ଗାଁ’ ଦାଣ୍ଡରେ ବୁଲିଲା ଖଣ୍ଡା : ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୮ ଆହତ, ଫାର୍ସା, ଖଣ୍ଡା ଓ ଠେଙ୍ଗା ଜବତ

Advertisment
ଧଉଳି : ଗୋଷ୍ଠୀ ସଂଘର୍ଷ ମାମଲାରେ ୬ ଗିରଫ

ପିପିଲି/ଧଉଳି : କମେଣ୍ଟ ମରାକୁ କେନ୍ଦ୍ର କରି ପିପିଲି ଥାନା ଉତ୍ତରା ଫାଣ୍ଡି ଅଧୀନ କୌଶଲ୍ୟାପୁର ଗ୍ରାମରେ ଆଜି ସଂଧ୍ୟାରେ ଦୁଇଗୋଷ୍ଠୀ ମଧ୍ୟରେ ଭୀଷଣ ଗଣ୍ଡଗୋଳ ହୋଇଛି। ଗାଁ ଦାଣ୍ଡରେ ଖଣ୍ଡା ବୁଲିବା ସହ ରଣକ୍ଷେତ୍ର ପାଲଟି ଯାଇଥିଲା। ଗଣ୍ଡଗୋଳରେ ଉଭୟ ପକ୍ଷରୁ ୫ ଜଣ ମହିଳାଙ୍କ ସମେତ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ସୁରଥ ଭୋଇ(୪୫), ଅର୍ଚ୍ଚନା ଭୋଇ(୨୬), ରୀନା ଭୋଇ(୩୫), ରାଜକିଶୋର ଭୋଇଙ୍କ ପତ୍ନୀ ରୀନା ଭୋଇ, ଚାନ୍ଦ ଭୋଇ(୬୫), ପ୍ରକାଶ ଭୋଇ(୫୪)। ଅନ୍ୟଜଣଙ୍କ ପରିଚୟ ମିଳିନାହିଁ। ସେହିପରି ଅପରପକ୍ଷର ଜଣେ ବୃଦ୍ଧା ଆହତ ହୋଇଥିବା ସୂଚନା ମିଳିଛି।

ପ୍ରାପ୍ତ ସୂଚନାନୁଯାୟୀ ଏହି ସାହିରୁ ଗତ ୬ ମାସ ତଳେ ଜଣେ ନାବାଳିକା ଫେରାର ହୋଇଯାଇଥିଲା। ଗତ ୧୫ ଦିନ ତଳେ ଉତ୍ତରା ଫାଣ୍ଡି ପୁଲିସ ସଂପୃକ୍ତ ନାବାଳିକାଙ୍କୁ ଯାଜପୁରରୁ ଉଦ୍ଧାର କରି ତାଙ୍କ ପରିବାର ଲୋକଙ୍କୁ ଜିମା ଦେଇଥିଲା। ହେଲେ ଅଭିଯୁକ୍ତ ଯୁବକକୁ ପୁଲିସ ଏଯାଏ ଗିରଫ କରିପାରି ନାହିଁ। ସେବେଠାରୁ ଦୁଇଗୋଷ୍ଠୀ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ଆଜି ଗୋଟିଏ ଗୋଷ୍ଠୀର କିଛି ବ୍ୟକ୍ତି ଅପର ଗୋଷ୍ଠୀକୁ ଅଶ୍ଳୀଳ ମନ୍ତବ୍ୟ ଦେବାକୁ କେନ୍ଦ୍ର କରି ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଗାଁ ଦାଣ୍ଡରେ ଉଭୟ ପକ୍ଷ ପରସ୍ପରରକୁ ଖଣ୍ଡା, ଫାର୍ସା ଓ ଠେଙ୍ଗାବାଡ଼ିରେ ଆକ୍ରମଣ କରିଥିଲେ। କାହାର ମୁଣ୍ଡ ଫାଟି ପ୍ରଚୁର ରକ୍ତସ୍ରାବ ହୋଇଥିବା ବେଳେ ଆଉ କାହାର ହାତ, ଗୋଡ଼, ମୁହଁ ଓ ଶରୀରରେ ଗଭୀର ଆଘାତ ଲାଗିବା ସହ କ୍ଷତାକ୍ତ ହୋଇଛି। ଚିକିତ୍ସା ଲାଗି ପରିବାର ଲୋକ ସେମାନଙ୍କୁ ପ୍ରଥମେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ପରେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏନେଇ ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ପିପିଲି ଏବଂ ଉତ୍ତରା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ପୁଲିସ ଗଣ୍ଡଗୋଳରେ ବ୍ୟବହୃତ ଫାର୍ସା, ଖଣ୍ଡା ଓ ଠେଙ୍ଗା ଜବତ କରିଛି। ପରିସ୍ଥିତି ନିୟନ୍ତ୍ରଣ କରିବା ଲାଗି ଗ୍ରାମରେ ପୁଲିସ ଫୋର୍ସ ମୁତୟନ ହୋଇଥିବା ଜଣାପଡ଼ିଛି। ରିପୋର୍ଟ ଲେଖା ହେବା ବେଳକୁ ଥାନାରେ ମାମଲା ରୁଜୁ ହୋଇନଥିବା ପିପିଲି ଥାନା ଅଧିକାରୀ ଶରତ ଚନ୍ଦ୍ର ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe