ୍ୟଟକ ଫସି ଯାଇଥିଲେ। ସେମାନଙ୍କ କହିବା କଥା, ଗତକାଲି ପର୍ଯ୍ୟନ୍ତ ବନ୍ଦ ସଂପର୍କରେ ସେମାନେ କିଛି ଜାଣି ନ ଥିଲେ। ସେମାନେ ପୁରୁଣା ଭୁବନେଶ୍ବର ସମେତ ମନ୍ଦିର ଓ ଅନ୍ୟାନ୍ୟ ସ୍ଥାନ ପରିଦର୍ଶନର କାର୍ଯ୍ୟକ୍ରମ ରହିଥିଲା। ମାତ୍ର ତାହାକୁ ବାତିଲ କରିଦିଆଯାଇଛି। ଚାଲି ଚାଲି ସହର ବୁଲିଥିଲେ ବିଦେଶୀ ପର୍ଯ୍ୟଟକ।
କିଛି ଜିଲ୍ଲା ପାଳିଲେ
ଭୁବନେଶ୍ବରରେ ଫସିଲେ ବିଦେଶୀ ପର୍ଯ୍ୟଟକ
ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ୍ ଛକରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା। ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଥିଲେ, ଚାଷୀ ଓ ଚାଷ ସମସ୍ୟାର ସମାଧାନ ପାଇଁ ନେତାଙ୍କଠାରୁ ଅମଲା, କାହାର ଆଗ୍ରହ ନାହିଁ। ଏଥିପାଇଁ ମିଲର ଚାଷୀଙ୍କ ଧାନ କ୍ବିଣ୍ଟାଲ୍ ପିଛା ୭ରୁ ୯ କେଜି ପର୍ଯ୍ୟନ୍ତ କାଟି ନେଉଛନ୍ତି। କେବଳ ଭାଷଣରେ ମଣ୍ଡି ଠିକ୍ ଚାଲୁଛି ବୋଲି ପ୍ରଚାର କରାଯାଉଛି। ଏହାସହ ଜନସାଧାରଣଙ୍କଠାରୁ ପ୍ରଦୂଷଣ ନାଁରେ ଆଦାୟ ସମସ୍ତ ଜରିମାନାକୁ ରଦ୍ଦ କରାଯିବା ଏବଂ ସ୍ମାର୍ଟ ମିଟର ନାଁରେ ଟାଟା ପାୱାରର ଶୋଷଣକୁ ବନ୍ଦ କରିବାକୁ ଦାବି କରିଥିଲେ।
odisha: ୮ ଘଣ୍ଟିଆ ‘ଓଡ଼ିଶା ବନ୍ଦ’ ଡାକରା: ଆଂଶିକ ପ୍ରଭାବ ପକାଇଲା
ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଥିଲେ, ସରକାରରେ ମନ୍ତ୍ରୀଙ୍କ ମଧ୍ୟରେ ତାଳମେଳ ନାହିଁ। ସମବାୟ ମନ୍ତ୍ରୀ ଦେଢ଼ କିଲୋ କାଟ୍ ହେଉଥିବା କହୁଛନ୍ତି। ଯୋଗାଣ ମନ୍ତ୍ରୀ କାଟ୍ ହେଉ ନ ଥିବା କହୁଛନ୍ତି। କୃଷି ମନ୍ତ୍ରୀ ୨ କିଲୋ କାଟ୍ ହେଉଥିବା କହୁଛନ୍ତି। ଚଳିତବର୍ଷ ମଣ୍ଡି ଦୁର୍ନୀତି ସବୁ ଦୁର୍ନୀତିକୁ ଟପିଯିବ। ପୁଲିସ ନବନିର୍ମାଣ ସଂଗଠର କର୍ମକର୍ତ୍ତାଙ୍କୁ ଗିରଫ କରି ପରେ ଛାଡ଼ି ଦେଇଥିଲା। ଏଥିରେ ସଂଗଠନର ଯୁବଛାତ୍ର ରାଜ୍ୟ ସଂଯୋଜକ ଏମ.ଡି ମନୱର୍ ଅଲ୍ଲୀ, ଅମିତ ଜେନା, ଏସ୍.କେ ହେଦାଇ, ଆୟୁଷ ଦାସ, ଏମ୍.ଡି.ଇମତିଆଜ, ସୃତିରଞ୍ଜନ ସାମଲ, ଯଶୋବନ୍ତ ଦାସ, ରାକେଶ ସେନାପତି, ଦିବ୍ୟରଞ୍ଜନ ସାହୁ, ସାଇଶିବମ୍ ବଡ଼ଜେନା, ରାହୁଲ ନାୟକ, ଶ୍ରୀୟାଂଶୁ ପ୍ରଧାନ, ଜଟାଧାରୀ ଲେଙ୍କା, କୃଷ୍ଣଚନ୍ଦ୍ର ବେହେରା ପ୍ରମୁଖ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/29/odisha-bandh-2026-01-29-03-29-36.jpg)