ସମ୍ବଲପୁର: ଘରୋଇ ସ୍କୁଲ୍‌ରେ ଛାତ୍ରଙ୍କୁ ସହପାଠୀଙ୍କ ମାଡ଼, ୮ ଛାତ୍ର ନିଲମ୍ବିତ

Advertisment
ସମ୍ବଲପୁର: ଘରୋଇ ସ୍କୁଲ୍‌ରେ ଛାତ୍ରଙ୍କୁ ସହପାଠୀଙ୍କ ମାଡ଼, ୮ ଛାତ୍ର ନିଲମ୍ବିତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ଶାସନଠାରେ ଥିବା ଏକ ଘରୋଇ ସ୍କୁଲ୍‌ରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ସ୍କୁଲ୍‌ କର୍ତୃପକ୍ଷ ୮ ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏହି ଛାତ୍ରମାନଙ୍କୁ ଛାତ୍ରାବାସରୁ ବିଦା କରିଦିଆଯାଇଛି। ମାଡ଼ ଖାଇଥିବା ଛାତ୍ରଙ୍କ ବାପାଙ୍କ ଅଭିଯୋଗ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ରବିବାର ରାତିରେ ୨ ଜଣ ଛାତ୍ର ତାଙ୍କ ପୁଅକୁ ଏକ କୋଠରିକୁ ଡାକି ନେଇ ମାଡ଼ ମାରିଥିବା ତାଙ୍କ ବାପା ପ୍ରଭାତ ବେହେରା ଅଭିଯୋଗ କରିଥିଲେ। ଏହି ସମୟରେ ଅନ୍ୟ ୬ ଜଣ ଛାତ୍ର ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଏ ବାବଦରେ ଛାତ୍ର ଜଣକ ୱାର୍ଡେନଙ୍କୁ ଜଣାଇଥିଲେ। ସେ ଏ ବାବଦରେ ମ୍ୟାନେଜମେଣ୍ଟ୍‌କୁ ଜଣାଇବେ ବୋଲି କହିଥିଲେ। ହେଲେ ଏହା ପରଦିନ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଛାତ୍ର ଜଣକ ମଙ୍ଗଳବାର ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ପରିବାର ପକ୍ଷରୁ ସ୍କୁଲ୍‌କୁ ସୂଚନା ଦିଆଯାଇଥିଲା। ସ୍କୁଲ୍‌ରେ ଏଭଳି ଘଟଣା ଘଟିଥିବା ବେଳେ କର୍ତୃପକ୍ଷ ଜାଣି ନପାରବା କିମ୍ବା ଜାଣି ବି କୌଣସି ପଦକ୍ଷେପ ନ ନେବା ନେଇ ଶ୍ରୀ ବେହେରା ସ୍କୁଲ୍‌ ପରିଚାଳନା ନିର୍ଦେଶକଙ୍କୁ ଜଣାଇଥିଲେ।

ଏ ସଂପର୍କରେ ସ୍କୁଲ୍‌ ପକ୍ଷରୁ କୁହାଯାଇଛି ଯେ ପୀଡ଼ିତ ଛାତ୍ର ଓ ଅଭିଯୁକ୍ତ ୨ ଛାତ୍ରଙ୍କ ସହପାଠୀ ଥିଲେ। ସେମାନଙ୍କ ମଧ୍ୟରେ କୌଣସି କାରଣରୁ ମନୋମାଳିନ୍ୟ ଘଟି ଏପରି ଘଟଣା ଘଟିଛି। ଏସଂପର୍କରେ ଜାଣିବା ପରେ ତୁରନ୍ତ ୨ ଛାତ୍ର ଓ ଅନ୍ୟ ୬ ଜଣଙ୍କ ଅଭିଭାବକଙ୍କୁ ଡକାଇ ସମସ୍ତଙ୍କୁ ନିଲମ୍ବିତ କରାଯାଇଛି। ଶୃଙ୍ଖଳା କମିଟି ବସି ଉଭୟ ପକ୍ଷକୁ ଶୁଣିଛି। ଯେଉଁ ଛାତ୍ର ଭୁଲ୍ କରିଛନ୍ତି ସେମାନଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ଉପରେ ନିଷ୍ପତ୍ତି ନିଆଯିବ। ସୋମବାର ଏ ସଂପର୍କରେ କର୍ତୃପକ୍ଷଙ୍କୁ ସୂଚନା ଦେଇ ନଥିବାରୁ ସଂପୃକ୍ତ ୱାର୍ଡେନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ହେବ। ସୂଚନାଯୋଗ୍ୟ ଯେ ଘଟଣାରେ ସଂପୃକ୍ତ ଅଭିଯୋଗକାରୀ ଓ ଅଭିଯୁକ୍ତ ଛାତ୍ରମାନେ ୪ ବର୍ଷ ହେଲା ଛାତ୍ରାବାସରେ ରହି ଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe