ନିଲାମ ହେବ ୮ ଖଣି: କେନ୍ଦୁଝରରେ ୪, ସୁନ୍ଦରଗଡ଼ରେ ୪, ବିଡ୍ ଆହ୍ବାନ କଲେ ରାଜ୍ୟ ସରକାର

ରାଜ୍ୟ ସରକାର ଆଠଟି ଖଣିର ଇ-ନିଲାମ କରିବାକୁ ଯାଉଛନ୍ତି। ସେଥିରୁ ଚାରିଟି ଲୁହାପଥର ଖଣି ହୋଇଥିବା ବେଳେ ଗୋଟିଏ ଲୁହାପଥର ଓ ମାଙ୍ଗାନିଜ, ଗୋଟିଏ ମାଙ୍ଗାନିଜ ଓ ଦୁଇଟି ହେଉଛି ମାଙ୍ଗାନିଜ ଓ ଲୁହାପଥର ଖଣି।

ଖାଇବାକୁ ବାଟ ଖୋଲିଦେଲେ

ଭୁବନେଶ୍ବର: ରାଜ୍ୟ ସରକାର ଆଠଟି ଖଣିର ଇ-ନିଲାମ କରିବାକୁ ଯାଉଛନ୍ତି। ସେଥିରୁ ଚାରିଟି ଲୁହାପଥର ଖଣି ହୋଇଥିବା ବେଳେ ଗୋଟିଏ ଲୁହାପଥର ଓ ମାଙ୍ଗାନିଜ, ଗୋଟିଏ ମାଙ୍ଗାନିଜ ଓ ଦୁଇଟି ହେଉଛି ମାଙ୍ଗାନିଜ ଓ ଲୁହାପଥର ଖଣି। ଖଣିଗୁଡ଼ିକର ଲିଜ୍ ଅନୁମୋଦନ ପ୍ରଦାନ କରିବା ଲାଗି ରାଜ୍ୟ ସରକାରଙ୍କ ଇସ୍ପାତ ଓ ଖଣି ନିର୍ଦ୍ଦେଶାଳୟ ଅଧୀନସ୍ଥ ଖଣି ଓ ଭୂବିଜ୍ଞାନ ନିର୍ଦ୍ଦେଶାଳୟ ପକ୍ଷରୁ ବିଡ୍ ଆହ୍ବାନ କରାଯାଇଛି। ଖଣି ଓ ଖଣିଜ (ବିକାଶ ଓ ନିୟାମକ) ନିୟମ ୧୯୫୭ର ଧାରା ୧୦(ବି) ଏବଂ ଖଣିଜ (ନିଲାମ) ନିୟମ ୨୦୧୫ ଅନୁଯାୟୀ ବିଭିନ୍ନ ସଂସ୍ଥାଠାରୁ ବିଡ୍‌ ଆହ୍ବାନ କରାଯାଇଛି। ରାଜ୍ୟ ସରକାର ନିଲାମ କରିବାକୁ ଯାଉଥିବା ଖଣିଗୁଡ଼ିକ କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ରହିଛି। 

ଆଠଟି ଖଣି ମଧ୍ୟରୁ ଚାରିଟି ଖଣିର ଲିଜ୍ ଅବଧି ଶେଷ ହୋଇଥିବା ବେଳେ ଅନ୍ୟ ଚାରିଟି ହେଉଛି ନୂଆ ଖଣି। ସୁନ୍ଦରଗଡ଼ରେ କୋଇଡ଼ା ଲୁହାପଥର ଖଣି, ଝୁମ୍‌କା-ପଥିରିପୋଶୀ ପଶ୍ଚିମ ଲୁହାପଥର ଖଣି, ଓରାହୁର ମାଙ୍ଗାନିଜ ଓ ଲୁହାପଥର ଖଣି ଏବଂ ଭଞ୍ଜିକୁସୁମ ମାଙ୍ଗାନିଜ ଖଣି ନିଲାମ କରାଯିବ। ସେହିପରି, କେନ୍ଦୁଝର ଜିଲ୍ଲାରେ ରୋଇଡା-୧ ଲୁହାପଥର ଓ ମାଙ୍ଗାନିଜ ଖଣି, ପୁତୁଲିପାଣୀ ଲୁହାପଥର ଖଣି, ଜଳହୁରି ଲୁହାପଥର ଓ ମାଙ୍ଗାନିଜ ଖଣି ଏବଂ ରୋଇଡା-ଡି ମାଙ୍ଗାନିଜ ଖଣି ନିଲାମ କରାଯିବ। 

ନିଲାମ ହେବାକୁ ଥିବା ଖଣିଗୁଡ଼ିକ ସମ୍ପର୍କିତ ବିବରଣୀ ଏମ୍‌ଏସ୍‌ଟିସି ୱେବସାଇଟ୍‌ରେ ରହିଛି। ଆବେଦନକାରୀମାନେ ଡିଜିଟାଲ୍‌ ମାଧ୍ୟମରେ ଆର୍ଥିକ ବିଡ୍‌ ଦାଖଲ କରିପାରିବେ ଏବଂ ଯୋଗ୍ୟ ବିବେଚିତ ବିଡର୍‌ମାନେ ବୈଷୟିକ ବିଡ୍‌କୁ ଉଭୟ ପ୍ରତ୍ୟକ୍ଷ ଓ ଡିଜିଟାଲ୍ ମାଧ୍ୟମରେ ଦାଖଲ କରିପାରିବେ ବୋଲି ଜଣାପଡ଼ିଛି। ଟେଣ୍ଡର ଦସ୍ତାବିଜ କିଣିବାର ଶେଷ ତାରିଖ ହେଉଛି ୨୦୨୫ ଏପ୍ରିଲ୍‌ ୧୬ ଏବଂ ଆବେଦନ ଦାଖଲ କରିବାର ଶେଷ ତାରିଖ ଏପ୍ରିଲ୍‌ ୨୫ ରଖାଯାଇଛି। ପ୍ରତି ଖଣିର ଟେଣ୍ଡର ଦସ୍ତାବିଜ୍ ମୂଲ୍ୟ ୫,୦୦,୦୦୦ ଟଙ୍କା ରହିଛି। ଯୋଗ୍ୟ ସଂସ୍ଥାଗୁଡ଼ିକ ଏମ୍‌ଏସ୍‌ଟିସି ୱେବ୍‌ସାଇଟ୍‌ରେ ପଞ୍ଜୀକରଣ କରି ଇ-ନିଲାମରେ ଭାଗ ନେଇପାରିବେ। ମଡେଲ୍‌ ଟେଣ୍ଡର ଦସ୍ତାବିଜ ଓ ଖଣି ସମ୍ପର୍କିତ ବିବରଣୀ ୱେବସାଇଟ୍‌ରେ ନିଃଶୁଳ୍କ ଉପଲବ୍ଧ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe